କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପୁଣି ଗର୍ଜିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ଏକ ଜନସଭାରେ ମମତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗଣତନ୍ତ୍ରର ଏକ ଶକ୍ତ ଚାପୁଡ଼ା ବାଜିବା ଆବଶ୍ୟକ। ନିକଟରେ ମୋଦୀ ଏକ ରୢାଲିରେ ଟିଏମ୍ସି ସରକାରକୁ କଡ଼ା ସମାଲୋଚନା କରି ଏହା ବଟି ଆଦାୟର ଏକ ସିଣ୍ଡିକେଟ୍ ପାଲଟିଛି ବୋଲି କହିବା ସହ ମମତାଙ୍କ ଛତ୍ରଛାୟାରେ ଟିଏମ୍ସି ନେତାମାନେ ସବୁ ପ୍ରକଳ୍ପ ଓ ଠିକା କାମଗୁଡ଼ିକରେ ହରିଲୁଟ୍ କରୁଥିବା କହିଥିଲେ। ଆଜି ଏହାର ଜବାବରେ ମମତା କହିଛନ୍ତି, ମୋଦୀଙ୍କୁ ତାଙ୍କର ପ୍ରତିଟି ଅଭିଯୋଗର ଜବାବ ମିଳିବ ଏବଂ ତାଙ୍କୁ ଗଣତନ୍ତ୍ରର ଏକ ଶକ୍ତ ଚାପୁଡ଼ା ମଧ୍ୟ ବାଜିବା ଆବଶ୍ୟକ। ପୁରୁଲିଆର ରଘୁନାଥପୁରରେ ଅନୁଷ୍ଠିତ ଜନସଭାରେ ସେ କହିଛନ୍ତି ଯେ ମୋଦୀ ରାଜନୀତିର ସ୍ତରକୁ ଅତି ତଳକୁ ଖସାଇ ଆଣିଛନ୍ତି, କିନ୍ତୁ ସେ ଏଥିରେ ଭୟଭୀତ ନୁହନ୍ତି। ମୋଦୀଙ୍କ ଆଗରେ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ମମତା କହିଛନ୍ତି। ନିର୍ବାଚନରେ ଏକ ବଡ଼ ପରାଜୟ ହିଁ ମୋଦୀଙ୍କ ପାଇଁ ଉଚିତ ଶିକ୍ଷା ହେବ ବୋଲି ସେ କହିଛନ୍ତି। ମିଥ୍ୟା କହିବାରେ ମୋଦୀ ଅତ୍ୟନ୍ତ ପାରଙ୍ଗମ କିନ୍ତୁ ପଶ୍ଚିମବଂଗର ଜନସାଧାରଣ ମୋଦୀଙ୍କ ବିଭ୍ରାନ୍ତିରେ ଭଳିଯିବେ ନାହିଁ। ଏହାର ପ୍ରମାଣ ମୋଦୀଙ୍କୁ ଖୁବ୍ଶୀଘ୍ର ମିଳିବ। ବିଜେପିର ଦଙ୍ଗା ରାଜନୀତି ଆଉ କାମ ଦେଉନଥିବାରୁ କେବଳ ଲୋକଙ୍କୁ ଭୁଲ୍ ରାସ୍ତାରେ ନେବାପାଇଁ ବିଜେପି ପ୍ରୟାସ କରୁଛି ବୋଲି ମମତା କହିଛନ୍ତି।
ବିଜେପିର ଜାତୀୟତାବାଦ ଏବଂ ହିନ୍ଦୁତ୍ବ କେବଳ ଲୋକ ଦେଖାଣିଆ ଏବଂ ଏଥିରୁ ଦେଶକୁ କିଛି ଫାଇଦା ମିଳୁନାହିଁ ବୋଲି ଦର୍ଶାଇ ମମତା କହିଥିଲେ ଯେ ଦୁର୍ଗା ପୂଜା ଏବଂ ଅନ୍ୟ ହିନ୍ଦୁ ପର୍ବ ପର୍ବାଣୀ ଉପରେ ଟିଏମ୍ସି ସରକାର ଅଙ୍କୁଶ ଲଗାଇବା ସଂପର୍କରେ ଯାହା ପ୍ରଚାର ହେଉଛି ସେଥିରେ ସତ୍ୟତା ନାହିଁ। ବିଜେପି ଏହି ବାହାନାରେ ରାଜ୍ୟରେ ନିଜର ପ୍ରଭାବ ବିସ୍ତାର ପାଇଁ କେବଳ ମିଥ୍ୟା ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି। ମୋଦୀ ନିଜକୁ ଦେଶଭକ୍ତ ବୋଲି ଦାବି କରୁଥିବା ବେଳେ ଆର୍ଏସ୍ଏସ୍ର ଲୋକେ ହିଁ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଛନ୍ତି ବୋଲି ମମତା କହିଛନ୍ତି।
ଗର୍ଜିଲେ ମମତା:ମୋଦୀଙ୍କୁ ଗଣତନ୍ତ୍ରର ‘ଶକ୍ତ ଚାପୁଡ଼ା’ ଲୋଡ଼ା
Advertisment
Follow Us