ୟୁପି ନିର୍ବାଚନରେ ସମାଜବାଦୀ ପାର୍ଟି ପାଇଁ ପ୍ରଚାର କରିବେ ତୃଣମୂଳ ସୁପ୍ରିମୋ ମମତା

Advertisment
ଯଦି ୨୦୨୪ରେ ମୋଦୀଙ୍କୁ ହରାଇବାକୁ ଚାଁହୁଛ ତେବେ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଜିତିବାକୁ ପଡିବ: ମମତା

ଲକ୍ଷ୍ନୌ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ପାଇଁ ପ୍ରଚାର କରିବେ ଏବଂ ମମତାଙ୍କ ତୃଣମୂଳ କଂଗ୍ରେସ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ନାହିଁ ବୋଲି ମଙ୍ଗଳବାର ଦିନ ସମାଜବାଦୀ ପାର୍ଟି ଉପାଧ୍ୟକ୍ଷ କିରଣମୟ ନନ୍ଦ କହିଛନ୍ତି। ଏପ୍ରସଙ୍ଗରେ ସୋମବାର ସମାଜବାଦୀ ପାର୍ଟି ଉପାଧ୍ୟକ୍ଷ କିରଣମୟ ନନ୍ଦ ମମତା ବାନାର୍ଜୀଙ୍କ ସହ ତାଙ୍କ ବାସଭବନରେ ଏକ ଘଣ୍ଟା ଧରି ବୈଠକ କରିଥିଲେ।

ତୃଣମୂଳ କଂଗ୍ରେସ ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ ଏବଂ ବିଜେପି ବିରୋଧରେ ଲଢ଼େଇରେ ସମାଜବାଦୀ ପାର୍ଟିକୁ ସମର୍ଥନ କରିବ। ମମତା ବାନାର୍ଜୀ ଲକ୍ଷ୍ନୌ ଏବଂ ବାରଣାସୀରେ ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବଙ୍କ ସହ ଭର୍ଚୁଆଲ୍‌ ରାଲି କରିବେ। ମମତା ଫେବ୍ରୁଆରି ୮ ରେ ଲକ୍ଷ୍ନୌରେ ରହିବେ ଏବଂ ଏକ ଭର୍ଚୁଆଲ୍‌ ରାଲିରେ ଯୋଗଦେବେ। ଏହା ପରେ ସେ ଅଖିଳେଶ ଯାଦବଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ବୋଲି ବୈଠକ ପରେ ନନ୍ଦ ସାମ୍ବାଦିକମାନଙ୍କୁ କହିଛନ୍ତି। ମମତା ବାନାର୍ଜୀ ମଧ୍ୟ ଫେବ୍ରୁଆରି ପରେ ବାରଣାସୀ ଗସ୍ତ କରିବେ। କିନ୍ତୁ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ବୋଲି ସେ କହିଛନ୍ତି।

publive-image

କୋଭିଡ୍‌ ପ୍ରତିବନ୍ଧକ ହେତୁ ଅଧିକାଂଶ ଅଭିଯାନ ପ୍ରାୟତଃ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେଉଛି ବୋଲି ନନ୍ଦ କହିଛନ୍ତି। ଉତ୍ତରପ୍ରଦେଶର ସମସ୍ତ ୪୦୩ ବିଧାନସଭା ଆସନ ପାଇଁ ଫେବ୍ରୁଆରି ୧୦ ରୁ ମାର୍ଚ୍ଚ ୭ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।

ମମତା ବାନାର୍ଜୀ ଜଣେ ଶକ୍ତିଶାଳୀ ନେତା ଏବଂ ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସେ ଯେପରି ବିଜେପି ବିରୋଧରେ ଲଢିଥିଲେ ଏବଂ ଏହାକୁ ପରାସ୍ତ କରିଥିଲେ ତାହା ସମଗ୍ର ବିରୋଧୀଙ୍କ ପାଇଁ ଏକ ଶିକ୍ଷା। ତାଙ୍କର ଲଢେଇ ଅଭୂତପୂର୍ବ ଥିଲା। ସମଗ୍ର ଦେଶ ବିଜେପି ବିରୁଦ୍ଧରେ ସେ କରିଥିବା ଲଢେଇକୁ ଦେଖିଛି ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ସମାଜବାଦୀ ପାର୍ଟି ପଶ୍ଚିମବଙ୍ଗରେ ପ୍ରତିଦ୍ୱନ୍ଦ୍ୱିତା ନକରିବା ପାଇଁ ନିଷ୍ପତ୍ତି ନେଇଥିଲା ଏବଂ ଶାସକ ତୃଣମୂଳ କଂଗ୍ରେସକୁ ସମର୍ଥନ ଜଣାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe