ଦେଶରେ ୪ର୍ଥ ‘ମଙ୍କିପକ୍ସ୍‌’ ସଂକ୍ରମଣ: ବିଦେଶ ନ ଯାଇ ମଧ୍ୟ ଦିଲ୍ଲୀ ବାସିନ୍ଦା ‘ମଙ୍କିପକ୍ସ୍‌’ ପଜିଟିଭ୍‌

ଦେଶରେ ୪ର୍ଥ ‘ମଙ୍କିପକ୍ସ୍‌’ ସଂକ୍ରମଣ: ବିଦେଶ ନ ଯାଇ ମଧ୍ୟ ଦିଲ୍ଲୀ ବାସିନ୍ଦା ‘ମଙ୍କିପକ୍ସ୍‌’ ପଜିଟିଭ୍‌

Image Courtesy of India Today

ନୂଆଦିଲ୍ଲୀ: ବିଦେଶ ଯାତ୍ରା ନ କରି ମଧ୍ୟ ଦିଲ୍ଲୀର ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ରୋଗରେ ଆକ୍ରାନ୍ତ ହୋଇଥିବା କଥା ଆଜି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ଏହା ହେଉଛି ଦିଲ୍ଲୀରେ ଚିହ୍ନଟ ହୋଇଥିବା ପ୍ରଥମ ତଥା ଦେଶରେ ୪ର୍ଥ ‘ମଙ୍କିପକ୍ସ ଭାଇରସ୍‌’ ସଂକ୍ରମଣ। ସମ୍ପ୍ରତି ଉକ୍ତ ୩୧ ବର୍ଷିୟ ଆକ୍ରାନ୍ତଜଣକ ଦିଲ୍ଲୀର ମୌଲାନା ଆଜାଦ୍‌ ମେଡିକାଲ୍‌ କଲେଜରେ ଭର୍ତ୍ତି ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ‘ମଙ୍କିପକ୍ସ’ ଭୂତାଣୁଦ୍ବାରା ଆକ୍ରାନ୍ତ ବ୍ୟକ୍ତିଜଣକ ହିମାଚଳ ପ୍ରଦେଶର ମନାଲିରେ କେବଳ ପୁରୁଷମାନେ ଯୋଗ ଦେଉଥିବା ଏକ ବିବାହ ପାର୍ଟିରେ ଯୋଗ ଦେଇଥିଲେ। ଜ୍ବର ଏବଂ ଦେହରେ ଘା’ ହେବାରୁ ୩ ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପରୀକ୍ଷା ନିମନ୍ତେ ତାଙ୍କର ନମୁନା ଶନିବାର ଦିନ ପୁଣେସ୍ଥିତ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’କୁ ପଠାଯାଇଥିଲା। ସେ ମଙ୍କିପକ୍ସ୍‌ ଭୂତାଣୁଦ୍ବାରା ଆକ୍ରାନ୍ତ ବୋଲି ରିପୋର୍ଟ ପଜିଟିଭ୍‌ ଆସିବା ପରେ ଜଣାପଡ଼ିଛି।

publive-image Image Courtesy of Deccan Chronicle

ପୂର୍ବରୁ କେରଳରେ ୩ଟି ‘ମଙ୍କିପକ୍ସ’ ମାମଲା ଚିହ୍ନଟ ହୋଇଥିଲା।

ସୂଚନାଯୋଗ୍ୟ, ଶନିବାର ଦିନ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ‘ମଙ୍କିପକ୍ସ’କୁ ବୈଶ୍ବିକ ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଘୋଷଣା କରିବା ସହ ଏହା ଆନ୍ତର୍ଜାତିକ ଉଦ୍‌ବିଗ୍ନତାର କାରଣ ବୋଲି କହିଛନ୍ତି।

ସଂକ୍ରମିତ ପ୍ରାଣୀଙ୍କ ସହ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବାଦ୍ବାରା ‘ମଙ୍କିପକ୍ସ୍‌’ ଭୂତାଣୁ ମନୁଷ୍ୟ ଦେହକୁ ସଂକ୍ରମିତ ହୋଇଥାଏ। ‘ମଙ୍କିପକ୍ସ୍‌’ ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ ଏହି ରୋଗ ମଣିଷମାନଙ୍କ ଦେହକୁ ବ୍ୟାପିଥାଏ।

ସଂଗୃହୀତ ତଥ୍ୟ ଅନୁସାରେ, ବିଶ୍ବବ୍ୟାପୀ ୭୫ଟି ଦେଶରୁ ଏଯାବତ୍‌ ୧୬,୦୦୦ରୁ ଅଧିକ ‘ମଙ୍କିପକ୍ସ’ ମାମଲା ରିପୋର୍ଟ ହୋଇଛି। ଏଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe