ମୁଁ ପ୍ରଧାନମନ୍ତ୍ରୀ ହେଲାବେଳେ ପ୍ରଣବ ଖୁସିନଥିଲେ: ମନମୋହନ

Advertisment
ମୁଁ ପ୍ରଧାନମନ୍ତ୍ରୀ ହେଲାବେଳେ ପ୍ରଣବ ଖୁସିନଥିଲେ: ମନମୋହନ

ନୂଆଦିଲ୍ଲୀ:     ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି କହିଛନ୍ତି ଯେ ୨୦୦୪ରେ ୟୁପିଏ ସରକାରରେ ମତେ ପ୍ରଧାନମନ୍ତ୍ରୀ କରାଯିବା ପରେ  ପ୍ରଣବ ମୁଖାର୍ଜୀ ଖୁସି ନଥିଲେ। ସୋନିଆ ଗାନ୍ଧୀ ମତେ ପ୍ରଧାନମନ୍ତ୍ରୀ କରିବା ପାଇଁ ଚୟନ କରିଥିଲେ। ପ୍ରଣବ  ଏହି ପଦ ପାଇଁ ସବୁଦିଗରୁ ମୋଠାରୁ ଯୋଗ୍ୟଥିଲେ। କିନ୍ତୁ ମୋର ଚୟନ ପ୍ରକ୍ରିୟା ଉପରେ ମୁଁ କିଛି କରିପାରିବି ନାହିଁ ବୋଲି ସେ ଜାଣିଥିଲେ। ମୋ ପାଖରେ  ସେତେବେଳେ ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି ମନମୋହନ କହିଛନ୍ତି। ଆଜି ଦିଲ୍ଲୀରେ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନୂତନ ପୁସ୍ତକ ‘ଦ କୋଆଲିସନ ଇୟର୍ସ ୧୯୯୬-୨୦୧୨)ର ଉନ୍ମୋଚନ ଉତ୍ସବରେ ଯୋଗଦେଇ ମନମୋହନ କହିଛନ୍ତି ଯେ ପ୍ରଣବ ମୋଠାରୁ ରାଜନୀତିରେ ସବୁଦିଗରୁ ବରିଷ୍ଠ ଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମତେ ଚୟନ କରାଯାଇଥିଲା। ତେବେ ଏହା ସତ୍ତ୍ୱେ ଆମ ସଂପର୍କରେ କୌଣସି ଫରକ୍‌ ପଡ଼ିନଥିଲା। ପ୍ରଣବ ନିଜ ପସନ୍ଦରେ ରାଜନୀତିକୁ ଆସିଥିଲେ, ମୁଁ ଘଟଣାଚକ୍ରରେ ରାଜନୀତିକୁ ଆସିଥିଲି ବୋଲି ମନମୋହନ କହିଛନ୍ତି।

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ  କଂଗ୍ରେସ ଅଧ୍ୟାକ୍ଷା ସୋନିଆ ଗାନ୍ଧୀ, ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ମନମୋହନଙ୍କ ଖୋଲା ସ୍ୱୀକାରୋକ୍ତିରେ ସୋନିଆ ଏବଂ ରାହୁଲ ହସରେ ଉଛୁଳି ପଡ଼ିଥିଲେ।  ମନମୋହନ ପ୍ରଣବଙ୍କ ସହିତ ତାଙ୍କ ସଂପର୍କକୁ ସ୍ମରଣ କରି କହିଥିଲେ ଯେ ପ୍ରଣବ ହେଉଛନ୍ତି ଦେଶର ଜଣେ ମହାନ ରାଜନେତା । ଉଭୟ ଦଳ ଏବଂ ୟୁପିଏ ସରକାରଙ୍କ ସଙ୍କଟମୋଚକ ଭାବେ ସେ ନିଜକୁ ପ୍ରମାଣିତ କରିଥିଲେ। କୌଣସି ସମସ୍ୟାରେ ଆମେ ଛନ୍ଦି ହୋଇଗଲେ ପ୍ରଣବଙ୍କ ବିଜ୍ଞତା ଓ ଅଭିଜ୍ଞତା ଆମକୁ ସେଥିରୁ ଉଦ୍ଧାର କରୁଥିଲା ବୋଲି ମନମୋହନ କହିଥିଲେ।

ଏହି ଅବସରରେ ପ୍ରଣବ କହିଥିଲେ ଯେ ତାଙ୍କର ଏହି ପୁସ୍ତକରେ ସେ  ଦେଶର ରାଜନୀତିରେ ମେଣ୍ଟ ସରକାରର କାର୍ଯ୍ୟକାଳ ସଂପର୍କରେ ଉଲ୍ଲେଖ କରିଛନ୍ତି। ଏଥିରେ  ସେ କୌଣସି ବ୍ୟକ୍ତିଗତ କଥା ସାମ୍ନାକୁ ଆଣିନାହାନ୍ତି। ମେଣ୍ଟ ସରକାର ଚଳାଇବା ବହୁତ କଷ୍ଟ ଥିଲେ ମଧ୍ୟ ସବୁକିଛି ସୁରୁଖୁରୁରେ ଚାଲିଥିଲା ବୋଲି ସେ କହିଛନ୍ତି। ଦେଶର ରାଜନୈତିକ ଇତିହାସରେ ମେଣ୍ଟ ସରକାରର କାର୍ଯ୍ୟକାଳ ବହୁତ ଘଟଣାବହୁଳ ଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe