ଚନ୍ଦ୍ରପୁର: ଛତିଶଗଡ଼ରୁ ମହାରାଷ୍ଟ୍ର,ଓଡ଼ିଶା, ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ଡୋମ୍ବାରି ପରିବାର ଖରା, ବର୍ଷା, ପବନକୁ ନିଘା ନକରି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବାଉଁଶ ରାଣୀ ଖେଳ ପ୍ରଦର୍ଶନ କରିଥାନ୍ତି।
ପାଦରେ ସାଇକେଲ ରିମ୍, ହାତରେ କେତେବେଳେ ବାଲାନ୍ସ ଷ୍ଟିକ୍, କେତେବେଳେ ମୁଣ୍ଡରେ ଜଗ୍ ଏବଂ ପାଦ ତଳେ ରଶି ଧରି, ସେ ଏଣେତେଣେ ଦଉଡ଼ି ନ ଘୁଞ୍ଚାଇ ଅସାଧାରଣ ଏକାଗ୍ରତାର ସହିତ ଦଉଡ଼ି ଉପରେ ଆଗକୁ ପଛକୁ ଘୁଞ୍ଚୁଥିଲା। ତେବେ କାହିଁକି? କ’ଣ ପାଇଁ? ଏହାର ଏକ ମାତ୍ର ଉତ୍ତର କେବଳ ପେଟ ପୋଷିବା ପାଇଁ!
ଏହି ଦୁଃସାହସିକ ବାଉଁଶ ରାଣୀ ଖେଳ ଦେଖିବା ସମୟରେ ଦର୍ଶକଙ୍କୁ କିଛି ବାର୍ତ୍ତା ଦେଇଥାଏ। ତାହା ହେଉଛି ଆଜି ମଧ୍ୟ ଦାରିଦ୍ର୍ୟତାରେ ସଢୁଥିବା ଲୋକ ଏବଂ ଧନୀକଙ୍କ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ରହିଛି। ଏହି ପାର୍ଥକ୍ୟ କେବେ ଶେଷ ହେବ ଏବଂ ଏହି ଛୋଟ ପିଲାମାନେ କେବେ ନିଜ ଜୀବନ ସହିତ ଖେଳିବା ବନ୍ଦ କରିବେ? ଏହା ଏକ ପ୍ରଶ୍ନ। ଡୋମ୍ବାରି ସମ୍ପ୍ରଦାୟର ଛୋଟ ପିଲାମାନେ କେବଳ ଦୁଇମୁଠା ଖାଦ୍ୟ ଏବଂ ପରିବାର ପ୍ରତିପାଳନ ପାଇଁ ଏଭଳି ଜୀବନଘାତକ ଦୁଃସାହସିକ ବାଉଁଶ ରାଣୀ ଖେଳ ପ୍ରଦର୍ଶନ କରିଥାନ୍ତି। ସରକାର କେବଳ ସମ୍ପ୍ରଦାୟର ବିକାଶ ପାଇଁ ବଡ଼ ବଡ଼ କଥା କୁହନ୍ତି କିନ୍ତୁ ଏହା ପଛରେ ଥିବା ବାସ୍ତବତା ଅନ୍ୟ କିଛି ରହିଛି ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କରିଥାନ୍ତି।
ଡୋମ୍ବାରି ସମାଜର ଏଭଳି କେତେକ ପରିବାରର ଦୁଃଖ ଅନେକ ଲୋକଙ୍କ ଆଖିରେ ଲୁହ ଭରିଦେଇଥାଏ। ଏହି ଛୋଟ ପିଲାମାନେ ଭୋକିଲା ପେଟ ପାଇଁ ସାରା ଜୀବନ କଠିନ ପରିଶ୍ରମ କରନ୍ତି। ନିଜ ଉପରେ ନିର୍ଭରଶୀଳ ହୋଇ ନଥିବା ପିଲା ଶୈଶବ ବୟସରେ ନିଜ ପରିବାରଙ୍କ କିଛି ଲୋକଙ୍କ ପେଟ ପୋଷିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ଡୋମ୍ବାରି ସମାଜର ସେହି ଛୋଟ ପିଲାଙ୍କ ଖେଳ ଦେଖି ପ୍ରଶ୍ନ ଉଠେ ଏହି ପରିସ୍ଥିତି ପାଇଁ କିଏ ଦାୟୀ? ସେମାନଙ୍କ ଦିଗହରା ଜୀବନରେ ଆଖିରେ ଆଖିଏ ସପନ ରହିଥାଏ। ତେବେ ଦଉଡ଼ି ଉପରେ ସେମାନଙ୍କର ଅବହେଳିତ ଶୈଶବ ବିତି ଚାଲିଥାଏ।
କେନ୍ଦ୍ର ଏବଂ ରାଜ୍ୟ ସରକାର ସ୍କୁଲ ଛାଡୁଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟଧାରାରେ ସାମିଲ କରିବା ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ କରୁଥିବା ବେଳେ, ବାସ୍ତବତା ଭିନ୍ନ ରହିଛି ବୋଲି ବୁଦ୍ଧଜୀବୀ କହିଥାନ୍ତି। ପାଞ୍ଚ ବର୍ଷର ବାଳୁତ ପିଲାମାନଙ୍କୁ ଜୀବନ ପ୍ରତି ବିପଦପୂର୍ଣ୍ଣ ଥିବା ଷ୍ଟଣ୍ଟ୍ କରିବାକୁ ପଡ଼ିଥାଏ। ଏଭଳି ଦୁଃସାହସିକ ବାଉଁଶ ରାଣୀ ଖେଳ ମାଧ୍ୟମରେ ସେମାନଙ୍କୁ ବଞ୍ଚିବାକୁ ବାଧ୍ୟ ହେଉଥିବା ଦେଖି, ଦାରିଦ୍ର୍ୟତା ହଟିଛି ନା ନାହିଁ ମନକୁ ଆସେ ବୋଲି ବୁଦ୍ଧିଜୀବୀ କହିଥାନ୍ତି। ଡୋମ୍ବାରିଙ୍କ ଘରେ ପିଲା ଜନ୍ମ ହେବା ପରେ, ତାଙ୍କୁ ଛୋଟ ବୟସରୁ ଦୁଃସାହସିକ ବାଉଁଶ ରାଣୀ ଖେଳର ତାଲିମ ଦିଆଯାଇଥାଏ। ସାଇକେଲର ରିମ୍ ଭିତରକୁ ଏବଂ ବାହାରକୁ ସମ୍ପୂର୍ଣ୍ଣ ଶରୀର ପ୍ରବେଶ କରାଇବା, ବାଡ଼ି ସାହାଯ୍ୟରେ ଦଉଡ଼ି ଉପରେ ଚାଲିବା ଇତ୍ୟାଦି ଖେଳ ପିଲାମାନଙ୍କୁ ଛୋଟ ବୟସରୁ ଶିଖାଯାଇଥାଏ। ପାଠପଢ଼ିବା ବୟସରେ ଛୋଟ ପିଲାଙ୍କୁ ସ୍କୁଲ ବଦଳରେ ଘରେ ଦୁଃସାହସିକ ବାଉଁଶ ରାଣୀ ଖେଳର ତାଲିମ ଦିଆଯାଇଥାଏ।
ଅଧିକ ପଢ଼ନ୍ତୁ: ଦେହବେପାର ଅଭିଯୋଗ: ଅଭିନେତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିଦେଲା, ଜେଲ ଯିବାକୁ ପଡିଲା, ଫୋନ୍ ରେକର୍ଡ ସୃଷ୍ଟି କରିଥିଲା ଚାଞ୍ଚଲ୍ୟ
ଯଦିଓ ସମାଜର କିଛି ବର୍ଗର ସ୍ୱର ସରକାରଙ୍କ ପାଖରେ ପହଞ୍ଚିଛି ଯେ ଏହି ସମାଜର ଉନ୍ନତି ହେବା ଉଚିତ୍, କିନ୍ତୁ ଦେଖାଯାଇଛି ଯେ, ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି। ଡୋମ୍ବାରି ସମ୍ପ୍ରଦାୟର ଛୋଟ ଝିଅମାନେ ଏପରି କୁଶଳୀ ବ୍ୟାୟାମ କରିଥାନ୍ତି ଯାହାକୁ ଦେଖି ଅଲିମ୍ପିକ୍ ଖେଳାଳିମାନେ ମଧ୍ୟ ଘଡ଼ିଏ ଚାହିଁ ରହିବେ। ସେମାନଙ୍କୁ ଖେଳରେ ଉପଯୁକ୍ତ ତାଲିମ୍ ପ୍ରଦାନ କଲେ ହୁଏତ ଭାରତ ଖେଳରେ ବହୁ ପଦକ ଜିତି ପାରନ୍ତା ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି।
ଶିକ୍ଷା, ବିକାଶ ଏବଂ ଆଧୁନିକତା ଏହି ସମାଜକୁ ସ୍ପର୍ଶ କରି ନଥିବା ଭଳି ମନେ ହୋଇଥାଏ। ଡୋମ୍ବାରି ସମ୍ପ୍ରଦାୟ ରାସ୍ତା କଡ଼ରେ ପାରମ୍ପରିକ ଡୋମ୍ବାରୀ କଳା ପ୍ରଦର୍ଶନ କରିଥାନ୍ତି। ନୃତ୍ୟ ଏବଂ କ୍ରୀଡ଼ାକୁ ମିଶ୍ରଣ କରିଥାନ୍ତି। ଏକ ଛୋଟ ଗୋଲାକାର କ୍ଷେତ୍ରରେ ଡେଇଁବା, ହାତରେ ବାଉଁଶ ବାଡି ଧରି ଦଉଡ଼ି ଉପରେ ଚାଲିବା, ଖୁଣ୍ଟ ଉପରେ ଡେଇଁବା, ଆଖିରେ ଛୁଞ୍ଚି ଫୋଡ଼ିବା ଇତ୍ୟାଦି ଅନେକ ଦୁଃସାହସିକ ଖେଳ ପ୍ରଦର୍ଶନ କରିଥାନ୍ତି । ଖେଳ ପ୍ରଦର୍ଶନ କରି ଯେଉଁ ଟଙ୍କା ପାଆନ୍ତି ସେଥିରେ ସେମାନେ ନିଜର ପେଟ ପୋଷନ୍ତି। ସତେ ଯେପରି ତାଙ୍କର କଳା ଅଲୋଡ଼ା। ଏହା ପ୍ରଶଂସା ପାଇପାରି ନଥାଏ।
ଡୋମ୍ବାରି ସମ୍ପ୍ରଦାୟର ବିରଳ ଖେଳ ଏବେ ଆଦୃତି ହରାଇବାରେ ଲାଗିଛି। ଗାଁ ଗଣ୍ଡାରେ ଏଭଳି ଖେଳ ଦେଖିବାକୁ କିଛି ଲୋକେ ପସନ୍ଦ କରୁଥିବାରୁ ସମ୍ପ୍ରଦାୟର ଲୋକେ ଗାଁ ଗାଁ ବୁଲି ଖେଳ ଦେଖାଇଥାନ୍ତି। ଦର୍ଶକଙ୍କ ସଂଖ୍ୟା କମୁଥିବାରୁ ଡୋମ୍ବାରି ସମ୍ପ୍ରଦାୟର ଏହି ଜୀବିକା ବ୍ୟବସାୟ ଏବେ ବିପଦରେ ପଡ଼ିଛି। ପୂର୍ବରୁ ଏହି କଳାରୁ ଉପାର୍ଜିତ ଟଙ୍କା ପରିବାର ପ୍ରତିପାଳନ ପାଇଁ ଯଥେଷ୍ଟ ଥିଲା। କିନ୍ତୁ ଏବେ ଦେଖିବା ଲୋକ କମ୍ ହୋଇଗଲେଣି। ସହରରେ ଲୋକେ ଏଭଳି ଖେଳ ପ୍ରତି ଆଗ୍ରହ ପ୍ରକାଶ କରୁ ନଥିବା ଦେଖାଯାଉଛି। ପୁଣି ସହରରେ ଖେଳ ଦେଖାଇଲା ସମୟରେ ଆଇନଗତ ବ୍ୟବସ୍ଥାକୁ ସମ୍ପ୍ରଦାୟର ଲୋକେ ଭୟ କରୁଛନ୍ତି। ଡୋମ୍ବାରି ସମ୍ପ୍ରଦାୟର ଏଭଳି ଯନ୍ତ୍ରଣା ବଢ଼ି ବଢ଼ି ଚାଲିଛି। ଏନେଇ ସରକାରଙ୍କ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ସମୟ ସମୟରେ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି କରାଯାଉଛି।
ଅଧିକ ପଢ଼ନ୍ତୁ: ଐଶ୍ୱର୍ଯ୍ୟାଙ୍କୁ 'ପ୍ଲାଷ୍ଟିକ୍', ରଣବୀର କପୁରଙ୍କୁ 'ଲେଡିଜ୍ ମ୍ୟାନ୍' କହି ବିବାଦରେ ଫସିଥିଲେ ଏହି ଅଭିନେତା
dombari-community | bausa rani khela