୯ମ ଶ୍ରେଣୀର ଗଣିତ ସମାଧାନ କରିପାରିଲେନି ଗଣିତ ପ୍ରଫେସର!

Advertisment

ପାଟନା: ବିହାର ଶିକ୍ଷାନୁଷ୍ଠାନରେ ବ୍ୟାପକ କପି ଓ ବିଭିନ୍ନ ବର୍ଗର ଟପର୍‌ ଚୟନ ଦୁର୍ନୀତି ରାଜ୍ୟ ଶିକ୍ଷା ନୀତିର ସଫଳତା ପ୍ରତି କ୍ରମାଗତ ପ୍ରଶ୍ନ ଚିହ୍ନ ଲଗାଇ ଆସିଛି। ନିକଟରେ ମଗଧ ବିଶ୍ୱବିଦ୍ୟାଳୟରେ ଗଣିତ ବିଭାଗର ଦୁଇଜଣ ଆସୋସିଏଟ ପ୍ରଫେସର ନବମ ଶ୍ରେଣୀର ଗାଣିତିକ ପ୍ରଶ୍ନକୁ ସମାଧାନ କରିବାରେ ବିଫଳ ହୋଇଥିବାବେଳେ କିଛି ଗାଣିତିକ ସଙ୍କେତର ଭୁଲ୍‌ ଉଚ୍ଚାରଣ କରିଥିବାରୁ ପରିସ୍ଥିତିରେ ଯେ କିଛି ପରିବର୍ତ୍ତନ ହୋଇନାହିଁ ତାହା ସ୍ପଷ୍ଟ ହୋଇଛି।
ବିହାରର ଅନ୍ୟତମ ପ୍ରମୁଖ ମଗଧ ବିଶ୍ୱବିଦ୍ୟାଳୟରେ ଗଣିତ ବିଭାଗ ପ୍ରଫେସର ପଦବୀ ଖାଲି ପଡ଼ିବାରୁ ଏଥିପାଇଁ କର୍ତ୍ତୃପକ୍ଷ ସାକ୍ଷାତକାର ପରୀକ୍ଷା ଡାକିଥିଲେ। ଏଥିପାଇଁ ବିଭାଗର ୩ଜଣ ଆସୋସିଏଟ ପ୍ରଫେସରଙ୍କୁ ମଧ୍ୟ ସୁଯୋଗ ଦିଆଯାଇଥିଲା। ଚୟନ କମିଟି ଦ୍ୱାରା ସାକ୍ଷାତକାର ସମୟରେ ପ୍ରାର୍ଥୀମାନଙ୍କୁ ବିଭିନ୍ନ ଗାଣିତିକ ପ୍ରଶ୍ନ କରାଯାଇଥିଲା। ତେବେ ଜଣେ ଆସୋସିଏଟ ପ୍ରଫେସର ନବମ ଶ୍ରେଣୀର ଗଣିତ ପ୍ରଶ୍ନକୁ ସମାଧାନ କରିପାରିନଥିବା ଦେଖିବାକୁ ମିଳିଥିଲା। ଉଚ୍ଚ ଶ୍ରେଣୀରେ ପାଠ ପଢ଼ାଉଥିବାରୁ ସ୍କୁଲ ଗଣିତ ତାଙ୍କର ମନେନାହିଁ ବୋଲି ସେ ସଫେଇ ଦେଇଥିଲେ। ଏହା ଚୟନ କମିଟିରେ ପ୍ରବଳ ହାସ୍ୟରୋଳ ସୃଷ୍ଟି କରିଥିଲା। ଅନ୍ୟ ଜଣେ ଆସୋସିଏଟ ପ୍ରଫେସର ଗାଣିତିକ ସଙ୍କେତ ଗୁଡ଼ିକୁ ଠିକ୍‌ଭାବେ ଇଂରାଜିରେ ଉଚ୍ଚାରଣ କରିପାରିନଥିଲେ। ତେବେ ତୃତୀୟ ଆସୋସିଏଟ ପ୍ରଫେସର କିଛି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିଥିଲେ। ପ୍ରାର୍ଥୀମାନଙ୍କ ସାକ୍ଷାତକାରକୁ ରେକର୍ଡିଂ କରାଯାଇ ଚୟନ କମଇଟି ପକ୍ଷରୁ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଦିଆଯାଇଛି। ଏହାକୁ ଆସନ୍ତା ସିଣ୍ଡିକେଟ ବୈଠକରେ ଉପସ୍ଥାପନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଉଚ୍ଚଶିକ୍ଷାର ଏହି ଅଧୋଗତି ନେଇ କୁଳପତି ପ୍ରଫେସର କମର ଅହସାନଙ୍କୁ ସାମ୍ବାଦିକମାନେ ପଚାରିବାରୁ ସେ ଏସମ୍ପର୍କରେ ଜାଣିନାହାନ୍ତି ବୋଲି ସଫେଇ ଦେଇଥିଲେ। ଗତବର୍ଷ କଳା ଟପର୍‌ ରୁବିରାୟ ଏକ ଟିଭି ଚ୍ୟାନେଲର ସାକ୍ଷାତକାରରେ ରାଜନୈତିକ ବିଜ୍ଞାନ ରାନ୍ଧଣା ସମ୍ପର୍କିତ ପାଠ ବୋଲି କହିଥିଲେ। ସେ ପଲିଟିକାଲ ସାଇନ୍ସକୁ ପ୍ରୋଡିକାଲ ସାଇନ୍ସ ଭାବେ ଉଚ୍ଚାରଣ କରିଥିବା ଭିଡିଓ ଦୃଶ୍ୟରେ ଦେଖିବାକୁ ମିଳିଥିଲା। ଏହି ଘଟଣାର ତଦନ୍ତ ହୋଇ ରୁବି ରାୟଙ୍କ ସମେତ ୨୦ ଛାତ୍ର, ଶିକ୍ଷକ ଓ ଶିକ୍ଷାବୋର୍ଡ କର୍ମକର୍ତ୍ତା ଗିରଫ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe