ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିର୍ଦ୍ଦେଶକ୍ରମେ ବୈଠକ : ସମୟ ଧାର୍ଯ୍ୟ କରିପାରିଲେନି ଓଡ଼ିଶା, ଛତିଶଗଡ଼

ତଥ୍ୟ ଲୁଚାଉଛି ଛତିଶଗଡ଼! ବ୍ୟାରେଜ୍‌, ଡ୍ୟାମ୍‌ ସଂଖ୍ୟାରେ ତାଳମେଳ ନାହିଁ

NewsClick

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ କ୍ରମେ ସମୟସୀମା ଧାର୍ଯ୍ୟ ପାଇଁ ଆଜି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ବସିଥିଲା। ଦୁଇ ରାଜ୍ୟର ବୈଷୟିକ କମିଟି ସଦସ୍ୟ ଏବଂ ମହାରାଷ୍ଟ୍ରର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ମାତ୍ର, ଏହି ବୈଠକରେ ସମୟସୀମ‌ା ନେଇ ଦୁଇ ରାଜ୍ୟ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରିନାହାନ୍ତି। ଆସନ୍ତାକାଲି ମଧ୍ୟ ଆଉଥରେ ବୈଠକ ବସିବ ଏବଂ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସ‌ାରେ, ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ଆୟୋଜିତ ଏହି ବୈଠକ ପାଖାପାଖି ଏକ ଘଣ୍ଟା ଧରି ଚାଲିଥିଲା। ବୈଠକରେ ଓଡ଼ିଶା ପକ୍ଷରୁ ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପିରଜା, ବରିଷ୍ଠ ଆଇନୀଜୀବୀ ମୋହନ କାଟାର୍କି ; ଛତିଶଗଡ଼ ପକ୍ଷରୁ ଆଇନଜୀବୀ ଏ. କେ. ଗାଙ୍ଗୁଲି ଓ କେ. କେ. ରାହେରରୀ ଏବଂ ମହାରାଷ୍ଟ୍ର ପକ୍ଷରୁ ଆଇନଜୀବୀ ଦୀପକ ନାଲ୍‌ଗାରକାର ତଥା ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଟିମ୍‌ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଟ୍ରିବ୍ୟୁନାଲରେ ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ମୂଳ ମାମଲା (ରେଫରାନ୍ସ-୧) ଓ ଛତିଶଗଡ଼ ଦ୍ୱାରା ଦାଖଲ କରାଯାଇଥିବା ରେଫରାନ୍ସ-୨ ମାମଲାର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ ଆଗାମୀ ଦିନରେ ଶୁଣାଣିକୁ କ୍ରିୟାଶୀଳ କିଭଳି କରାଯିବ, ସେନେଇ ଓଡ଼ିଶା ଓ ଛତିଗଡ଼ ପକ୍ଷରୁ ମାନସମନ୍ଥନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ‘କମନ୍‌ ଇନ୍‌ଫରମେସନ ଫର୍ମାଟ’କୁ ଚୂଡ଼ାନ୍ତ କରାଯାଇ ନ ଥିବା ସମ୍ପର୍କରେ ମଧ୍ୟ ଉଭୟ ପକ୍ଷ ଆଲୋଚନା କରିଥିଲେ। ହେଲେ, ଆଜିର ବୈଠକରେ ମାମଲାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିବା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରି ନ ଥିଲା। ଆସନ୍ତାକାଲି ସନ୍ଧ୍ୟାରେ ପୁଣିଥରେ ଦୁଇ ପକ୍ଷର ବୈଠକ ବସିବ। ଏବଂ, ‌ସେହି ବୈଠକରେ ସମୟ ବା ଟାଇମ୍‌ଲାଇନ୍‌ ଧାର୍ଯ୍ୟ କରିବା ନେଇ ସ୍ଥିତି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଗତ ମାସ ୭ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଟାଇମ୍‌ଲାଇନ୍‌ ପ୍ରସ୍ତୁତ କରିବା ସକାଲେ ଓଡ଼ିଶା ଓ ଛତିଶଗଡ଼କୁ ନିର୍ଦ୍ଦେଶ ଦେଇଥିଲେ। ଆହୁରି ମଧ୍ୟ ଟାଇମ୍‌ଲାଇନ୍ ପ୍ରସ୍ତୁତ କରିବାରେ କୌଣସି ପ୍ରକାର ଟାଳଟୁଳ ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଟ୍ରିବ୍ୟୁନାଲ ଦୁଇ ରାଜ୍ୟକୁ ଚେତାଇ ଦେଇଥିଲେ। ତଦନୁଯାୟୀ, ଆଜି ଏହି ବୈଠକ ବସିଥିଲା। ମାତ୍ର, ଦୁଇ ରାଜ୍ୟ କୌଣସି ନିଷ୍ପତ୍ତିରେ ପହଞ୍ଚି ନ ଥିବାବେଳେ ଆସନ୍ତାକାଲିର ‌ବୈଠକ ଉପରେ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe