ଲକ୍‌ଡାଉନ୍‌ ଯୋଗୁଁ ରାତି ତିନିଟାରେ ସାଙ୍ଗକୁ ସୁଟ୍‌କେସ୍‌ରେ ପୂରାଇ ଆପାର୍ଟମେଣ୍ଟ୍‌କୁ ଆଣିଲା ସାଙ୍ଗ

Advertisment
ଲକ୍‌ଡାଉନ୍‌ ଯୋଗୁଁ ରାତି ତିନିଟାରେ ସାଙ୍ଗକୁ ସୁଟ୍‌କେସ୍‌ରେ ପୂରାଇ ଆପାର୍ଟମେଣ୍ଟ୍‌କୁ ଆଣିଲା ସାଙ୍ଗ

Image Source: The Indian Express

ମାଙ୍ଗାଲୁରୁ: କୋଭିଡ୍-୧୯ ସଂକ୍ରମଣଜନିତ ଲକ୍‌ଡାଉନ୍‌ ଯୋଗୁଁ ଆପାର୍ଟ‌ମେଣ୍ଟ୍ ମଧ୍ୟକୁ ବାହାର ବ୍ୟକ୍ତିବିଶେଷଙ୍କ ପ୍ରବେଶ ଉପରେ ନିଷିଦ୍ଧାଦେଶ ଜାରି କରାଯାଇଥିବାରୁ ଜଣେ ୧୭ ବର୍ଷିୟ ତରୁଣ ତା’ର ଜଣେ ସାଙ୍ଗକୁ ସୁଟ୍‌କେସ୍‌ ମଧ୍ୟରେ ପୂରାଇ ଘରକୁ ଆଣିଛନ୍ତି।

ଘଟଣାଟି ରବିବାର ପାହାନ୍ତାରେ ‌ମାଙ୍ଗାଲୁରୁ ସହରର ଏକ ଆପାର୍ଟମେଣ୍ଟ୍ରେ ଘଟିଛି।

ପୁଲିସସୂତ୍ରରୁ ପ୍ରକାଶ ଯେ ତରୁଣଜଣକ ନିଜର ଜଣେ କ୍ଲାସ୍‌ମେଟ୍ ଠାରୁ ବାକି ରହିଯାଇଥିବା ପଢ଼ାପଢ଼ି ବିଷୟରେ ବୁଝାବୁଝି କରିବାକୁ ଚାହୁଁଥିଲେ। ସେଥିପାଇଁ ସେ ତାଙ୍କ ବନ୍ଧୁଙ୍କୁ ଆପାର୍ଟମେଣ୍ଟ୍‌କୁ ଆସିବାକୁ ଅନୁମତି ଦେବା ପାଇଁ ଥରକୁ ଥର ଆପାର୍ଟମେଣ୍ଟ୍ ଆସୋସିଏସନ୍‌କୁ ଅନୁରୋଧ କରିଥିଲେ। କିନ୍ତୁ, ଆସୋସିଏସନ୍ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେଣୁ ସେ ଏ ଭଳି ବିଚିତ୍ର ଉପାୟ ବାହାର କରିଥିଲେ।

publive-image Representative Image Source: Hindustan Times

ବିଶେଷସୂତ୍ରରୁ ପ୍ରକାଶ ଯେ ରବିବାର ରାତି ପ୍ରାୟ ୨ଟା ବେଳେ ସେ ୧୭ ବର୍ଷିୟ ତରୁଣ ଗୋଟାଏ ପ୍ରକାଣ୍ଡ ସୁଟ୍‌କେସ୍ ନେଇ ସ୍କୁଟର୍ ଚଢ଼ି ବାହାରକୁ ଯାଇଥିଲେ। ପାଖ ଅଞ୍ଚଳରେ ବାସ କରୁଥିବା ତାଙ୍କ ବନ୍ଧୁଙ୍କୁ ସ୍କୁଟର୍‌ରେ ବସାଇ ଆପାର୍ଟମେଣ୍ଟ୍ ପରିସରକୁ ଫେରିଥିଲେ। ଆପାର୍ଟମେଣ୍ଟ୍ କୋଠା ବାହାରେ ସ୍କୁଟର୍‌ ରଖି ସେ ତାଙ୍କ ବନ୍ଧୁଙ୍କୁ ସୁଟ୍‌କେସ୍ ମଧ୍ୟରେ ପୂରାଇଥିଲେ ଏବଂ ତାହାକୁ ଘୋଷାରି ଘୋଷାରି ଆପାର୍ଟମେଣ୍ଟ୍‌କୁ ନେଇଥିଲେ।

କଥା ଦେଖିଥିବା ସିକ୍ୟୁରିଟି ଗାର୍ଡମାନେ ରାତି ପାହିବାକ୍ଷଣି ଆପାର୍ଟମେଣ୍ଟ୍ ଆସୋସିଏସନ୍‌କୁ ଜଣାଇଥିଲେ। ତେଣେ, ସକାଳ ପ୍ରାୟ ୮: ୩୦ ବେଳେ ସେ ତରୁଣ ଏବଂ ସୁଟ୍‌କେସ୍‌ରେ ଆସିଥିବା ତାଙ୍କୁ ବନ୍ଧୁ ବାହାରକୁ ଆସି ବୁଲାବୁଲି କରିଥିଲେ। ଏହା ଦେଖି ଗାର୍ଡମାନେ ପୁଣି ଥରେ ଆସୋସିଏସନ୍ ସଭାପତିଙ୍କୁ ଏ ବିଷୟ ଜଣାଇଲେ।

ପରେ ତରୁଣଜଣକ ସ୍ବୀକାର କରିଥିଲେ କି, ରାତି ୨ଟାରୁ ୩ଟା ମଧ୍ୟରେ ସେ ତାଙ୍କ ବନ୍ଧୁଙ୍କୁ ସୁଟ୍‌କେସ୍‌ରେ ଲୁଚାଇ ଆଣିଥିଲେ। ଆସୋସିଏସନ୍ ପୁଲିସକୁ ଖବର ଦେବା ପରେ ମାଙ୍ଗାଲୁରୁ ପୂର୍ବ ଥାନାରେ ମାମଲା ରୁଜୁ କରାଯାଇଛି। ଦୁଇ ନାବାଳକ ତରୁଣଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡଙ୍କ ଆଗରେ ହାଜାର କରାଯିବ।

ଏଠାରେ ପ୍ରକାଶଯୋଗ୍ୟ କି, ସେ ତରୁଣ ଶନିବାର ଦିନ ଆପାର୍ଟମେଣ୍ଟ‌୍‌ରେ ଏକାକୀ ଥିଲେ। ବାହାରେ ଥିବା ତାଙ୍କ ପିତାମାତାଙ୍କୁ ପୁଲିସ ଏ କଥା କହିବା ପରେ ସେମାନେ ମଧ୍ୟ ଆଚମ୍ବିତ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe