Image Source: Hindustan Times
ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବିରୋଧରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋର୍ଟରେ ଅନେକ ଗୁରୁତର ତଥ୍ୟ ରଖିଛନ୍ତି। ଅବକାରୀ ଦୁର୍ନୀତିରେ ସିସୋଦିଆଙ୍କ ସିଧାସଳଖ ସଂପୃକ୍ତି ରହିଛି ଏବଂ ସେ ତାଙ୍କ ଫୋନ୍ ବାରମ୍ବାର ବଦଳାଇବା ସହ ପ୍ରମାଣ ନଷ୍ଟ କରିଛନ୍ତି ବୋଲି ଇଡି ଅଦାଲତଙ୍କୁ ଜଣାଇଛନ୍ତି। ଅବକାରୀ ମନ୍ତ୍ରାଳୟ ଦାୟିତ୍ବରେ ଥିବା ସିସୋଦିଆ ଏବଂ ଆଜି ଗିରଫ ହୋଇଥିବା ଦିଲ୍ଲୀ ବ୍ୟବସାୟୀ ଅମିତ ଆରୋରା ଅବକାରୀ ଦୁର୍ନୀତି ସମୟରେ୧୧ଟି ଫୋନ୍ ବଦଳାଇଛନ୍ତି।
ମଦ ଦୁର୍ନୀତି ଚାଲିଥବା ସମୟରେ ହିଁ ସମାନ୍ତରାଳ ଭାବେ ସେମାନେ ସବୁ ପ୍ରମାଣ ନଷ୍ଟ କରିବା ପାଇଁ ଯୋଜନାବଦ୍ଧ ଭାବେ କାମ କରିଛନ୍ତି। ଆରୋରା ଏବଂ ସିସୋଦିଆ ମୋଟ ୧.୩୮ କୋଟି ଟଙ୍କାର ଫୋନ୍ ନଷ୍ଟ କରିଛନ୍ତି ବୋଲି କୋର୍ଟରେ ତଥ୍ୟ ରଖାଯାଇଛି। ଅମିତ ଆରୋରାଙ୍କୁ ଆଜି ୭ ଦିନ ପାଇଁ ଇଡି ହାଜତକୁ ପଠାଯାଇଛି। ସିସୋଦିଆଙ୍କର ଅତି ଘନିଷ୍ଠ କୁହାଯାଇଥିବା ଆରୋରା ଜଣେ ମଦ ବେପାରୀଙ୍କଠାରୁ ୨.୫ କୋଟି ଟଙ୍କା ନେଇଥିବା ସଂକ୍ରାନ୍ତ ବଳିଷ୍ଠ ପ୍ରମାଣ ରହିଛି । ଅବକାରୀ ବିଭାଗ ଅଧିକାରୀମାନଙ୍କୁ ମଧ୍ୟ ଲାଞ୍ଚ ଦିଆଯାଇଥିବା ନେଇ ପ୍ରମାଣ ହାସଲ ହୋଇଥିବା ଇଡି ଅଦାଲତଙ୍କୁ ଜଣାଇଛି।
Follow Us