ଭୀଷଣ ରୂପ ନେଉଛି ଡାକ୍ତରଙ୍କୁ ଦୁଷ୍କର୍ମ, ହତ୍ୟା ଘଟଣା: ଧର୍ମଘଟରେ ଡାକ୍ତର, ସ୍ବାସ୍ଥ୍ୟସେବା ଠପ୍‌

Advertisment

ଦେଶବ୍ୟାପୀ ଓପିଡି ସେବା ଅଚଳ, ନ୍ୟୁୟର୍କ, କାନାଡ଼ା, ବ୍ରିଟେନ୍‌, ଜର୍ମାନୀ, ବାଂଲାଦେଶ ସବୁଠି ପ୍ରତିବାଦ

ଦେଶବ୍ୟାପୀ ଓପିଡି ସେବା ଅଚଳ, ନ୍ୟୁୟର୍କ, କାନାଡ଼ା, ବ୍ରିଟେନ୍‌, ଜର୍ମାନୀ, ବାଂଲାଦେଶ ସବୁଠି ପ୍ରତିବାଦ

ଭୀଷଣ ରୂପ ନେଉଛି ଡାକ୍ତରଙ୍କୁ ଦୁଷ୍କର୍ମ, ହତ୍ୟା ଘଟଣା: ଧର୍ମଘଟରେ ଡାକ୍ତର, ସ୍ବାସ୍ଥ୍ୟସେବା ଠପ୍‌

ନୂଆଦିଲ୍ଲୀ: କୋଲକାତା ହସ୍ପିଟାଲରେ ‌ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ବର୍ବର ହତ୍ୟା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଛି। ଆଜି ଆଇଏମ୍‌ଏ(ଭାରତୀୟ ଭେଷଜ ସଂଘ) ପକ୍ଷରୁ ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଯୋଗୁଁ ସ୍ବାସ୍ଥ୍ୟସେବା ଗୁରୁତର ପ୍ରଭାବିତ ହୋଇଛି। ପୂରା ଦେଶରେ ବିଭିନ୍ନ ପ୍ରମୁଖ ହସ୍ପିଟାଲ୍‌ଗୁଡ଼ିକରେ ସ୍ବାସ୍ଥ୍ୟସେବା ଠପ୍‌ ହୋଇଯିବା ଯୋଗୁଁ ଲୋକେ ଛଟପଟ ହୋଇଛନ୍ତି। ଦିଲ୍ଲୀର କେତେକ ପ୍ରମୁଖ ହସ୍ପିଟାଲ୍‌ ତଥା ଗୁରୁ ତେଗ୍‌ ବାହାଦୁର, ରାମ ମନୋହର ଲୋହିଆ, ଡିଡିୟୁ ଏବଂ ଏମ୍ସରେ ଓପିଡ଼ି ସେବା ବନ୍ଦ ରହିଛି। ଝାଡ଼ଖଣ୍ଡରେ ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲଗୁଡ଼ିକ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଉତ୍ତରପୂର୍ବରେ ସବୁଠାରୁ ପୁରୁଣା ମେଡିକାଲ କଲେଜ ତଥା ଆସାମ ମେଡିକାଲ କଲେଜରେ ଆଜି ଡାକ୍ତରମାନେ ଧାରଣାରେ ବସିଛନ୍ତି।

ଚେନ୍ନାଇରେ ମଧ୍ୟ ଡାକ୍ତରମାନେ ଆନ୍ଦୋଳନ କରିଛନ୍ତି। ପଶ୍ଚିମବଙ୍ଗ‌ରେ ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲ୍‌ର ଓପିଡ଼ି ସେବା ପ୍ରଭାବିତ ହୋଇଛି। ଆଇଏମ୍‌ଏର ଚଣ୍ଡିଗଡ଼ ଶାଖା ଓପିଡି ସେବା ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛି। ‌ସେହିପରି ବେଙ୍ଗାଲୁରୁରେ ୧ ହଜାରରୁ ଅଧିକ ଡାକ୍ତର ଆଇଏମ୍‌ଏ ଅଫିସ ବାହାରେ ହୋଇଥିବା ଆନ୍ଦୋଳନରେ ବସିଛନ୍ତି। ଆଇଏମ୍‌ଏ କେନ୍ଦ୍ର ସରକାରଙ୍କ ନିକଟରେ ୫ଟି ଦାବି କରିଛି। କାର୍ଯ୍ୟକ୍ଷେତ୍ରରେ ଡାକ୍ତର ଏବଂ ସେବା ପ୍ରଦାନ କରୁଥିବା ସମସ୍ତ କର୍ମଚାରୀଙ୍କୁ ହିଂସା କବଳରୁ ସୁରକ୍ଷା ଦେବାପାଇଁ ଏକ କେନ୍ଦ୍ରୀୟ ଆଇନ ଆଣିବା ଏହାର ପ୍ରମୁଖ ଦାବି ହୋଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଡାକ୍ତର ଆନ୍ଦୋଳନ ଯୋଗୁଁ ଆଜି ଦିଲ୍ଲୀ ଏମ୍ସରେ ଓଟି ସେବା ପଂଜୀକରଣରେ ୯୦ ପ୍ରତିଶତ ହ୍ରାସ ହୋଇଛି। ସେହିପରି ଓପିଡ଼ି ସେବା ପ୍ରାୟତଃ ଅଚଳ ‌ହୋଇଯାଇଛି। ପ୍ରାୟ ସବୁ ରାଜ୍ୟରେ ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲର ଡାକ୍ତରମାନେ ଏହି ଆନ୍ଦୋଳନକୁ ସମର୍ଥନ କରି ଏଥିରେ ସାମିଲ ହୋଇଛନ୍ତି।

ବିଦେଶରେ ମଧ୍ୟ‌ କୋଲକାତା ଡାକ୍ତରଙ୍କ ପାଇଁ ନ୍ୟାୟ ଦାବି କରାଯାଇଛି। ବାଂଲାଦେଶର ଢାକା ବିଶ୍ବବିଦ୍ୟାଳୟରେ ଆଜି ଛାତ୍ରମାନେ କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ବିରୋଧ କରି କରାଯାଉଥିବା ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଢାକା ବିଶ୍ବବିଦ୍ୟାଳୟ ଛାତ୍ରମାନେ ଆଜି କୋଲକାତା ଦୁଷ୍କର୍ମ ପୀଡ଼ିତାଙ୍କ ନ୍ୟାୟ ଦାବି କରି ଆନ୍ଦୋଳନରେ ବସିଛନ୍ତି। ସେହିପରି ନ୍ୟୁୟର୍କ ସିଟିର ଟାଇମ୍ସ ସ୍କୋୟାର ଠାରୁ ଆରମ୍ଭ କରି କାନାଡ଼ା, ବ୍ରିଟେନ୍‌, ଜର୍ମାନୀ ଏବଂ ବାଂଲାଦେଶ ମଧ୍ୟ ଆର୍‌ଜି କର ଦୁଷ୍କର୍ମ ଏବଂ ହତ୍ୟା ପୀଡ଼ିତା ଡାକ୍ତରଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe