Pankaj Kumar Mahanta 13 Year 11 Month From Odisha with Mamata Dalai 6 Year 8 month From Announce Bapu Gaidhani Award in new Delhi on Thursday
ନୂଆଦିଲ୍ଲୀ : ଚଳିତମାସ ୨୪ ତାରିଖରୁ ଓଡ଼ିଶାର ମମତା ଦଳେଇ ଓ ପଙ୍କଜ କୁମାର ମହନ୍ତଙ୍କ ସମେତ ଦେଶର ୧୮ଜଣ ବାଳକ ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହସିକତା ପୁରସ୍କାର ପ୍ରଦାନ କରିବେ। ସାହସିକତାକୁ ସ୍ୱୀକୃତୀ ପ୍ରଦାନ କରାଯାଇ ଆଜି ନୂଆଦିଲ୍ଲୀଠାରେ ଭାରତୀୟ ଶିଶୁ କଲ୍ୟାଣ ପରିଷଦ (ଆଇସିସିଆର୍) ଦ୍ୱାରା ଜାତୀୟ ସାହସିକତା ପୁରସ୍କାର ପାଇଁ ବିଭିନ୍ନ ରାଜ୍ୟର ୧୧ଜଣ ବାଳକ ଓ ୭ଜଣ ବାଳିକାଙ୍କ ନାମ ଘୋଷଣା କରାଯାଇଛି। ୧୮ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯିବ। ଜାତୀୟ ସାହସିକତା ପୁରସ୍କାର-୨୦୧୭ ତାଲିକାରେ ଉତ୍ତରପ୍ରଦେଶ ଆଗ୍ରାର ୧୬ ବର୍ଷିୟା ନାଜିଆଙ୍କୁ ସମ୍ମାନଜନକ ଭାରତ ଆଓ୍ଵାର୍ଡ,ପଞ୍ଜାବର କମିବୀର ସିଂହ(୧୬)ଙ୍କୁ ସଞ୍ଜୟ ଚୋପ୍ରା ସମ୍ମାନ,କର୍ଣ୍ଣାଟକର ନେତ୍ରାବତୀ ଏମ୍ ଚୌହାନ(୧୪)ଙ୍କୁ ମରଣୋତ୍ତର ଗୀତା ଚୋପ୍ରା ସମ୍ମାନ,ମେଘାଳୟର ବେଟସାନନ୍ ପେନ୍ଲାଙ୍ଗ(୧୨),ଓଡ଼ିଶାର ମମତା ଦଳେଇ (୭)ଓ କେରଳର ସେବାଷ୍ଟିନ୍ ଭିନ୍ସେଣ୍ଟ(୧୨)ଙ୍କୁ ସମ୍ମାନଜନକ ବାପୁ ଗାଇଧାନୀ ପୁରସ୍କାର ମିଳିବ। ପୁରସ୍କାର ବାବଦକୁ ମାନପତ୍ର ସହ ୪୦ହଜାର ଟଙ୍କାର ସମ୍ମାନ ରାଶି ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ଗଣତନ୍ତ୍ର ଦିବସ ପରେଡରେ ଜାତୀୟ ସାହସିକତା ପୁରସ୍କାର ପ୍ରାପ୍ତ ବାଳକ ବାଳିକା ମାନେ ଭାଗ ନେବା ସହ ରାଷ୍ଟ୍ରପତି,ଉପରାଷ୍ଟ୍ରପତି ଓ କେନ୍ଦ୍ରମନ୍ତ୍ରୀ ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବେ।
ଚଳିତବର୍ଷ ସମ୍ମାନଜନକ ବାପୁ ଗାୟିଧାନୀ ସମ୍ମାନ ପାଇଁ ମନୋନୀତ ହୋଇଥିବା କେନ୍ଦ୍ରାପଡ଼ା ରାଜନଗର ବାଙ୍କୁଆଳି ଗାଁର ମମତା ଦଳେଇ ନିଜ ଭଉଣୀ ଅଶାନ୍ତିଙ୍କୁ ନଦୀରେ ଗାଧୋଉଥିବା ସମୟରେ ଏକ ୫ଫୁଟିଆ କୁମ୍ଭୀର ଆକ୍ରମଣ କରିବା ସମୟରେ ସାହସର ସହ ଲଢ଼ି ତାଙ୍କ ଜୀବନ ରକ୍ଷା କରିଥିଲେ। ମମତା ଦିଲ୍ଲୀରେ ପହଞ୍ଚିବା ପରେ ଏହି ଘଟଣା ବର୍ଣ୍ଣନା କରି କହିଛନ୍ତି ଯେ ମୁଁ ନିଜ ଭଉଣୀର ଜୀବନ ବଞ୍ଚାଇଥିବାରୁ ବହୁତ ଖୁସି ଅଛି। ସେହି ସମୟରେ ମୁଁ ମୋର ଜୀବନ ପ୍ରତି ଥିବା ବିପଦକୁ କୌଣସି ଭୃକ୍ଷେପ କରିନଥିଲି। ସେହିଭଳି ଜାତୀୟ ସାହସିକତା ପୁରସ୍କାର ପାଇଁ ମନୋନୀତ ହୋଇଥିବା କେନ୍ଦୁଝର କାଟୁଳିକନା ଗାଁର ୧୪ ବର୍ଷୀୟ ପଙ୍କଜ କୁମାର ମହାନ୍ତ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବୈତରଣୀ ନଦୀର ବିହଡ଼ଲ ଗ୍ରାମରେ ଗାଧୋଇବା ବେଳେ ଚୋରାବାଲିରେ ଫସି ଯାଇଥିବା ତିନିଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ। ଆଗାମୀ ଦିନରେ ପୁଲିସ୍ ଚାକିରୀ କରି ଦେଶସେବା କରିବା ତାଙ୍କ ଲକ୍ଷ୍ୟ ରହିଛି ଓ ଜାତୀୟ ସାହସିକତା ପୁରସ୍କାର ତାଙ୍କୁ ଲକ୍ଷ୍ୟସ୍ଥଳକୁ ପହଞ୍ଚିବା ପାଇଁ ପ୍ରେରଣା ଦେବ ବୋଲି ପଙ୍କଜ କହିଛନ୍ତି।
Follow Us