Image Courtesy of India Today
ନୂଆଦିଲ୍ଲୀ: ‘ଛଠ୍ପୂଜା’ ହେଉଛି ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ବଡ଼ ଦୃଷ୍ଟାନ୍ତ। ବିଦେଶୀ ରାଷ୍ଟ୍ରଗୁଡ଼ିକରେ ‘ଛଠ୍ପୂଜା’ ପାଳନ ହେଉଥିବାର ଅନେକ ଚିତ୍ର ଆମେ ଦେଖୁଛନ୍ତି। ଏହାର ଅର୍ଥ ଭାରତୀୟ ସଂସ୍କୃତି ଏବଂ ତା’ର ବିଶ୍ବାସ ବିଶ୍ବର ସବୁ ପ୍ରାନ୍ତରେ ତା’ର ସନ୍ତକ ରଖିଲାଣି। ‘ଛଠ୍ପୂଜା’ରେ ସୂର୍ଯ୍ୟ ଉପାସନା ହେଉଛି ପ୍ରକୃତି ସହିତ ଆମ ସଂସ୍କୃତିର ନିବିଡ଼ତାର ପ୍ରମାଣ ବୋଲି ଆଜି ‘ମନ୍ କୀ ବାତ୍’ ୯୪ତମ ସଂସ୍କରଣରେ ‘ଛଠ୍ ଅଭିନନ୍ଦନ’ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବ୍ୟାପକ ଆକାରରେ ସୌରଶକ୍ତି ଉପଯୋଗ କରୁଛି। ଏଥିରେ ଆମ ଦେଶର ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଜୀବନଯାପନରେ ରୂପାନ୍ତରଣ ହେଉଛି। ଏବେ ଦେଶର ପ୍ରଥମ ସୌରଶକ୍ତି ଗାଁ ବୋଲି ଘୋଷଣା କରାଯାଇଥିବା ମୋଧେରା ଗ୍ରାମବାସୀଙ୍କ ସହିତ ପ୍ରଧାନମନ୍ତ୍ରୀ ଆଳାପ କରିଛନ୍ତି। ସେ କହିଛନ୍ତି, ଗୁଜରାଟର ମୋଧେରାର ଗାଁର ସବୁ ଘର ସୌରଶକ୍ତିରୁ ବିଜୁଳି ଶକ୍ତି ଉତ୍ପାଦନ କରୁଛନ୍ତି। ଏହା ଗୋଟାଏ ବିଶେଷ ସଫଳତା।
ମହାକାଶ ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ ‘ଇସ୍ରୋ’ର କୃତ୍ବିତ୍ବକୁ ପ୍ରଶଂସା କରି କହିଛନ୍ତି, ଭାରତ ଏକକାଳୀନ ମହାଶୂନ୍ୟରେ ୩୬ଟି କୃତ୍ରିମ ଉପଗ୍ରହ ସ୍ଥାପନ କରିଛି। ଏହା ଆମ ଯୁବାଙ୍କ ତରଫରୁ ଦେଶ ପ୍ରତି ବିଶେଷ ଦୀପାବଳି ଉପହାର। ଏହାଦ୍ବାରା, କଶ୍ମୀରରୁ କନ୍ୟାକୁମାରୀ ଏବଂ କଚ୍ରୁ କୋହିମା ପର୍ଯ୍ୟନ୍ତ ସମଗ୍ର ଦେଶରେ ଡିଜିଟାଲ୍ ସଂଯୋଗ ଅଧିକ ସୁଦୃଢ଼ ହେବ।
Image Courtesy of Wikipediaଯୁବାମାନଙ୍କ ପାଇଁ ମହାକାଶ କ୍ଷେତ୍ର ଉନ୍ମୁକ୍ତ ହେବା ପରେ ଏହି କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆରମ୍ଭ ହୋଇଛି। ଏହି କ୍ଷେତ୍ରରେ ‘ଷ୍ଟାର୍ଟ-ଅପ୍’ ନବ ଉଦ୍ଭାବନ ଓ ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରୁଛନ୍ତି।
ଛାତ୍ରଶକ୍ତି ଭାରତକୁ ଶକ୍ତିଶାଳୀ କରୁଛି କହି ପ୍ରଧାନମନ୍ତ୍ର କହିଛନ୍ତି, ଭାରତକୁ ଶକ୍ତିଶାଳୀ କରିବାର ଆଧାର ହେଉଛି ଛାତ୍ରଶକ୍ତି। ଆଜିର ଯୁବାମାନେ ହିଁ ଆଗାମୀ ବର୍ଷମାନଙ୍କରେ ଭାରତକୁ ନବ ଉତ୍ତୁଙ୍ଗକୁ ନେଇଯିବେ।
ପରିବେଶ ପ୍ରତି ବିଚାରଶୀଳ ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରିୟ ଦେଶବାସୀ, ସମାଜର କୋଣେଅନୁକୋଣେ ପରିବେଶ ପ୍ରତି ବିଚାରଶୀଳତା ଭରି ରହିଥିବାରୁ ଆମେ ତାହା ଅନୁଭବ କରିପାରିବା। ଆମ ଦେଶରେ ପରିବେଶ ସୁରକ୍ଷା ପାଇଁ ଜୀବନ ଲଗାଇ ଦେଉଥିବା ଜନତାଙ୍କ ଅଭାବ ନାହିଁ।
ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ନିମନ୍ତେ ବ୍ୟକ୍ତିଗତ ଓ ମିଳିତ ପଦକ୍ଷେପ ବାବଦରେ ସୁନିଶ୍ଚିତ ହେବା ପାଇଁ ଭାରତ ନେତୃତ୍ବାଧୀନ ବୈଶ୍ବିକ ଗଣ ଆନ୍ଦୋଳନ ‘ମିସନ୍ ଲାଇଫ୍’ (ପରିବଶେ ରକ୍ଷା ପାଇଁ ଜୀବନଶୈଳୀ) ପଢ଼ିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇ ମୋଦୀ କହିଛନ୍ତି, ଆମ ଗୁରୁମାନଙ୍କ ଚିନ୍ତାଧାରାରୁ ସଦାସର୍ବଦା ଶିକ୍ଷାଲାଭ କରିବାକୁ ପଡ଼ିବ, ସେମାନଙ୍କ ପ୍ରତି ବିଶ୍ବସ୍ତ ହୁଅନ୍ତୁ। ଏହା ପୁଣି କାର୍ତ୍ତିକ ପୂଣ୍ଣମୀର ସମୟ। ଏ ସମୟରେ ଆମେ ତୀର୍ଥକ୍ଷେତ୍ର, ନଦୀରେ ସ୍ନାନ କରି ସେବା ଓ ଦାନପୂଣ୍ୟ କରୁଁ। କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା। ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
Follow Us