Image Courtesy of India Today
ମସ୍କୋ: ମସ୍କୋରେ ସାମରିକ ନେତୃତ୍ବର ପତନ ନିମନ୍ତେ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରି ତାଙ୍କ ସେନା ‘ସର୍ବନାଶ କରିଦେବ’ ବୋଲି ଶନିବାର ଦିନ ରୁଷ୍ର ଘରୋଇ ସେନା ସଙ୍ଗଠନ ‘ୱାଗ୍ନର୍’ର ମୁଖ୍ୟ ୟେଭ୍ଗେନି ପ୍ରିଗୋଝିନ୍ ପ୍ରତିଜ୍ଞା କରିଛନ୍ତି।
ଜାରି କରିଥିବା ଭିଡିଓ ବାର୍ତ୍ତାରେ ‘ୱାଗ୍ନର୍’ର ମୁଖ୍ୟ ୟେଭ୍ଗେନି ପ୍ରିଗୋଝିନ୍ କହିଛନ୍ତି, ଆମେ ଅଗ୍ରସର ହେଉଛୁ ଏବଂ ଶେଷ ସୀମାରେ ପହଞ୍ଚିବୁ।
କୌଣସି ପ୍ରମାଣ ନ ଦେଇ ସେ ଅଭିଯୋଗ କରିଛନ୍ତି ଯେ, ରୁଷୀୟ ସେନା ତାଙ୍କର (ୱାଗ୍ନର୍ ଗ୍ରୁପ୍) ୨୦୦୦ ଯୋଦ୍ଧାଙ୍କୁ ହତ୍ୟା କରିଛି। ତେଣୁ, ସେ ଏହାର ପ୍ରତିଶୋଧ ନେବେ।
ରୁଷୀୟ ସେନା ଆମ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାରୁ ଆମର ଅନେକ ଯୋଦ୍ଧା ତଥା ସହଯୋଗୀ ବନ୍ଧୁଙ୍କର ମୃତ୍ୟୁ ଘଟିଛି ବୋଲି ସେ ଜାରି କରିଥିବା ଭିଡିଓ ବାର୍ତ୍ତାରେ କହିଛନ୍ତି।
Image Courtesy of NDTVସୂଚନାଯୋଗ୍ୟ, ପ୍ରିଗୋଝିନ୍ଙ୍କ ଘରୋଇ ସେନା ସଙ୍ଗଠନ ରୁଷ୍ର ୟୁକ୍ରେନ୍ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। କିନ୍ତୁ, ଗତ କିଛି ମାସ ହେବ ମସ୍କୋର ସାମରିକ ନେତୃତ୍ବ ସହିତ ତାଙ୍କର ସମ୍ପର୍କ ତିକ୍ତ ହୋଇଯାଇଛି। ସେ ଅଭିଯୋଗ କରୁଛନ୍ତି ଯେ, ଏବେ ଉଭୟ ସେନା ଯୁଦ୍ଧ ଭୂମିରେ ପରସ୍ପରଙ୍କୁ ଭେଟିବେ।
ଏଥିପାଇଁ ତାଙ୍କ ସୈନିକମାନେ ଦକ୍ଷିଣ ରୁଷ୍ର ରୋସ୍ତୋଭ୍ ଅଞ୍ଚଳରେ ପ୍ରବେଶ କରିଛନ୍ତି ବୋଲି ସେ କହିଛନ୍ତି। କିନ୍ତୁ, ଏ କଥାର ମଧ୍ୟ ସେ କୌଣସି ପ୍ରମାଣ ଦେଇନାହାନ୍ତି।
ଯୁଦ୍ଧକ୍ଷେତ୍ରରେ ତାଙ୍କ ସୈନିକମାନଙ୍କ ମୃତ୍ୟୁ ଲାଗି ସେ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଏବଂ ‘ଚିଫ୍ ଅଫ୍ ଜେନେରାଲ୍ ଷ୍ଟାଫ୍’ ଭାଲେରି ଗେରାସିମୋଭ୍ଙ୍କୁ ଦାୟୀ କରିଛନ୍ତି। ସାମରିକ ନେତୃତ୍ବ ଯୋଗୁଁ ଘଟୁଥିବା ଦୁର୍ଗତିର ଅବସାନ ଘଟିବା ଉଚିତ। ଏଥିରେ ଯିଏ ବାଧା ଦେବ, ତାକୁ ବିନାଶ କରିଦେବୁ। ଏଇଟା ସାମରିକ ବିଦ୍ରୋହ ନୁହେଁ, ନ୍ୟାୟ ଯାତ୍ରା।
କିନ୍ତୁ, ରୁଷ୍ ଗତକାଲି ଏହାକୁ ଅସ୍ବୀକାର କରି କହିଛି, ବାସ୍ତବତା ସହିତ ଏ ବିବୃତିର କୌଣସି ସାମଞ୍ଜସ୍ୟ ନାହିଁ।
ପ୍ରିଗୋଝିନ୍ଙ୍କ ଘୋଷଣା ପରେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଏବଂ ପ୍ରମୁଖ ସ୍ଥାନମାନଙ୍କରେ ରୁଷ୍ ସରକାର ସୁରକ୍ଷା ବ୍ୟବସ୍ଥା କଠୋର କରିଛନ୍ତି।
Follow Us