ମମତାଙ୍କୁ ସୁପ୍ରିମ୍‌କୋର୍ଟରେ ବଡ଼ ଝଟକା: ୨୫ ହଜାର ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରକୁ ବଡ଼  ଝଟକା ଦେଇ  ଆଜି ସୁପ୍ରିମ୍‌କୋର୍ଟ ରାଜ୍ୟ ସ୍କୁଲ ସେବା ଆୟୋଗ ଅଧୀନରେ ନିଯୁକ୍ତି ପାଇଥିବା ୨୫ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି।

ssccxzz

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରକୁ ବଡ଼  ଝଟକା ଦେଇ  ଆଜି ସୁପ୍ରିମ୍‌କୋର୍ଟ ରାଜ୍ୟ ସ୍କୁଲ ସେବା ଆୟୋଗ ଅଧୀନରେ ନିଯୁକ୍ତି ପାଇଥିବା ୨୫ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି। ଏହି ନିଯୁକ୍ତିକୁ ବେଆଇନ ବୋଲି ରାୟ ଦେଇଥିବା କଲିକତା ହାଇକୋର୍ଟଙ୍କ ଆଦେଶକୁ ସର୍ବୋଚ୍ଚ ଅଦାଲତ ବଜାୟ ରଖିଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ସମଗ୍ର ଚୟନ ପ୍ରକ୍ରିୟା  ଦୁର୍ନୀତି ଓ ଜାଲିଆତି ଦ୍ୱାରା କଳୁଷିତ ହୋଇଛି ଏବଂ ଏହାର ବିଶ୍ୱସନୀୟତା   ନଷ୍ଟ ହୋଇଛି।

ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ପିଭି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ।  ଏହି ନିଯୁକ୍ତି ଠକେଇ ମାଧ୍ୟମରେ ହୋଇଛି ଏବଂ ସବୁକିଛି ଜାଲିଆତି ମାଧ୍ୟମରେ ସଂପାଦିତ ହୋଇଥିବା  ପ୍ରମାଣିତ ହୋଇସାରିଛି ବୋଲି କୋର୍ଟ କହିଛନ୍ତି। ଆମ ମତରେ ଏହା ଏପରି ଏକ ମାମଲା ଯେଉଁଥିରେ ସମଗ୍ର ଚୟନ ପ୍ରକ୍ରିୟାକୁ କଳଙ୍କିତ କରାଯାଇଛି। ବ୍ୟାପକ ସ୍ତରରେ ଠକେଇ ଓ କେଳେଙ୍କାରୀ ଯୋଗୁଁ ଏଭଳି ନିଯୁକ୍ତି ପ୍ରକ୍ରିୟାକୁ କାଏମ ରଖିହେବ ନାହିଁ ବୋଲି କୋର୍ଟ କହିଛନ୍ତି।  

ଅଦାଲତ କହିଛନ୍ତି ଯେ ଯେଉଁ ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ଭାବରେ ଜାଲିଆତିରେ ସଂପକ୍ତ  ବୋଲି ସାବ୍ୟସ୍ତ ହୋଇନାହାନ୍ତି ସେମାନଙ୍କୁ ବର୍ଷ ବର୍ଷ ଧରି ପାଇଥିବା ଦରମା ଫେରସ୍ତ କରିବାକୁ ପଡିବ ନାହିଁ। ତେବେ ସେମାନଙ୍କ ଚାକିରି ବନ୍ଦ ରହିବ। କେବଳ ସେତିକି ନୁହେଁ, ସମଗ୍ର ପରୀକ୍ଷା ପ୍ରକ୍ରିୟା ଓ ଫଳ  ବାତିଲ ଘୋଷଣା କରାଯିବାକୁ କୋର୍ଟ କହିଛନ୍ତି। ଯୋଗ୍ୟ ପ୍ରାର୍ଥୀଙ୍କ କ୍ଷେତ୍ରରେ ଘୋର ଅନ୍ୟାୟ କରି ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ହଟଚମଟ ହୋଇଥିବାରୁ ହାଇକୋର୍ଟ ଏହାକୁ ରଦ୍ଦ କରିବାକୁ ରାୟ ଦେବା ଯୁକ୍ତିଯୁକ୍ତ ବୋଲି ସୁପ୍ରିମ୍‌କୋର୍ଟ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ୨୦୧୬ରେ ରାଜ୍ୟସ୍ତରୀୟ ଚୟନ ପରୀକ୍ଷାରେ ୨୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଭାଗ ନେଇଥିଲେ। ଖାଲି ପଡ଼ିଥିବା ପଦବୀ ସଂଖ୍ୟା ୨୪,୬୪୦ ଥିବା ବେଳେ ୨୫,୭୫୩ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଟଙ୍କା ବଦଳରେ ନିଯୁକ୍ତି ଦେବାପାଇଁ ଏକ ବିଶାଳ ରୢାକେଟ୍‌ ଏଥିପାଇଁ କାମ କରୁଥିବା ଜଣାପଡ଼ିବା ପରେ ଖୋଳତାଡ଼ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe