ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ ଏବଂ ଏନ୍ଆର୍ସିକୁ ନେଇ ଦେଶରେ ଲାଗି ରହିଥିବା ବିଭ୍ରାନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ସମେତ ତମାମ ବିରୋଧୀ ଦଳଗୁଡ଼ିକ ଉପରେ କଡ଼ା ପ୍ରହାର କରିଛନ୍ତି। ମୋଦୀ ଆଜି ଦିଲ୍ଲୀରେ ଅନୁଷ୍ଠିତ ଏକ ମେଗା ରୢାଲିରେ କହିଥିଲେ ଯେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ମମତା ବାନାର୍ଜୀଙ୍କ ସମେତ ଅନେକ ନେତା ପ୍ରଥମେ ଏହାର ସମର୍ଥନରେ ଯୁକ୍ତି ରଖିଥିଲେ। ତେବେ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ସେମାନେ ଏବେ ଏହି ଆଇନକୁ ନେଇ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏବେ କ’ଣ ଘଟିଲା ଯେ ଦିଦି ଏତେ ବଦଳି ଯାଇଛନ୍ତି ବୋଲି ମୋଦୀ ପ୍ରଶ୍ନ କରିଥିଲେ। ଏହାର କଡ଼ା ବିରୋଧ କରି ମମତା କହିଛନ୍ତି ଯେ ମୁଁ ଯାହା କହିଛି ସମସ୍ତଙ୍କ ସମ୍ମୁଖରେ କହିଛି। କିଏ ଠିକ୍, କିଏ ଭୁଲ୍ ତାହା ଦେଶବାସୀ ଜବାବ ଦେବେ। ଗୃହମନ୍ତ୍ରୀ ଅମିତ ଶାହ ଏନ୍ଆର୍ସିକୁ ନେଇ ଦେଇଥିବା ବୟାନ ସହିତ ପ୍ରଧାନମନ୍ତ୍ରୀଙ୍କ ବୟାନର ତାଳମେଳ ରହୁନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି କହିଥିଲେ ଯେ ଲୋକଙ୍କ ଉପରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭରସା ନାହିଁ ଏବଂ ସେଥିପାଇଁ ସେ ବିଭ୍ରାନ୍ତି ସୃଷ୍ଟି କରି ଲୋକଙ୍କୁ ଡରାଇବାକୁ ପ୍ରୟାସ କରୁଛନ୍ତି। ୧୦୦ ବର୍ଷ ପୁରୁଣା କଂଗ୍ରେସ ଦଳ ଦେଶରେ ଶାନ୍ତି ରକ୍ଷା ପାଇଁ ପଦୁଟିଏ ମଧ୍ୟ କହିବାକୁ ପ୍ରସ୍ତୁତ ନାହିଁ। ଏହି ଦଳ ହିଂସାକୁ ପ୍ରୋତ୍ସାହନ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମୋଦୀଙ୍କୁ ମମତାଙ୍କ ଜବାବ: କିଏ ଭୁଲ୍ କିଏ ଠିକ୍ ଦେଶବାସୀ ସ୍ଥିର କରିବେ
Advertisment
Follow Us