ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଶୁକ୍ରବାର ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିସରରେ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷ କରି ଆସନ୍ତା ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ସଞ୍ଚାର ରଣନୀତି ଏବଂ ପ୍ରଚାରପ୍ରସାର କାର୍ଯ୍ୟକ୍ରମ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ବୈଠକରେ ସହମତି ହୋଇଛି।
ଏହି ଖବର ପଢ଼ନ୍ତୁ: ଶିମିଳିପାଳରୁ ଝାଡ଼ଖଣ୍ଡରେ ପହଞ୍ଚିଥିଲା ଜିନ୍ନତ୍
ଏହି ବୈଠକରେ ଅଧ୍ୟକ୍ଷତା କରି ପିଆଇବି ଓ ସିବିସି ଏଡିଜି ଶ୍ରୀ ଅଖିଳ କୁମାର ମିଶ୍ର କହିଛନ୍ତି, ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାରପ୍ରସାର ରଣନୀତି ପ୍ରସ୍ତୁତି ଲାଗି ଆଇଏମପିସିସିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସମିତିର ବୈଠକ ନିୟମିତ ଆୟୋଜନ କରାଯିବା ଦ୍ୱାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ପ୍ରଚାରପ୍ରସାର ଲାଗି ସମନ୍ୱୟ ରକ୍ଷା କରିବା ଅଧିକ ସୁଗମ ହୋଇପାରିବ। ଏହି ସମିତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସୂଚନା ସେବା ଓ ଲୋକସମ୍ପର୍କ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିଥାଏ। ଆଇଏମପିସିସି ବୈଠକ ପରସ୍ପରର ବିଚାର ବ୍ୟକ୍ତ କରିବା ଲାଗି ମଞ୍ଚ ଯୋଗାଇ ଥାଏ ବୋଲି ଶ୍ରୀ ମିଶ୍ର କହିଥିଲେ। ଆସନ୍ତା ୮-୧୦ ଜାନୁଆରି ୨୦୨୫ରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସକୁ ନେଇ ଆଲୋଚନା କରିବା ଲାଗି ଆଜିର ବୈଠକ ଡକାଯାଇଥିବା ସେ କହିଥିଲେ। ଏହି ସମାରୋହ ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏଡିଜି ଶ୍ରୀ ମିଶ୍ର କହିଥିଲେ, ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଦେଶମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରୀ ଗଣମାଧ୍ୟମ ସଂସ୍ଥାଗୁଡ଼ିକ କାର୍ଯ୍ୟକ୍ରମକୁ ନେଇ ବ୍ୟାପକ ପ୍ରଚାରପ୍ରସାର ପ୍ରତି ଯତ୍ନବାନ ହେବା ଲାଗି ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ମିଶ୍ର କହିଥିଲେ, ପ୍ରବାସୀ ଭାରତୀୟ ଦିବସକୁ ନେଇ ସେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରବାସୀ ଭାରତୀୟ ଦିବସ ସମାରୋହ ଆମ ସମସ୍ତଙ୍କ ପାଇଁ ଏକ ଭାବନାତ୍ମକ କାର୍ଯ୍ୟକ୍ରମ। ଏହାକୁ ସଫଳ କରିବା ସମସ୍ତଙ୍କର ଦାୟିତ୍ୱ। ଏ ସମ୍ପର୍କରେ ଅଧିକରୁ ଅଧିକ ପ୍ରଚାରପ୍ରସାର କରିବା ଲାଗି ଗଣମାଧ୍ୟମ ପରିଚାଳନା କିଭଳି ସଫଳ ହୋଇପାରିବ ସେଥିପାଇଁ ଆପୋସ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏହି ଖବର ପଢ଼ନ୍ତୁ: ଶିମିଳିପାଳରୁ ଖସିଯାଇ ବର୍ତ୍ତିପାରିଲେନି ୬ ଶିକାରୀ
ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦେବପ୍ରସାଦ ଦାଶ କହିଥିଲେ, ଭୁବନେଶ୍ୱର ଜନତା ମୈଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜନ ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି। ଓଡ଼ିଶା ସରକାର ଏବଂ ବିଦେଶ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ରକ୍ଷା କରି ସମାରୋହକୁ ସଫଳ କରିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିରେ ୭ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଯୋଗଦେବେ। ସେମାନଙ୍କ ରହିବା, ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ବୁଲିବା, ଏବଂ ସୁରକ୍ଷା ପାଇଁ ବ୍ୟାପକ ଆନୁସଙ୍ଗିକ ବନ୍ଦୋବସ୍ତ କରାଯାଇଛି।
ଏହି ଖବର ପଢ଼ନ୍ତୁ: ଅଡୁଆରେ ପ୍ରିୟଙ୍କା , ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ
ଭୁବନେଶ୍ୱର, କଟକ, ପୁରୀ ସହରରେ ଥିବା ଅତିଥି ଭବନ ଓ ଘରୋଇ ହୋଟେଲରେ ଅତିଥିଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ସହଯୋଗୀ ବିଭାଗ ରୂପେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ସମାରୋହ ପାଇଁ ଆବଶ୍ୟକ ପ୍ରସ୍ତୁତି ମଧ୍ୟ କରିଛି। ପ୍ରବାସୀ ଭାରତୀୟ ଦିବସ ସହ ସମାନ୍ତରାଳ ଭାବେ ରାଜଧାନୀରେ ଆଦିବାସୀ ମେଳା, ମୁକ୍ତେଶ୍ୱର ନୃତ୍ୟୋତ୍ସବ ଓ ରାଜାରାଣୀ ସଙ୍ଗୀତ ଉତ୍ସବ ଆୟୋଜନ କରାଯିବ ଯାହା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବ। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସମନ୍ୱୟ ରକ୍ଷା ଉପରେ ମଧ୍ୟ ଶ୍ରୀ ଦାଶ ଗୁରୁତ୍ୱାରୋପ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ବିକଶିତ ହୋଇ ହସିବ ବଣ୍ଡାଘାଟି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/20/6lHDSFOWEPGFXvCHnAGV.jpeg)