କ୍ଷେପଣାସ୍ତ୍ର ଟ୍ରାକିଂ ଡ୍ରିଲ ଆରମ୍ଭ

Advertisment

ଉତ୍ତର କୋରିଆର ମୁକାବିଲା ପାଇଁ ପ୍ରସ୍ତୁତି

ଉତ୍ତର କୋରିଆର ମୁକାବିଲା ପାଇଁ ପ୍ରସ୍ତୁତି

କ୍ଷେପଣାସ୍ତ୍ର ଟ୍ରାକିଂ ଡ୍ରିଲ ଆରମ୍ଭ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା କରି ଆତଙ୍କ ସୃଷ୍ଟି କରିଥିବା ଉତ୍ତର କୋରିଆର ମୁକାବିଲା ପାଇଁ ଏବେ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ବଡ଼ ଧରଣର ଯୁଦ୍ଧାଭ୍ୟାସ ଜାରି ରଖିଛନ୍ତି।ଏହି କ୍ରମରେ ତିନି ରାଷ୍ଟ୍ର ମିଳିତ ଭାବେ କ୍ଷେପଣାସ୍ତ୍ର ଟ୍ରାକିଂ ଡ୍ରିଲ କରୁଛନ୍ତି। ଉତ୍ତର କୋରିଆର ଯେ କୌଣସି କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ନଷ୍ଟ କରିଦେବାପାଇଁ ଏହ ଟ୍ରାକିଂ ଅପରେସନ ଉଦ୍ଦିଷ୍ଟ ବୋଲି କୁହାଯାଇଛି । ଜାପାନର ସାମୁଦ୍ରିକ ସୁରକ୍ଷା ବାହିନୀ ଅତ୍ୟାଧୁନିକ ଟ୍ରାକିଂ ବ୍ୟବସ୍ଥାରେ କ୍ଷେପଣାସ୍ତ୍ରକୁ ଠାବ କରୁଛି ଏବଂ ଏହାକୁ ତତ୍କାଳ ନଷ୍ଟ କରିବା ପାଇଁ କ୍ଷେପଣାସ୍ତ୍ର ବିଧ୍ୱଂସୀ ବ୍ୟବସ୍ଥାର ସହାୟତା ନିଆଯାଉଛି। ସପ୍ତାହକ ତଳେ ଉତ୍ତର କୋରିଆ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରିଥିଲା ଏବଂ ଏହା ଜାପାନର ଅର୍ଥନୈତିକ ଜୋନ୍‌ ଅଂଚଳରେ ଯାଇ ମାଡ଼ ହୋଇଥିଲା। ଭବିଷ୍ୟତରେ ଏଭଳି ଆକ୍ରମଣରୁ ବର୍ତ୍ତିବା ପାଇଁ ଏବେ ଜାପାନ ପଦକ୍ଷେପ ନେଉଛି। ମିସାଇଲ ଧ୍ୱଂସ ସଂକ୍ରାନ୍ତ ସମସ୍ତ ଜ୍ଞାନ କୌଶଳ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ବିନିମୟ ହୋଇଛି ।

ଉତ୍ତର କୋରିଆକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଯେ କୌଣସି ମୁହୂର୍ତ୍ତରେ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଆମେରିକା ଏବେ ତୟାର ହେଉଛି । ଆମେରିକା ତା’ର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନଗୁଡ଼ିକୁ କୋରିଆ ଉପଦ୍ୱୀପ ଆକାଶରେ ଉଡ଼ାଇବା ସହ ସ୍ୟାଟେଲାଇଟ୍‌ ମାଧ୍ୟମରେ ଉତ୍ତର କୋରିଆ ଉପରେ ଅହରହ ନଜର ରଖିଛି। ଏଭଳି ସ୍ଥିତିରେ ଏକ ଅବଶ୍ୟମ୍ଭାବୀ ଯୁଦ୍ଧ ଆଶଙ୍କାରେ ବିଶ୍ୱ ସମୁଦାୟ ଆତଙ୍କିତ ହୋଇପଡ଼ିଛନ୍ତି। ଆମେରିକା ବାୟୁସେନାର ବୋମାବର୍ଷୀ ବିମାନଗୁଡ଼ିକୁ ପରମାଣୁ ଅସ୍ତ୍ର ସଂଯୋଗ କରି ରଖାଯାଇଛି। ଉତ୍ତର କୋରିଆର ଆଣବିକ ଅସ୍ତ୍ର ହାସଲ କରିବାର ଦକ୍ଷତା ବୃଦ୍ଧି ଚୀନ୍‌ ପାଇଁ ମଧ୍ୟ ସଙ୍କଟ ସୃଷ୍ଟି କରିଛି। ଆମେରିକା ଏବେ କୋରିଆ ଉପଦ୍ୱୀପରେ ତା’ର ଶକ୍ତି ପ୍ରଦର୍ଶନ ଚଳାଇଥିବାରୁ ଆଜି ଚୀନ୍‌ ଏଥିରେ ଉଦ୍‌ବେଗ ପ୍ରକାଶ କରିଛି। ଆମେରିକା ସହ ଯୁଦ୍ଧପାଇଁ ଉତ୍ତର କୋରିଆର ରଣନୀତିକୁ କିମ୍‌ ଜଙ୍ଗ୍‌ ଶେଷ ସ୍ପର୍ଶ ଦେଉଥିବାରୁ ଜାପାନ ଓ ଦକ୍ଷିଣ କୋରିଆ ନିଜ କ୍ଷେପଣାସ୍ତ୍ର ବ୍ୟବସ୍ଥାଗୁଡ଼ିକୁ ସଜାଗ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe