ନୂଆଦିଲ୍ଲୀ : ଆଜି ଦିନ ୧୧ଟାରେ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ତାଙ୍କର ରେଡିଓ କାର୍ଯ୍ୟକ୍ରମର ୬୭ତମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ବୀରତ୍ବ ବିଷୟରେ ଆଲୋଚନା କରିବା ସହ କରୋନା ସହ ଲଢ଼େଇ କରି ଭାରତ ସଫଳ ହୋଇଥିବା କଥା କହିଛନ୍ତି । ଏହା ସହ ଆତ୍ମନିର୍ଭର ଭାରତକୁ ନେଇ ଅନେକ ଉଦାହରଣ ଦେଇ ଦେଶର ଲୋକ କିଭଳି ଆତ୍ମନିର୍ଭର ହୋଇଛନ୍ତି, ସେ ବିଷୟରେ ଦେଶବାସୀଙ୍କୁ ଅବଗତ କରିଛନ୍ତି । ଆଗକୁ ରାକ୍ଷାବନ୍ଧନ ଆସୁଥିବା ବେଳେ ଏ ନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସରେ ସ୍ବଦେଶୀ ଜିନିଷ ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଛୋଟ ଗାଁରୁ ବା ଗରିବ ପରିବାରରେ ଜନ୍ମ ହୋଇ ମଧ୍ୟ ବଡ଼ ବଡ଼ ସଫଳତା ହାସଲ କରିଥିବା ଏବଂ ଚଳିତ ବର୍ଷ ଦଶମ ଓ ଦ୍ବାଦଶ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
୨୧ବର୍ଷ ପୂର୍ବେ ଏହି ଦିନରେ ଆମର ସେନା କାର୍ଗିଲ ଯୁଦ୍ଧରେ ଜିତିଥିଲେ | ଭାରତ ସେତେବେଳେ ପାକିସ୍ତାନ ସହ ଆନ୍ତରିକ ଭାବେ ସୁସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲା କିନ୍ତୁ କୁହାଯାଏ ଯେ ବିନା କାରଣରେ ସମସ୍ତଙ୍କ ସହ ଶତ୍ରୁତା କରିବା ଦୁଷ୍ଟମାନଙ୍କ ସ୍ୱଭାବ। ପାକିସ୍ତାନ ଠିକ୍ ତାହା ହିଁ କରିଥିଲା। କିନ୍ତୁ ଆମର ବୀର ଯବାନମାନେ ସେମାନଙ୍କୁ ପରାଜିତ କରିବାରେ ସଫଳ ହୋଇଥିଲେ। ଆଜିର ଦିନରେ ଦେଶବାସୀ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ବିଜୟ ଗାଥା ବିଷୟରେ ପଢ଼ନ୍ତୁ ଏବଂ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
Zoom Newsଦେଶରେ କରୋନା ସ୍ଥିତି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଆମ ଦେଶରେ କୋଭିଡ-୧୯ ସୁସ୍ଥତା ହାର ଅନ୍ୟ ଦେଶମାନଙ୍କ ତୁଳନାରେ ଭଲ | ଆମ ଦେଶରେ ମୃତ୍ୟୁ ହାର ଅନ୍ୟ ଦେଶ ତୁଳନାରେ ବହୁତ କମ୍ ଅଟେ | ଆମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ, କିନ୍ତୁ କରୋନାଭାଇରସର ବିପଦ ଏ ପର୍ଯ୍ୟନ୍ତ ଟଳିନାହିଁ। ଏହା ଦେଶର ଅନେକ କ୍ଷେତ୍ରରେ ଦ୍ରୁତ ଗତିରେ ବ୍ୟାପୁଛି, ଆମକୁ ସଜାଗ ରହିବା ଆବଶ୍ୟକ | ଲକଡାଉନ ନିୟମ କୋହଳ ହୋଇଥିବା ବେଳେ ଏବେ ଆମେ ସତର୍କ ରହିଲେ କରୋନାକୁ ହରାଇ ପାରିବା।
Follow Us