ରାୟପୁର: ସଞ୍ଜୟ ଲୀଳା ବଂଶାଲିଙ୍କ ବିବାଦୀୟ ହିନ୍ଦୀ ଚଳଚ୍ଚିତ୍ର ‘ପଦ୍ମାବତୀ’ର ରିଲିଜ୍ ସପକ୍ଷରେ ଛତିଶଗଡ଼ର ମାଓବାଦୀମାନେ ଅଣ୍ଟା ଭିଡ଼ିଛନ୍ତି। ଦାନ୍ତେଓ୍ଵାଡ଼ା ଜିଲ୍ଲାର ବସ୍ତର ଜଙ୍ଗଲରେ ମରାଯାଇଥିବା ମାଓ ପୋଷ୍ଟର ଏବଂ ବାନରରେ ‘ପଦ୍ମାବତୀ’ର ତୁରନ୍ତ ଶୁଭମୁକ୍ତି ପାଇଁ ଦାବି ହୋଇଥିବା ଦେଖିବାକୁ ମିଳିଛି। ମତ ରଖିବାର ଅଧିକାର ସାବ୍ୟସ୍ତ କରିବା ପାଇଁ ସରକାର ଏହି ଚଳଚ୍ଚିତ୍ରର ରିଲିଜ୍ ପାଇଁ ବ୍ୟବସ୍ଥା କରିବା ଜରୁରୀ ବୋଲି ଉକ୍ତ ପୋଷ୍ଟରମାନଙ୍କରେ ଉଲସ୍ଲେଖ କରାଯାଇଛି। ଅପରପକ୍ଷେ, ଏପରି ନିଆରା ପୋଷ୍ଟର ମାଧ୍ୟମରେ ମାଓବାଦୀମାନେ ରାଜ୍ୟର ବିଜେପି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ନୂଆ ଯୋଜନା ଆପଣେଇଥିବା ପୁଲିସ କହିଛି।
ଉଲ୍ଲେଖ ଥାଉ କି, ‘ପଦ୍ମାବତୀ’ରେ ଇତିହାସକୁ ବିକୃତ କରିଥିବା ଅଭିଯୋଗ ଆଣିବା ସହ ଏହାର ରିଲିଜ୍କୁ ବିରୋଧ କରି ବିଶେଷ କରି ରାଜପୁତ ସମ୍ପ୍ରଦାୟ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି। ସେହିପରି ଉତ୍ତରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ବିହାର ପରି ବିଜେପି ଶାସିତ ରାଜ୍ୟରେ ‘ପଦ୍ମାବତୀ’ର ଶୁଭମୁକ୍ତି ଉପରେ ସଂପୃକ୍ତ ମୁଖ୍ୟମନ୍ତ୍ରୀମାନେ କଟକଣା ଜାରି କରିଛନ୍ତି। ଏ ପରିପ୍ରେକ୍ଷୀରେ ‘ପଦ୍ମାବତୀ’ ପାଇଁ ମାଓବାଦୀମାନେ ଏପରି ଦରଦ ଦେଖାଇବା ପରୋକ୍ଷରେ ରାଜ୍ୟର ବିଜେପି ସରକାରଙ୍କୁ ବିରୋଧ କରିବାର ନୂଆ ତରିକା ବୋଲି ପୁଲିସ କହିଛି।
Follow Us