‘ବିଶ୍ବ ଶାନ୍ତି’ ପ୍ୟାନେଲ୍‌ରେ ମୋଦୀଙ୍କୁ ରଖିବାକୁ ଚାହାନ୍ତି ମେକ୍ସିକୋ ରାଷ୍ଟ୍ରପତି

‘ବିଶ୍ବ ଶାନ୍ତି’ ପ୍ୟାନେଲ୍‌ରେ ମୋଦୀଙ୍କୁ ରଖିବାକୁ ଚାହାନ୍ତି ମେକ୍ସିକୋ ରାଷ୍ଟ୍ରପତି

Republic World

ନୂଆଦିଲ୍ଲୀ : ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ ଲୋପେଜ ଓବ୍ରାଟର କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୋପ୍ ଫ୍ରାନ୍ସିସ୍ ଓ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ସଦସ୍ୟଭାବେ ନେଇ ଏକ ପାଞ୍ଚବର୍ଷୀୟ ବିଶ୍ବ ଶାନ୍ତି ପ୍ୟାନେଲ ଗଠନ କରିବା ଲାଗି ଜାତିସଂଘକୁ ପ୍ରସ୍ତାବ ଦେବେ। ବିଶ୍ବରେ ଯେପରି ଯୁଦ୍ଧବିଗ୍ରହ ନ ହୁଏ, କେହି କାହା ବିରୋଧରେ ସଶସ୍ତ୍ର ଆକ୍ରମଣ ନ କରନ୍ତି ତାହା ସୁନିଶ୍ଚିତ କରିବା ଲାଗି ଏହି କମିଟି କାମ କରିବ। ଗତ ସପ୍ତାହରେ ଏକ ସମ୍ବାଦିକ ସମ୍ମିଳନୀରେ ଓବ୍ରାଟର ଏହା କହିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ ଓବ୍ରାଟରଙ୍କ ଏହି ପ୍ରସ୍ତାବ ଉପରେ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବାର୍ତ୍ତାଳାପ ହୋଇନାହିଁ। ମିଡ଼ିଆ ରିପୋର୍ଟ ଅନୁସାରେ ମେକ୍ସିକୋରେ ଓବ୍ରାଟର କହିଲେ ଯେ ଏହି ତିନିଜଣ ଲୋକ ସାରା ବିଶ୍ବରେ ଯୁଦ୍ଧ ବନ୍ଦ କରିବା ପାଇଁ କାମ କରିପାରିବେ ଏବଂ ରୁଷ୍, ଚୀନ୍ ଓ ଆମେରିକା ସେମାନଙ୍କ ମଧ୍ୟସ୍ଥତାକୁ ଗ୍ରହଣ କରିବା ଉଚିତ।
ଓବ୍ରାଟର କହିଲେ ଯେ, ସେ ଆଶା କରନ୍ତି ତିନି ବିଶ୍ବଶକ୍ତି- ରୁଷ୍, ଚୀନ୍ ଓ ଆମେରିକା ଏ ପ୍ରସ୍ତାବକୁ ଗ୍ରହଣ କରିବେ। ତାଙ୍କର ପ୍ରସ୍ତାବ ଅନୁସାରେ ମୋଦୀ, ପୋପ୍ ଓ ଗୁଟେରସ ଏକାଠି ବସି ଆଲୋଚନା କରନ୍ତୁ ଏବଂ ଏପରି ସୁଚିନ୍ତିତ ପ୍ରସ୍ତାବ ଦିଅନ୍ତୁ ଯାହାକୁ ସାରା ବିଶ୍ବ ଗ୍ରହଣ କରିବ। ସାରା ବିଶ୍ବରେ ଯେଉଁଠି ଯୁଦ୍ଧ ଚାଲିଛି ତାହା ବନ୍ଦ ହୋଇଯିବ। ଆମେ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଉଚିତ। ବୋମାମାଡ଼ ଦ୍ବାରା ନିରୀହ ଲୋକ ଜୀବନ ହରାଉଛନ୍ତି, ଯାହା ଏବେ ୟୁକ୍ରେନ୍‌ରେ ଚାଲିଛି। ତାହା ବନ୍ଦ ହେବା ଉଚିତ। ବିଶ୍ବରେ ଶାନ୍ତି ପାଇଁ ସମସ୍ତେ ଏକମତ ହେବା ଆବଶ୍ୟକ। ଓବ୍ରାଡରଙ୍କ ମତରେ ତାଇୱାନ, ଇସ୍ରାଏଲ, ପାଲେଷ୍ଟାଇନ ଓ ୟୁକ୍ରେନ୍‌ରେ ଯୁଦ୍ଧ ବା ଯୁଦ୍ଧଭୟ ଓ ଅଶାନ୍ତି ଦେଖାଦେଇଛି। ମଧ୍ୟସ୍ଥଙ୍କ ସନ୍ଧି କଥାବାର୍ତ୍ତା ମାଧ୍ୟମରେ ଏସବୁ ଅଞ୍ଚଳରୁ ଯୁଦ୍ଧ ବା ଯୁଦ୍ଧଭୟ ଦୂର ହୋଇପାରିବ। ସେ ପୁଣି କହିଛନ୍ତି ଯେ ବିଶ୍ବର ସମସ୍ତ ସରକାର ଜାତିସଂଘକୁ ସମ୍ମାନ ଦେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe