ମୁହଁ ଖୋଲିଲେ ମମତା: ଦୁର୍ନୀତିକୁ ସମର୍ଥନ କରେନି, ପାର୍ଥଙ୍କୁ ଧରାଛୁଆଁ ଦେଉନାହାନ୍ତି ଦିଦି

ମୁହଁ ଖୋଲିଲେ ମମତା: ଦୁର୍ନୀତିକୁ ସମର୍ଥନ କରେନି, ପାର୍ଥଙ୍କୁ ଧରାଛୁଆଁ ଦେଉନାହାନ୍ତି ଦିଦି

IndiaToday

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶେଷରେ ମୁହଁ ଖୋଲିଛନ୍ତି। ମମତା କହିଛନ୍ତି, ସେ କୌଣସି ଭୁଲ୍‌ କାର୍ଯ୍ୟ କିମ୍ବା ଦୁର୍ନୀତିକୁ ସମର୍ଥନ କରନ୍ତିନି। ଯଦି କୌଣସି ବ୍ୟକ୍ତି ଦୋଷୀସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଦଣ୍ଡ ମିଳିବା ଉଚିତ‌। ତେବେ ମମତା ଲଗାତାର ଭାବେ ନିଜକୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାଠାରୁ ଦୂରେଇ ରଖିଛନ୍ତି। ମମତା କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ଆଘାତ ପାଇଛି। ମୁଁ ବିଶ୍ବାସ କରିପାରୁନି ଯେ ସେ ଏଭଳି କାମ କରିବେ। ତେବେ ଯଦି ଏହା ସତ ପ୍ରମାଣିତ ହୁଏ ତେବେ ଦୋଷୀକୁ ଦଣ୍ଡ ମିଳିବା ଉଚିତ। ମମତା କହିଛନ୍ତି, ନ୍ୟାୟପାଳିକା ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ବାସ ଅଛି। ଯଦି କିଛି ଭୁଲ୍‌ ଥାଏ ଦୋଷୀ ଦଣ୍ଡ ପାଇବ। ଦଳ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କିନ୍ତୁ ମୋ ବିରୋଧରେ ଯେଉଁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି ତାକୁ ମୁଁ କଡ଼ା ଭାଷାରେ ନିନ୍ଦା କରୁଛି। ମମତା କହିଛନ୍ତି, ଯଦି ବିଜେପି କୌଣସି ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରି ଦଳକୁ ଭାଙ୍ଗିବା କଥା ଭାବୁଥାଏ ତେବେ ତାହା ଭୁଲ୍‌। ସତର ପର୍ଦ୍ଦାଫାସ ହେବା ଉଚିତ ଏବଂ ସମୟ ମଧ୍ୟରେ ହିଁ ଏହା ହେବା ଉଚିତ ବୋଲି ମମତା କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମମତା କହିଛନ୍ତି, ଯଦି ଜଣେ ଭୁଲ୍‌ କରୁଛନ୍ତି ତେବେ ତାଙ୍କୁ ତ୍ରୁଟି ସଂଶୋଧନ ପାଇଁ ଗୋଟିଏ ସୁଯୋଗ ମିଳିବା ଉଚିତ୍‌। କିନ୍ତୁ ସମସ୍ତେ ସାଧୁ ବୋଲି ମୁଁ ଦାବି କରୁନି। ମମତା କହିଛନ୍ତି, ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ସହ ଦଳର କୌଣସି ସମ୍ପକ୍ତି ନାହିଁ କି ମୁଁ ତାଙ୍କୁ ଜାଣିନାହିଁ। ମୁଁ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଉଛି। ଯଦି କୌଣସି ବ୍ୟକ୍ତି ମୋ ସହ ଫଟୋ ଉଠାନ୍ତି ତେବେ ଏଥିରେ ମୋର ଦୋଷ କ’ଣ? ଅନ୍ୟପକ୍ଷେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ମମତାଙ୍କୁ ଫୋନ୍‌ କରିବା ରିପୋର୍ଟକୁ ଟିଏମ୍‌ସି ପକ୍ଷରୁ ଖଣ୍ଡନ କରାଯାଇଛି। ଟିଏମ୍‌ସି ନେତା ଫିରହାଦ ହାକିମ କହିଛନ୍ତି, ଗିରଫ ମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ୍‌ କରିବାର କୌଣସି ପ୍ରଶ୍ନ ଉଠୁନି। ଗିରଫ ହେବା ପରଠାରୁ ପାର୍ଥ ଚାଟାର୍ଜୀଙ୍କ ଫୋନ୍‌ ଇଡି ଅଧିକାରୀଙ୍କ ପାଖରେ ଅଛି। ତେଣୁ ତାଙ୍କ ଫୋନ୍‌ରୁ ମମତାଙ୍କ ପାଖକୁ କୌଣସି ଫୋନ୍‌ ଆସିନି।

ପାର୍ଥଙ୍କୁ ଧରାଛୁଆଁ ଦେଉନାହାନ୍ତି ଦିଦି
କୋଲକାତା : ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ୍‌ରେ କଥା ହେବାକୁ ପ୍ରୟାସ କରିଛନ୍ତି। କିନ୍ତୁ ମମତା ଫୋନ୍‌ ଉଠାଉନାହାନ୍ତି। ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଗିରଫ ମେମୋ ଅନୁଯାୟୀ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ମମତାଙ୍କୁ ୪ ଥର ଫୋନ୍‌ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ମମତା ଫୋନ୍‌ ରିସିଭ କରିନାହାନ୍ତି। ରିପୋର୍ଟ ଅନୁଯାୟୀ, ମନ୍ତ୍ରୀ ଚାଟାର୍ଜୀ ଗିରଫ ହେବାପରେ ତାଙ୍କର କୌଣସି ବନ୍ଧୁ, ସମ୍ପର୍କୀୟ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ‌ଫୋନ୍‌ ଲଗାଇବା ପାଇଁ ତାଙ୍କୁ ଇଡି ପକ୍ଷରୁ ସୁଯୋଗ ମିଳିଥିଲା। ସେ ତୁରନ୍ତ ତାଙ୍କ ବସ୍‌ ମମତାଙ୍କ ପାଖକୁ ଫୋନ୍‌ ଲଗାଇଥିଲେ। ମନ୍ତ୍ରୀ ଶନିବାର ରାତି ୨.୩୨ରେ ମମତାଙ୍କୁ ପ୍ରଥମ ଫୋନ୍‌ ଲଗାଇଥିଲେ। ୨.୩୩ରେ ଆଉଥରେ ଫୋନ୍‌ ଲଗାଇଲେ। ପ୍ରାୟ ଘଣ୍ଟାଏ ପରେ ପାର୍ଥ ଚାଟାର୍ଜୀ ମମତାଙ୍କୁ ପୁଣି ୩.୩୭ରେ ଫୋନ୍‌ କଲେ। ଶେଷ କଲ୍‌ ପରଦିନ ସକାଳ ୯.୩୫ରେ ହୋଇଥିଲା। କିନ୍ତୁ ମମତା ଫୋନ୍‌ ରିସିଭ୍‌ କରିନଥିବା ଜଣାପଡ଼ିଛି। ଗୋଟିଏ ପଟେ ମମତା ତାଙ୍କର ଘନିଷ୍ଠ ସହଯୋଗୀ ପାର୍ଥ ଚାଟାର୍ଜୀଙ୍କୁ ଧରାଛୁଅଁା ଦେଉ ନାହାନ୍ତି ବୋଲି କୁହାଯାଉଥିବାବେଳେ ଅନ୍ୟପଟେ ତୃଣମୂଳ କଂଗ୍ରେସ ମମତାଙ୍କ ପାଖକୁ ଫୋନ ଆସିଥିବା ଦାବି ଦାବିକୁ ଖଣ୍ଡନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe