ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୬୨ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଚାଲିଥିବା ହୁନର୍ ହାଟ, ମହାକାଶ ଗବେଷଣା, ଦେଶର ବgବିଧତା, ବୈଷୟିକ ଜ୍ଞାନକୌଶଳ ଆଦି ପ୍ରସଙ୍ଗ ଉଲ୍ଲେଖ କରିବା ସହ ଯେଉଁ ଦେଶ ‘ଫିଟ୍’ ରହିବ ସେହି ଦେଶ ହିଁ ‘ହିଟ୍’ ହେବ କହିଛନ୍ତି। ଦେଶ ପୁରୁଣା ଢାଞ୍ଚାରେ ଆଉ ଚାଲିବ ନାହିଁ ଏବଂ ନୂତନ ଚିନ୍ତାଧାରାରେ ଏହା ଆଗକୁ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଗତ ୩ ବର୍ଷ ମଧ୍ୟରେ ହୁନର ହାଟ ମାଧ୍ୟମରେ ୩ ଲକ୍ଷ କାରିଗର, ଶିଳ୍ପକାରଙ୍କୁ ରୋଜଗାରର ନୂତନ ସୁଯୋଗ କିଭଳି ମିଳିଛି ସେ ସଂପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ହୁନର ହାଟ କଳା ପ୍ରଦର୍ଶନ ପାଇଁ ଏକ ଶ୍ରେଷ୍ଠ ମଂଚ ବୋଲି ମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଲୋକଙ୍କ ସ୍ବପ୍ନ ପୂରଣରେ ସହାୟକ ହେଉଛି ଏବଂ ବ୍ୟାପକ ସୁଯୋଗ ସୃଷ୍ଟି କରିଛି।। ପ୍ରଧାନମନ୍ତ୍ରୀ ଆଜି ‘ମନ୍ କୀ ବାତ୍’ରେ କାମ୍ୟା କାର୍ତ୍ତିକେୟନଙ୍କ ପ୍ରସଙ୍ଗ ଉଠାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୨ ବର୍ଷର ଝିଆ କାମ୍ୟା ୭୦୦୦ ମିଟର ଉଚ୍ଚ ଏକ୍ନାଙ୍କାଗୁଆ ଗିରିଶୃଙ୍ଗ ସଫଳତାର ସହ ଆରୋହଣ କରି ନୂଆ ରେକର୍ଡ କରିଛନ୍ତି। କାମ୍ୟା ଗତ ୧ ତାରିଖ ଦିନ ଏହି ଗିରିଶୃଙ୍ଗରେ ଭାରତର ତ୍ରିରଙ୍ଗା ଉଡ଼ାଇଥିଲେ। ଏହା ସହିତ ୧୦୫ ବର୍ଷରେ ବି ଅଧ୍ୟୟନ ଜାରି ରଖିଥିବା ମହିଳା ଭାଗିରଥୀ ଆମ୍ମାଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମହିଳା ତାଙ୍କର ପ୍ରବଳ ଇଚ୍ଛା ଶକ୍ତି ଯୋଗୁଁ ନିଜ ଭିତରେ ଥିବା ବିଦ୍ୟାର୍ଥୀକୁ ଜୀବିତ ରଖିପାରିଛନ୍ତି।
ଯୁବ ଗୋଷ୍ଠୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଯୁବ ଗୋଷ୍ଠୀ ନିଜ ଜୀବନକୁ ଦୁଃସାହସିକ କ୍ରୀଡ଼ା ସହ ଯୋଡ଼ିବା ଆବଶ୍ୟକ। ଦେଶରେ ଘନ ଜଙ୍ଗଲ ଭରପୂର ରହିବା ସହ ବ୍ୟାପକ ସମୁଦ୍ର ବେଳାଭୂମି ମଧ୍ୟ ରହିଛି। ଆମର ଜୈବ ବିବିଧତା ଏକ ସ୍ବତନ୍ତ୍ର ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଏହାର ସୁରକ୍ଷା ଦିଗରେ ଗୁରୁତ୍ବାରୋପ କରିଥିଲେ। ଅନ୍ତରୀକ୍ଷ ଗବେଷଣା ଏବଂ ବାବଦରେ ଭାରତର ଉପଲବ୍ଧିକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
Follow Us