ମିରଟ: ଆଖିରେ ଆଘାତ ଲାଗିବା ପରେ ସିଲେଇ ନକରି ଫେଭିକ୍ବିକ୍ ଲଗାଇଦେଲେ ଡାକ୍ତର। ମିରଟରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ଘଟଣା ବିଷୟରେ ଯିଏ ଶୁଣୁଛି, ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ଜଣେ ଡାକ୍ତରଙ୍କ ଏଭଳି ଅବହେଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି ଯେ, ୫ଟଙ୍କିଆ ଫେଭିକ୍ବିକ୍ ଲଗାଯିବା ପରେ ପିଲାଟି ସାରା ରାତି ଯନ୍ତ୍ରଣାରେ କଟାଇଥିଲା। ପରଦିନ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତରଙ୍କୁ ଫେଭିକ୍ୱିକ୍ ବାହାର କରିବାକୁ ତିନି ଘଣ୍ଟା ସମୟ ଲାଗିଥିଲା। ଏହା ପରେ ତାଙ୍କର ଆଖି ପତା ସିଲେଇ କରାଯାଇଥିବା ସାମ୍ନାକୁ ଆସିଛି।

Advertisment

୫ଟଙ୍କିଆ ଫେଭିକ୍ବିକ୍ ଲଗାଇ କଲେ ଚିକିତ୍ସା

ସୂଚନା ମୁତାବକ, ଘଟଣାଟି ଘଟିଛି ମିରଟର ଜାଗୃତି ବିହାରରେ। ଏଠାରେ ରହୁଥିବା ଫାଇନାନସର ସରଦାର ଜସପ୍ରୀତ୍ ସିଂହଙ୍କ ଦେଢ଼ ବର୍ଷର ପୁଅ ମନରାଜଙ୍କ ସହ ଏଭଳି ଅଭାବନୀୟ ଘଟଣା ଘଟିଛି। ଖେଳିବା ସମୟରେ ମନରାଜଙ୍କ ଆଖି ଉପରେ ଆଘାତ ଲାଗିଥିଲା। ଅଧିକ ରକ୍ତସ୍ରାବ ହେବାରୁ ପରିବାର ଲୋକେ ମନରାଜଙ୍କୁ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ଥିବା ଡାକ୍ତର ପ୍ରାଥମିକ ଉପଚାର କରିବା ପରିବର୍ତ୍ତେ ‌୫ଟଙ୍କିଆ ଫେଭିକ୍ବିକ୍ ଆଣିବାକୁ କହିଥିଲେ। ଡାକ୍ତରଙ୍କ କଥା ମାନି ପରିବାର ଲୋକେ ଫେଭିକ୍ବିକ୍ ଆଣିବା ପରେ ଆଘାତ ଲାଗିଥିବା ସ୍ଥାନକୁ ସଫା ନକରି ତା’ ଉପରେ ‌ଫେଭିକ୍ବିକ୍ ଲଗାଇ ଦେଇଥିଲେ ଡାକ୍ତର। ସିଲେଇ ନକରି ଡାକ୍ତର ଏଭଳି କରିବା ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମନରାଜ ଜୋରରେ କାନ୍ଦିବା ଦେଖି ଯନ୍ତ୍ରଣା କିଛି ସମୟ ମଧ୍ୟରେ କମ ହୋଇଯିବ ବୋଲି କହିଥିଲେ ଡାକ୍ତର। କିନ୍ତୁ ଯନ୍ତ୍ରଣା କମ୍ ନହୋଇ ବଢ଼ିବାକୁ ଲାଗିଥିଲା।

ଆହୁରି ପଢ଼ନ୍ତୁ: Shashi Tharoor: ବିଜେପି ଭଲ ଲାଗୁଥିଲେ କଂଗ୍ରେସରେ କାହିଁକି ଅଛ, ଥରୁରଙ୍କ ବୟାନ ପରେ ଟାର୍ଗେଟ କଲେ କଂଗ୍ରେସ ନେତା

ଦୃଷ୍ଟିଶକ୍ତି ଯିବା‌ର ଆଶଙ୍କା ଥିଲା

ମନରାଜଙ୍କୁ ଯନ୍ତ୍ରଣାରେ ଦେଖି ପରିବାର ଲୋକେ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ଏଭଳି ଚିକିତ୍ସା ପାଇଁ ବିରକ୍ତି ପ୍ରକାଶ କରିବା ସହ ୩ଘଣ୍ଟା ପରିଶ୍ରମ କରି କ୍ଷତସ୍ଥାନରୁ ଫେଭିକ୍ବିକ୍ କାଢ଼ିଥିଲେ। ଏବେ ମନରାଜଙ୍କ କ୍ଷତ ସ୍ଥାନକୁ ସିଲେଇ କରାଯାଇଥିବା ବେଳେ ସେ ସୁସ୍ଥ ହେଉଛନ୍ତି। ଫେଭିକ୍ବିକ୍ ଆଖି ଭିତରକୁ ଚାଲିଯାଇଥିଲେ ମନରାଜ ଦୃଷ୍ଟିଶକ୍ତି ହରାଇଥାନ୍ତେ ବୋଲି କହିଛନ୍ତି ସିଲେଇ କରିଥିବା ଡାକ୍ତର।

ଯାଞ୍ଚ ନିର୍ଦ୍ଦେଶ

ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ଏବେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ମିରଟର ସିଏମଓ ଡା. ଅଶୋକ କଟରିୟା। ଯାଞ୍ଚ ପରେ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: Kanpur Girl Bite: ବିବାହିତ ହୋଇ ବି ଯୁବତୀଙ୍କୁ ଜବରଦସ୍ତ ଚୁମ୍ବନ କଲେ ଯୁବକ, ଜିଭ କାଟିଦେଲେ ପୀଡ଼ିତା