ଷ୍ଟାଡିୟମରେ କୁକୁର ବୁଲାଇବା ଘଟଣାରେ ବଦଳି ହୋଇଥିବା ଆଇଏଏସଙ୍କ ସପକ୍ଷରେ ବାହାରିଲେ ବିଜେପି ସାଂସଦ ମାନେକା ଗାନ୍ଧୀ

ଷ୍ଟାଡିୟମରେ କୁକୁର ବୁଲାଇବା ଘଟଣାରେ ବଦଳି ହୋଇଥିବା ଆଇଏଏସଙ୍କ ସପକ୍ଷରେ ବାହାରିଲେ ବିଜେପି ସାଂସଦ ମାନେକା ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଖେଳାଳିଙ୍କୁ ବିଦା କରି ନିଜ କୁକୁର ବୁଲାଉଥିବା ଆଇଏଏସ ଅଧିକାରୀ ସଂଜୀବ ଖିରଓ୍ବାରଙ୍କୁ ଲଦାଖ ବଦଳି କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହା ସହିତ ତାଙ୍କ ପତ୍ନୀ ରିଙ୍କୁ ଡୁଗ୍ଗାଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରାଯାଇଥିଲା । ଏବେ ଏହି ଘଟଣାକୁ ନେଇ ଖୋଦ ବିଜେପି ସାଂସଦ ମାନେକା ଗାନ୍ଧୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି | ବିଜେପି ନେତ୍ରୀ ମାନେକା ଗାନ୍ଧୀ ଆଇଏଏସ ଦମ୍ପତ୍ତିଙ୍କୁ ଦିଲ୍ଲୀରୁ ବଦଳି କରିବା ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ମାନେକା ଗାନ୍ଧୀ କହିଛନ୍ତି ଯେ ଆଇଏଏସ୍ ଅଧିକାରୀ ସଞ୍ଜୀବ ଖିରୱାରଙ୍କ ବଦଳି ଦ୍ୱାରା ଦିଲ୍ଲୀର କ୍ଷତି ହେବ। ମାନେକା ଗାନ୍ଧୀ କହିଛନ୍ତି, 'ମୁଁ ଆଇଏଏସ୍ (ସଞ୍ଜୀବ) ଖିରୱାରଙ୍କୁ ଭଲଭାବେ ଜାଣିଛି ଏବଂ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା | ସେ ଜଣେ ଦକ୍ଷ, ଭଲ ଏବଂ ସଚ୍ଚୋଟ ଅଧିକାରୀ। ସୁଲତାନପୁରରୁ ସାଂସଦ ଥିବା

ମାନେକା ଗାନ୍ଧୀ କହିଛନ୍ତି ଯେ ସଞ୍ଜୀବ ଖିରୱାର ଲୋକଙ୍କ କଥା ଶୁଣନ୍ତି ଏବଂ ଦୋଷୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ । ସେଥିପାଇଁ ତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପୂର୍ଣ୍ଣ ଭୁଲ ନିଷ୍ପତ୍ତି | ଦିଲ୍ଲୀର ପରିବେଶ ବିଭାଗର ସଚିବ ଥିବାବେଳେ ତାଙ୍କଦ୍ୱାରା ଦିଲ୍ଲୀକୁ ବହୁତ ଲାଭ ମିଳିଥିଲା' |

ସୂଚନା ଥାଉ କି ତ୍ୟାଗରାଜ ଷ୍ଟାଡିୟମ୍‌ଟିକୁ ୨୦୨୦ ମସିହାରେ କମନୱେଲଥ୍‌ ଗେମ୍‌ ପାଇଁ ତିଆରି କରାଯାଇଥିଲା। ସେଠାରେ ଖେଳାଳି ଓ କୋଚମାନେ ରାତି ପ୍ରାୟ ୮.୩୦ ପର୍ଯ୍ୟନ୍ତ ଖେଳ ଅଭ୍ୟାସ କରୁଥିଲେ। ମାତ୍ର ଆଇଏଏସ୍‌ ଅଧିକାରୀ ତାଙ୍କ କୁକୁର ସହ ପଡ଼ିଆରେ ୱାକ୍‌ କରିବେ ବୋଲି ଖେଳାଳିମାନଙ୍କୁ ସଂଧ୍ୟା ୭ଟା ସୁଦ୍ଧା ପଡ଼ିଆ ଛାଡ଼ିବାକୁ କୁହାଯାଉଥିଲା ବୋଲି ଅଭିଯୋଗ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe