Image Courtesy of India Today
ବର୍ଲିନ୍: ଟିକା ନେବାକୁ ଅନିଚ୍ଛୁକ ଲୋକମାନଙ୍କୁ ଟିକାର ପ୍ରକୃତ ‘ବ୍ୟାଚ୍ ନମ୍ବର’ ଥିବା ‘ଜାଲ୍ ଟିକାକରଣ ପାସ୍’ ବିକ୍ରୟ କରିବାକୁ ଜଣେ ୬୦ ବର୍ଷୀୟ ବ୍ୟକ୍ତି ବହୁବାର କୋଭିଡ୍-୧୯ ଟିକା ନେଇଥିବା ଅଭିଯୋଗ ହୋଇଛି।
ଜର୍ମାନିର ଗୋପନୀୟତା ନିୟମ ଅନୁସାରେ, ଉକ୍ତ ବ୍ୟକ୍ତିଙ୍କ ନାମ ପ୍ରକାଶ କରାଯାଇ ନ ଥିଲେ ମଧ୍ୟ ସେ ପୂର୍ବ ଜର୍ମାନି ଅନ୍ତର୍ଗତ ମ୍ୟାଗ୍ଡେବର୍ଗ ନଗରୀର ବାସିନ୍ଦା ବୋଲି ଜଣାପଡ଼ିଛି। ପୂର୍ବାଞ୍ଚଳ ପ୍ରଦେଶ ସାକ୍ସୋନିରେ ଥିବା କୋଭିଡ୍-୧୯ ଟିକାରକଣ କେନ୍ଦ୍ରଗୁଡ଼ିରୁ କିଛି ମାସ ଧରି ପ୍ରାୟ ୯୦ଟି ଟିକା ନେଇଛନ୍ତି। କିନ୍ତୁ, ଚଳିତ ମାସରେ ସେ ‘କ୍ରିମିନାଲ୍ ପୋଲିସ୍’ ହାତରେ ଧରାପଡ଼ିଥିବା କଥା ରବିବାର ଦିନ ଜର୍ମାନ ସମ୍ବାଦ ସରବରାହ ସଂସ୍ଥାନ ‘ଡପିଏ’ ରିପୋର୍ଟ କରିଛି।
 Image Courtesy of The Indian Expressସାକ୍ସୋନିର ଏଲେନ୍ବର୍ଗ ଟିକାକରଣ କେନ୍ଦ୍ରରେ ଲଗାତାର ଦୁଇଦିନ ଦେଖା ଦେବାରୁ ସେ ଧରାପଡ଼ିଥିଲେ। ପୁଲିସ ତାଙ୍କ ପାଖରୁ କେତେ ଗୁଡ଼ିଏ ଖାଲି ଟିକାକରଣ କାର୍ଡ ଜବତ କରିଛି। ତାଙ୍କୁ ଅଟକ ରଖା ଯାଇ ନ ଥିଲେ ବି ସେ ଜାଲିଆତି କରି ବିକ୍ରୟ କରୁଥିବା ‘ଟିକାକରଣ କାର୍ଡ’ ସଂକ୍ରାନ୍ତରେ ତଦନ୍ତ ଚାଲିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
ବିଭିନ୍ନ କମ୍ପାନିର ପ୍ରାୟ ୯୦ଟି ଟିକା ନେବାଦ୍ବାରା ତାଙ୍କ ସ୍ବାସ୍ଥ୍ୟ ଉପରେ କିଭଳି ପ୍ରଭାବ ପଡ଼ିଛି ତାହା ତୁରନ୍ତ ଜଣାପଡ଼ିନାହିଁ।
ଗତ କିଛି ମାସ ହେବ ଜର୍ମାନ ପୁଲିସ ଅନେକ ଥର ‘ଟିକାକରଣ ପାସ୍ପୋର୍ଟ’ ଜାଲିଆତି ଚଢ଼ାଉ କରିସାରିଲାଣି। ଟିକା ନ ନେଇ ଅନେକ ଲୋକ କୋଭିଡ୍-୧୯ ପାସ୍ପୋର୍ଟ ଚାହୁଁଛନ୍ତି। ଏହି ପାସ୍ପୋର୍ଟ ବଳରେ ସେମାନେ ରେସ୍ତୋରାଁ, ଥିଏଟର୍, ସୁଇମିଙ୍ଗ୍ ପୁଲ୍ ଏବଂ କାର୍ଯ୍ୟକ୍ଷେତ୍ରକୁ ସହଜରେ ଯାଇ ପାରୁଛନ୍ତି।
କିଛି ସପ୍ତାହ ଧରି ଜର୍ମାନିରେ ସଂକ୍ରମଣ ହାର ଅଧିକ ଥିଲେ ମଧ୍ୟ ଗତ ଶୁକ୍ରବାର ଦିନ କୋଭିଡ୍ କଟକଣା ଉଠାଇ ଦିଆଯାଇଛି।
  
 Follow Us