ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ସହିଦ ପରିବାର ସମସ୍ତ ସରକାରୀ ସୁବିଧାସୁଯୋଗରୁ ବଞ୍ଚିତ ହୋଇଛନ୍ତି। ସହକାରୀ କମାଣ୍ଡାଣ୍ଟ୍ ବିବେକ ସାକ୍ସେନା ୨୦୦୩ରେ ମଣିପୁରର ଚାନ୍ଦେଲ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଲଢ଼ିବା ସମୟରେ ସହିଦ ହୋଇଯାଇଥିଲେ। ସୌର୍ଯ୍ୟ ଚକ୍ର ପାଇଥିବା ବିବେକ ସାକ୍ସେନା ଦେଶପାଇଁ ପ୍ରାଣବଳି ଦେବାର ୧୮ ବର୍ଷ ବିତିଗଲାଣି। କିନ୍ତୁ ତାଙ୍କ ପରିବାରକୁ ଏଯାଏଁ କ୍ଷତିପୂରଣ ମିଳିନି।
ବିବେକଙ୍କ ମା’ସାବିତ୍ରୀ ସାକ୍ସେନା କହିଛନ୍ତି, ଯଦି ସହିଦ ପରିବାରକୁ ଏଭଳି ବ୍ୟବହାର ଦେଖାଯିବ ତେବେ କୌଣସି ମା’ କାହିଁକି ନିଜ ପୁଅକୁ ସେନାକୁ ପଠାଇବାକୁ ଚାହିବେ। ବିବେକ ସାକ୍ସେନାଙ୍କ ଭାଇ ବାୟୁସେନାରେ ଅଛନ୍ତି। ବିବେକଙ୍କ ବାପା ଜଣେ ଫ୍ଲାଇଟ୍ ଲେପ୍ଟନାଣ୍ଟ୍। ବିବେକଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ଉତ୍ତରପ୍ରଦେଶର ସରକାରୀ ଅଧିକାରୀମାନେ କହୁଛନ୍ତି, ସେମାନେ ଉତ୍ତରପ୍ରଦେଶ ବାସିନ୍ଦା ନୁହନ୍ତି। ତେଣୁ ସେମାନଙ୍କୁ ସରକାରୀ ସୁବିଧାସୁଯୋଗ ମିଳିବ ନାହିଁ। କିନ୍ତୁ ସେମାନେ ୧୯୬୭ରୁ ଲକ୍ଷ୍ନୌରେ ରହି ଆସୁଛନ୍ତି ଏବଂ ବିବେକ ମଧ୍ୟ ଏଠାରେ ଜନ୍ମ ହୋଇଛନ୍ତି ବୋଲି ସେ ଦାବି କରିଛନ୍ତି।
ମାୟାବତୀ କ୍ଷମତାରେ ଥିବାବେଳେ ତାଙ୍କ ପରିବାରକୁ ସମସ୍ତ ସୁବିଧାସୁଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଇତି ମଧ୍ୟରେ ୪ଟି ସରକାର ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ସେମାନଙ୍କୁ କ୍ଷତିପୂରଣ ମିଳିନାହିଁ। ସହିଦ ଯବାନଙ୍କ ମା’ଙ୍କ ଘର ମଧ୍ୟ ଲକ୍ଷ୍ନୌରେ। ଅନ୍ୟପକ୍ଷେ ଯବାନଙ୍କ ବାପାଙ୍କ ଘର ମଣିପୁରରେ। ତେଣୁ ଉତ୍ତରପ୍ରଦେଶ ସରକାର କ୍ଷତିପୂରଣ ଦେଉନାହାନ୍ତି। ମଣିପୁର ସରକାର ମଧ୍ୟ କ୍ଷତିପୂରଣ ଦେବେନାହିଁ ବୋଲି ଆଗରୁ ସ୍ପଷ୍ଟ କରିଦେଇଛନ୍ତି।।
ପଢ଼ା ଶେଷ କରିବାପରେ ବିବେକ ସେନାରେ ଯୋଗ ଦେଇଥିଲେ। ୧୯୯୯ ଜାନୁଆରି ୪ରେ ସେ ଆଇବି (ଗୁଇନ୍ଦା ବ୍ୟୁରୋ)ରେ ଯୋଗ ଦେଲେ। ଆଇବିରେ କାମ କରିବାପରେ ସେ ୨୦୦୦ ମସିହା ଜୁଲାଇ ୨୨ରେ ବିଏସଏଫ୍ରେ ଯୋଗ ଦେଇଥିଲେ। ମଣିପୁରରେ ନିଜର କାର୍ଯ୍ୟପାଇଁ ସେ ଖୁବ୍ ଚର୍ଚ୍ଚିତ ହୋଇଥିଲେ। ତେବେ ‘ଅପରେସନ୍ ଜ୍ବାଲା’ରେ ସେ ସହିଦ ହୋଇଯାଇଥିଲେ।
Follow Us