ମିଡ଼ିଆ ସମ୍ରାଟ୍ ରୁପର୍ଟ ମୁରଡୋଚ ୯୨ ବର୍ଷରେ ପଞ୍ଚମ ବିବାହ କରିବେ

Advertisment
ମିଡ଼ିଆ ସମ୍ରାଟ୍ ରୁପର୍ଟ ମୁରଡୋଚ ୯୨ ବର୍ଷରେ ପଞ୍ଚମ ବିବାହ କରିବେ

ନ୍ୟୁୟର୍କ: ମିଡ଼ିଆ ଜଗତର ପ୍ରମୁଖ ବ୍ୟକ୍ତିତ୍ବ ‌ଅର୍ବୁଦପତି ରୁପର୍ଟ ମୁରଡୋଚ ୯୨ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ବୋଲି ତାଙ୍କ ନିଜ ଟାବ୍‌ଲଏଡ୍ ଖବରକାଗଜ ନ୍ୟୁୟର୍କ ପୋଷ୍ଟରେ ସୋମବାର ପ୍ରକାଶ ପାଇଛି। ୬୬ ବର୍ଷୀୟା ଆନ ଲେସ୍‌ଲୀ ସ୍ମିଥ୍‌ଙ୍କୁ ସେ ଶେଷ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ନ୍ୟୁୟର୍କ ପୋଷ୍ଟରେ ରୁପର୍ଟ କହିଛନ୍ତି, ସେ ଖୁବ୍ ଶଙ୍କିତ ଥିଲେ। ପ୍ରେମରେ ପଡ଼ିବାକୁ ସେ ଭୟ କରୁଥିଲେ। କିନ୍ତୁ ଏହା ତାଙ୍କର ଶେଷ ବିବାହ ହେବ ବୋଲି ସେ ନିଶ୍ଚିତ ଅଛନ୍ତି। ସେ ମଧ୍ୟ ଏହାକୁ ନେଇ ଖୁସି ଅଛନ୍ତି।

ରୁପର୍ଟଙ୍କ ବ୍ୟବସାୟ ସାମ୍ରାଜ୍ୟ ଭିତରେ ଅଛି- ଆମେରିକାର ଫକ୍ସ ନ୍ୟୁଜ୍, ଇଂଲଣ୍ଡରୁ ପ୍ରକାଶିତ ଟାବ୍‌ଲଏଡ୍ ସନ୍, ଆମେରିକାର ନ୍ୟୁୟର୍କ ପୋଷ୍ଟ, ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ଏବଂ ପ୍ରକାଶନ ସଂସ୍ଥା ହାର୍ପର କଲିନ୍ସ। ରୁପର୍ଟ କହିଛନ୍ତି, ସେମାନେ ଆସନ୍ତା ଗ୍ରୀଷ୍ମଋତୁରେ ବିବାହ କରିବେ ଏବଂ ଅବଶିଷ୍ଟ ଜୀବନ ଏକାଠି ବିତାଇବେ। ସ୍ମିଥ୍‌ଙ୍କ ସହ ତାଙ୍କର ୨୦୨୨ ମସିହା ସେପ୍ଟେମ୍ବର ମାସରେ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭେଟ ହୋଇଥିଲା। ଏହା ପୂର୍ବରୁ ରୁପର୍ଟ ୪ ଥର ବିବାହ କରିଛନ୍ତି ଏବଂ ତାଙ୍କର ପ୍ରଥମ ତିନି ପତ୍ନୀଙ୍କଠାରୁ ୬ଟି ପିଲା ଅଛନ୍ତି। ତାଙ୍କର ଚତୁର୍ଥ ସ୍ତ୍ରୀ ପୂର୍ବତନ ସୁପରମଡେଲ ଜେରୀ ହଲ ତାଙ୍କୁ ଗତବର୍ଷ ଛାଡ଼ିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe