ନୂଆଦିଲ୍ଲୀ: ମସ୍ତିଷ୍କ ଅସ୍ତ୍ରୋପଚାର ପରେ ଗୁରୁତର ସ୍ବାସ୍ଥ୍ୟାବସ୍ଥାରେ ଭେଣ୍ଟିଲେଟର୍ ସହାୟତାରେ ଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପ୍ରତି ତାଙ୍କ ଝିଅ ବୁଧବାର ଦିନ ଟୁଇଟର୍ରେ ପ୍ରାର୍ଥନା ସେୟାର୍ କରିଛନ୍ତି।
ଝିଅ ଶର୍ମିଷ୍ଠା ଟୁଇଟ୍ କରିଛନ୍ତି, ମୋ ବାପା ଭାରତ ରତ୍ନ ଗ୍ରହଣ କରିଥିବାରୁ ଗତବର୍ଷ ଅଗଷ୍ଟ ୮ ତାରିଖ ଥିଲା ମୋ ପାଇଁ ସବୁଠୁ ବଳି ଖୁସିର ଦିନ। ଠିକ୍ ଗୋଟିଏ ବର୍ଷ ପରେ ଅଗଷ୍ଟ ୧୦ ତାରିଖ ଦିନ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ପାଇଁ ଯାହା ସର୍ବୋତ୍ତମ ଈଶ୍ବର ତାହା ହିଁ କରନ୍ତୁ ଏବଂ ଶାନ୍ତ ଓ ଦୃଢ଼ ଚିତ୍ତରେ ଜୀବନର ଆନନ୍ଦ ଓ ଦୁଃଖ ଗ୍ରହଣ କରିବାକୁ ମୋତେ ସାମର୍ଥ୍ୟ ଦିଅନ୍ତୁ। ତାଙ୍କ ଲାଗି ଚିନ୍ତାବ୍ୟକ୍ତ କରିଥିବା ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ।
Image Courtesy of Hindustan Timesଆର୍ମି ରିସର୍ଚ ଆଣ୍ଡ୍ ରେଫେରାଲ୍ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତରମାନେ ମଙ୍ଗଳବାର ସନ୍ଧ୍ୟାରେ କହିଛନ୍ତି ଯେ, ଅସ୍ତ୍ରୋପଚାର ପରେ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଦେଖାଦେଇ ନାହିଁ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିବାରୁ ସେ ସଙ୍କଟାପନ୍ନ ଅବସ୍ଥାରେ ଲାଇଫ୍ ସପୋର୍ଟରେ ରହିଛନ୍ତି।
ନୂଆଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍ ହସ୍ପିଟାଲ୍ରେ ସୋମବାର ମସ୍ତିଷ୍କ ଅସ୍ତ୍ରୋପଚାର ପରେ ଭେଣ୍ଟିଲେଟର ସହାୟତାରେ ରହିଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସ୍ବାସ୍ଥାବସ୍ଥାରେ ଆଦୌ ଉନ୍ନତି ପରିଲକ୍ଷିତ ହୋଇନାହିଁ। ବରଂ ବେଳୁ ବେଳ ତାହା ଅଧିକ ଖରାପ ହେଉଥିବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି ବୋଲି ହସ୍ପିଟାଲ୍ ସୂତ୍ରରୁ ଜଣାପଡ଼ିଛି। ପ୍ରଣବଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ସୋମବାର ମଧ୍ୟାହ୍ନରେ ତୁରନ୍ତ ଅସ୍ତ୍ରୋପଚାର କରାଯାଇଥିଲା। ତେବେ ତାହା ପୂର୍ବରୁ ସେ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏକ ବିଶେଷଜ୍ଞ ଡାକ୍ତର ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ଅହରହ ନିରୀକ୍ଷଣରେ ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ସାମାନ୍ୟତମ ଉନ୍ନତି ହୋଇନଥିବା ହସ୍ପିଟାଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଣବଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା ସଂପର୍କରେ ନିଜେ ପ୍ରଣବ ଗତକାଲି ଟ୍ବିଟ୍ କରି ସୂଚନା ଦେଇଥିଲେ।
Follow Us