Image Courtesy of India Today
ମୁମ୍ବାଇ: ଗୃହ ମନ୍ତ୍ରାଳୟ କର୍ମଚାରୀ ଭାବେ ପରିଚୟ ଦେଇ ଅମିତ ଶାହଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ କରିଥିବା ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ବାସଭବନକୁ ଯାଇଥିବା ବେଳେ ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କର ବ୍ୟକ୍ତିଗତ ସହକାରୀ ଭାବେ କାର୍ଯ୍ୟ କରୁଥିବା ଉକ୍ତ ବ୍ୟକ୍ତିଜଣକ ତାଙ୍କ ସୁରକ୍ଷା ବ୍ୟବସ୍ଥା ଭେଦ କରିଯାଇଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ମଙ୍ଗଳବାର ଦିନ ଘଟିଥିଲା। ୩୨ ବର୍ଷିୟ ହେମନ୍ତ ପାୱାର୍ ନାମକ ଉକ୍ତ ବ୍ୟକ୍ତିଜଣକ ମୁମ୍ବାଇର ମାଲାବାର୍ ହିଲ୍ସ୍ରେ ଥିବା ସାଗର ବଙ୍ଗଳାରେ ଅମିତ ଶାହଙ୍କ ନିରାପତ୍ତା ବଳୟ ପାଖରେ ସନ୍ଦେହଜନକ ଭାବେ ବୁଲୁଥିଲେ। ତାଙ୍କ ପାଇଁ ଉଦ୍ଦିଷ୍ଟ ନ ଥିବା ‘ଏମ୍ଏଚ୍ଏ’ର ଗୋଟାଏ ବ୍ୟାଣ୍ଡ୍ ମଧ୍ୟ ସେ ପରିଧାନ କରିଥିଲେ।
Image Courtesy of Oneindiaମଙ୍ଗଳବାର ଦିନ ଶାହ ଏବଂ ଫଡ଼ନବୀସଙ୍କ ସାକ୍ଷାତ୍ସ୍ଥଳୀ ନିକଟରେ ସନ୍ଦେହଜନକ ଭାବେ ବୁଲୁଥିବା ବ୍ୟକ୍ତିଜଣକୁ ଖୋଜି ବାହାର କରିବା ଲାଗି ପୁଲିସ ଉଦ୍ୟମ ଚଳାଇବା ସହ ୩ ଘଣ୍ଟା ମଧ୍ୟରେ ତାଙ୍କୁ ଠାବ କରିଥିଲା। ସେତେବେଳକୁ ସେ ବ୍ୟକ୍ତିଜଣକ ତାଙ୍କ ବାସସ୍ଥାନ ମହାରାଷ୍ଟ୍ରର ଧୁଲେକୁ ଯିବା ପାଇଁ ପ୍ରସ୍ତୁତି କରୁଥିଲେ।
ପୁଲିସ କହିବା ଅନୁସାରେ, ପାୱାର୍ ଜଣେ ଆନ୍ଧ୍ର ସାଂସଦଙ୍କର ବ୍ୟକ୍ତିଗତ ସହକାରୀ ରୂପେ କାର୍ଯ୍ୟ କରନ୍ତି ଓ ସଂସଦ ମଧ୍ୟକୁ ପ୍ରବେଶ କରିବା ପାଇଁ ତାଙ୍କ ନିକଟରେ ‘ପାସ୍’ ଅଛି। କିନ୍ତୁ, ‘ଏମ୍ଏଚ୍ଏ ଷ୍ଟ୍ରାପ୍’ ପରିଧାନ କରିବାକୁ ତାଙ୍କୁ ଅନୁମତି ମିଳି ନ ଥିବାରୁ ସେ ଗୋଟିକ ନକଲି ହୋଇଥାଇ ପାରେ।
ବରିଷ୍ଠ ନେତାମାନଙ୍କ ସହିତ ତାଙ୍କର ପରିଚୟ ଅଛି ଏବଂ ସେ ‘ଗୃହ ବ୍ୟାପାର ମନ୍ତ୍ରାଳୟ’ରେ କାର୍ଯ୍ୟ କରୁଛନ୍ତି ବୋଲି କେତେକ ଲୋକଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।
Follow Us