News8Plus
କିବ୍: ୟୁକ୍ରେନ୍ର ବନ୍ଦର ସହର ମାରିୟୁପୋଲ୍କୁ ରୁଷ୍ ଆଜି ସମ୍ପୂର୍ଣ୍ଣ ଦଖଲକୁ ନେଇଥିବା ଘୋଷଣା କରିଛି। ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍କୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ମାରିୟୁପୋଲ୍ ସହରକୁ ରୁଷ୍ ନିୟନ୍ତ୍ରଣ କରିସାରିଛି ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଅବଗତ କରିଛନ୍ତି। ସୋଇଗୁ କହିଛନ୍ତି, ସମ୍ପୂର୍ଣ୍ଣ ମାରିୟୁପୋଲ୍ ଏବେ ରୁଷ୍ ନିୟନ୍ତ୍ରଣରେ। କିନ୍ତୁ ପ୍ରାୟ ୨ ହଜାର ୟୁକ୍ରେନ୍ ସୈନିକ ଏବେ ବି ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍ରେ ଲୁଚି ରହିଛନ୍ତି। ପ୍ଲାଣ୍ଟ୍ର ଭୂତଳ ସୁଡ଼ଙ୍ଗରେ ସେମାନେ ଲୁଚି ରହିଛନ୍ତି। ତେବେ ରୁଷ୍ ସେନାର ଏହି ସଫଳତା ଜାଣିବାପରେ ପୁଟିନ୍ ରୁଷ୍ ସେନାକୁ ପ୍ରଶଂସା କରିଛନ୍ତି। ମାରିୟୁପୋଲ୍ ସହର ସଫଳତାର ସହ ୟୁକ୍ରେନ୍ କବଳରୁ ମୁକ୍ତ ହେଲା ବୋଲି ପୁଟିନ୍ ଘୋଷଣା କରିଛନ୍ତି। ପୁଟିନ କହିଛନ୍ତି, ମାରିୟୁପୋଲ୍ କବ୍ଜା କରିବା ରୁଷ୍ ସେନା ପାଇଁ ଏକ ବଡ଼ ସଫଳତା। କିନ୍ତୁ ଆଜବଷ୍ଟଲ୍ ଶିଳ୍ପାଞ୍ଚଳରେ ରୁଷ୍ ଯେଉଁ ଆକ୍ରମଣ ଯୋଜନା କରିଥିଲା ତାକୁ ବନ୍ଦ କରିବାପାଇଁ ପୁଟିନ୍ ନିର୍ଦ୍ଦେଶ ଦେଇଛନ୍ତି।
ପୁଟିନ କହିଛନ୍ତି, ଷ୍ଟିଲ୍ ପ୍ଲାଣ୍ଟ୍ରେ ଆକ୍ରମଣ କରିବା କିଛି ଆବଶ୍ୟକ ନାହିଁ ବୋଲି ମୁଁ ବିଚାର କରୁଛି। ଏହା ଅଯୌକ୍ତିକ। ତେବେ ଶିଳ୍ପାଞ୍ଚଳକୁ ଚାରିପଟୁ ବନ୍ଦ କରିବା ପାଇଁ ପୁଟିନ୍ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଶିଳ୍ପାଞ୍ଚଳକୁ କୌଣସି ଉଡ଼ାଣ ମଧ୍ୟ ହୋଇପାରିବନି। ପୁଟିନ୍ କହିଛନ୍ତି, ରୁଷ୍ ସୈନିକଙ୍କ ଜୀବନ ବଞ୍ଚାଇବା ପାଇଁ ସେ ଆଜବଷ୍ଟଲ୍ ପ୍ଲାଣ୍ଟ୍ରେ ଆକ୍ରମଣ ନକରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜବଷ୍ଟଲ୍ରେ ଥିବା ୟୁକ୍ରେନ୍ ସୈନିକଙ୍କୁ ପୁଟିନ ଆତ୍ମସମର୍ପଣ କରିବା ପାଇଁ କହିଛନ୍ତି। ରୁଷ୍ ସେମାନଙ୍କୁ ସମ୍ମାନ ଦେବ ଏବଂ ଆହତ ସୈନିକଙ୍କ ଚିକିତ୍ସା ବ୍ୟବସ୍ଥା କରିବ ବୋଲି ପୁଟିନ୍ କହିଛନ୍ତି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଷ୍ଟିଲ୍ ପ୍ଲାଣ୍ଟ୍ ଅକ୍ତିଆର ନକଲେ ରୁଷ୍ ମାରିୟୁପୋଲ୍ରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିଛି ବୋଲି ଘୋଷଣା କରିପାରିବନି। ଆଜବ ସାଗରରେ ମାରିୟୁପୋଲ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କର ିବା ରୁଷ୍ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ରଣନୈତିକ ବିଜୟ ହେବ। ଏହାଦ୍ବାରା ପୂର୍ବ ୟୁକ୍ରେନ୍ରେ ରୁଷ୍ ସମର୍ଥିତ ବିଚ୍ଛିନ୍ନତାବାଦୀ ଅଞ୍ଚଳ ସହ କ୍ରିମିଆକୁ ସଂଲଗ୍ନ କରାଇବା ରୁଷ୍ ପାଇଁ ସହଜ ହେବ।
Follow Us