ଆଜି ନୂଆଦିଲ୍ଲୀରେ ମାଓ ପ୍ରଭାବିତ ରାଜ୍ୟର ବୈଠକ

ଫୋକସରେ ରହିବ ଦୁର୍ଗମ ଅଞ୍ଚଳର ରାସ୍ତା, ରେଳପଥ, ଟାୱାର ନିର୍ମାଣ

ପରିଚୟ ଲୁଚାଇ ଯୌନ ସଂପର୍କ ରଖିବା ଅପରାଧ ହେବ, ନୂଆ ଆଇନରେ ବ୍ୟବସ୍ଥା

Deccan Herald

ସିଆର୍‌ପିଏଫ୍ ନିୟୋଜିତ ବକେୟା ଟଙ୍କା ଛାଡ଼ ପାଇଁ ହୋଇପାରେ ଦାବି
୨୦୧୯ରେ ହେଲିକପ୍ଟର ପାଇଁ ଦାବି ହୋଇଥିଲା, ଏଯାଏଁ ମିଳିନି

ଭୁବନେଶ୍ବର/ନୂଆଦିଲ୍ଲୀ : ମାଓ ମୁକାବିଲା ପାଇଁ ଓଡ଼ିଶାର ଫୋକସ୍ କଣ ରହିବ? କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯିବ? ମାଓ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି କଣ ରହିବ? ରବିବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ୧୦ ମାଓ ପ୍ରଭାବିତ ରାଜ୍ୟକୁ ନେଇ ମାଓ ଦମନ ରଣନୀତି ବୈଠକ ବସିବ। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଓଡ଼ିଶାର ସୀମାନ୍ତବର୍ତ୍ତୀ ରାଜ୍ୟକୁ ଲାଗି ରହିଥିବା ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ାର ଦୁର୍ଗମ ମାଓ ଉପଦ୍ରୁତ ଅଞ୍ଚଳରେ ଯୋଗାଯୋଗ ଉପରେ ଫୋକସ୍ କରାଯିବ। ଏହି ଅଞ୍ଚଳରେ ରାସ୍ତା ନିର୍ମାଣ ସହ ଅଧିକରୁ ଅଧିକ ମୋବାଇଲ ଟାଓ୍ଵାର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ରଖିପାରନ୍ତି। ମାଲକାନଗିରି, ନବରଙ୍ଗପୁରରେ ରେଳପଥ ନିର୍ମାଣ ପାଇଁ ମଧ୍ୟ ଦାବି ଉଠିପାରେ। ରାଜ୍ୟ ସରକାର ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଇ ଦେବାକୁ ପ୍ରସ୍ତୁତ ରହିଥିବା ବେଳେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହୋଇପାରିଲେ ମାଓ ଦମନ ଆହୁରି ସହଜ ହୋଇପାରିବ। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସେହି ଅଞ୍ଚଳରେ ମାଓ ହିଂସା ଯେପରି କମିଛି, ତାହାକୁ ପ୍ରମାଣ ଭାବେ ରଖିବ ଓଡ଼ିଶା। ମାଓ ପ୍ରବଣ ଇଲାକାଗୁଡିକରେ ପର୍ଯ୍ୟାପ୍ତ ମାତ୍ରାରେ ବ୍ୟାଙ୍କ ସୁବିଧା ଯୋଗାଇଦେବାକୁ ମଧ୍ୟ ରାଜ୍ୟର ଦାବି ରହିବ।

ମାଓବାଦୀ ମୁକାବିଲା ପାଇଁ ଅଧିକ କ୍ୟାମ୍ପ ଖୋଲିବାକୁ ଦାବି ସହ ମାଓ ମୁକାବିଲାରେ ନିୟୋଜିତ ସିଆର୍‌ପିଏଫ୍ ବାବଦରେ ବକେୟା ଥିବା ୪୫୦୦ କୋଟିରୁ ଅଧିକ ଟଙ୍କା ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିପାରନ୍ତି। ଗତ ଏପ୍ରିଲରେ ଏ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ ମଧ୍ୟ କରିଥିଲେ। ସେହିପରି ଗତ ଦୁଇ ବର୍ଷ ଧରି ଓଡ଼ିଶାରେ ମାଓ ଅପରେସନ୍, ହିଂସାକାଣ୍ଡ, ବର୍ତ୍ତମାନର ସ୍ଥିତି ସମ୍ପର୍କରେ ତଥ୍ୟ ସମ୍ବଳିତ ରିପୋର୍ଟ ମଧ୍ୟ ଦାଖଲ କରାଯିବ ବୋଲି ସୂଚନା ମିଳିଛି।

ମାଓ ମୁକାବିଲା ସମ୍ପର୍କରେ ୧୦ ଉପଦ୍ରୁତ ରାଜ୍ୟ ସହ ପ୍ରତିବର୍ଷ ବୈଠକ ଅନୁଷ୍ଠିତ ହୁଏ। ଏପରିକି ଗୋଟିଏ ବର୍ଷରେ ଦୁଇ ଥର ବୈଠକ ବସିବାର ମଧ୍ୟ ନଜିର୍ ରହିଛି। କିନ୍ତୁ କୋଭିଡ୍ ପରିସ୍ଥିତି ଯୋଗୁ ଗତବର୍ଷ ଏହି ବୈଠକ ଅନୁଷ୍ଠିତ ହୋଇ ନ ଥିଲା। ସେହିପରି ୨୦୧୯ ଅଗଷ୍ଟରେ ଯେଉଁ ବୈଠକ ବସିଥିଲା ସେଥିରେ ମାଓ ମୁକାବିଲା ପାଇଁ ନବୀନ ଏକ ହେଲିକପ୍ଟର ଦାବି କରିଥିଲେ। ଯାହା ଆଜି ଯାଏଁ ମିଳିପାରି ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ପୁଲିସ ପାଖରେ ଏବେ ଗୋଟିଏ ହେଲିକପ୍ଟର ରହିଛି। ଯାହା ୭ ସିଟ୍ ବିଶିଷ୍ଟ। ପୂର୍ବରୁ ଥିବା ୨୨ ସିଟ୍ ବିଶିଷ୍ଟ ପବନ ହଂସ ଯାନ୍ତ୍ରିକ ତ୍ରୁଟି ଯୋଗୁ ଖରାପ ହୋଇ ଯାଇଥିଲା। ଏହାକୁ ମରାମତି ପାଇଁ ପଠା ଯାଇଥିଲେ ମଧ୍ୟ ଏବେ ସୁଦ୍ଧା ଫେରିପାରି ନାହିଁ। ଏବେ ଓଡ଼ିଶା ପାଖରେ ଗୋଟିଏ ବି ହେଲକପ୍ଟର ନାହିଁ। ଆବଶ୍ୟକ ପଡ଼ିଲେ ଛତିଶଗଡ଼ କିମ୍ବା ଝାଡ଼ଖଣ୍ଡରେ ଥିବା ହେଲିକପ୍ଟର ମଗାଯାଇ ସହାୟତା ନିଆଯାଉଛି। ସେହିପରି ମାଓ ମୁକାବିଲା କ୍ଷେତ୍ରରେ ବକେୟା ଥିବା ୨୨୭ କୋଟି ଟଙ୍କା ପ୍ରଦାନ କରିବା ପାଇଁ ମଧ୍ୟ ଦାବି କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ରାଜ୍ୟର ଯେଉଁ ୧୦ଟି ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ରହିଛନ୍ତି, ସେଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ବରଗଡ଼, ରାୟଗଡ଼ା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼। ମାଲକାନଗିରିରେ ଗୁରୁପ୍ରିୟା ସେତୁ ଓ ବିଏସଏଫ୍ କ୍ୟାମ୍ପ ତିଆରି ହେବା ପରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି। ୨୦୧୯ରେ ଏନ୍‌କାଉଣ୍ଟରରେ ୧୯ ମାଓବାଦୀ ନିହତ ହୋଇଥିଲେ। ସେହିପରି ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଏନ୍‌କାଉଣ୍ଟରରେ ୪୦ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନିକଟରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ମୋଷ୍ଟଓ୍ୱାଣ୍ଟେଡ ମାଓନେତା ଦୁବାସୀ ଶଙ୍କର କୋରାପୁଟରେ ପୁଲିସ ହାତରେ ଧରାପଡ଼ି ଗିରଫ ହୋଇଥିଲା। ଯାହାକି ଓଡ଼ିଶା ପୁଲିସ ପାଇଁ ବଡ଼ ସଫଳତା। ଗତ ଦୁଇ ବର୍ଷ ଭିତରେ ୫୦ରୁ ଅଧିକ ମାଓବାଦୀ ଓ ନେତା ଆତ୍ମସମର୍ପଣ କରି ସାରିଛନ୍ତି।

ଏହି ବୈଠକରେ ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଡିଜିପିମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକର ବର୍ତ୍ତମାନର ସ୍ଥିତି ସମ୍ପର୍କ‌ରେ ସମୀକ୍ଷା କରାଯିବା ସହିତ ସୁରକ୍ଷା ଓ ବିକାଶ ପ୍ରସଙ୍ଗରେ ରୋଡ୍‌ମ୍ୟାପ ତଥା ମାଓଦମନ ରଣନୀତି ପ୍ରସ୍ତୁତିକୁ ନେଇ ମାନସ ମନ୍ଥନ କରାଯିବ। ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ବାହିନୀର ସମନ୍ବୟ ପ୍ରତି ମଧ୍ୟ ବୈଠକରେ ଗୁରୁତ୍ବାରୋପ କରାଯିବାର ସମ୍ଭାବନା ରହିଛି। ବୈଠକରେ ମାଓପ୍ରବଣ ସୀମାବର୍ତୀ ରାଜ୍ୟ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପଦେଶ ଓ ମହାରାଷ୍ଟ୍ର ମଧ୍ୟରେ ମାଓବିରୋଧୀ ଅଭିଯାନ ବେଳେ ଉତ୍ତମ ବୁଝାମଣା ଓ ସମନ୍ବୟ କିଭଳି ଅତୁଟ ରହିବ, ସେ ସମ୍ପର୍କରେ ବ୍ୟାପକ ବିଚାରବିମର୍ଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe