ବେଙ୍ଗାଲୁରୁ : ବାଙ୍ଗାଲୁରୁ ଆକାଶରେ ଗତ ଜାନୁଆରି ୭ ତାରିଖରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି । ମଝି ଆକାଶରେ ଦୁଇଟି ଇଣ୍ଡିଗୋ ବିମାନ ପରସ୍ପର ସହ ଧକ୍କା ହେଉ ହେଉ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଭୁବନେଶ୍ବର ଆସୁଥିଲା ଓ ଅନ୍ୟଟି କୋଲକାତା ଯାଉଥିଲା । ଘଟଣାଟି ବେଙ୍ଗାଲୁରୁର କାମ୍ପାଗୌଡ଼ା ଅନ୍ତର୍ଜାତୀୟ ଏୟାରପୋର୍ଟରେ ଘଟିଥିବା ସୂଚନା ରହିଛି ।
ମିଳିଥିବା ରିପୋର୍ଟ ଅନୁସାରେ ଏହି ଏୟାରପୋର୍ଟର ଉତ୍ତର ଓ ଦକ୍ଷିଣ ରନଓ୍ବେକୁ ଏକକାଳୀନ ବିମାନ ଡିପାର୍ଚର ପାଇଁ ବ୍ୟବହାର କରାଯାଏ ନାହିଁ । କାରଣ ଏପରି ହେଲେ ଦୁଇଟି ବିମାନ ଆକାଶରେ ଧକ୍କା ହେବାର ଆଶଙ୍କା ରହିଥାଏ । ସାଧାରଣତଃ, ଉତ୍ତର ରନଓ୍ବେକୁ ଡିପାର୍ଚର ( ବିମାନ ଉଡ଼ାଣ ଆରମ୍ଭ କରିବା) ପାଇଁ ଓ ଦକ୍ଷିଣ ରନଓ୍ବେକୁ ଆରାଇଭାଲ ( ବିମାନ ଓହ୍ଲାଇବା ) ପାଇଁ ବ୍ୟବହାର କରାଯାଏ । କିନ୍ତୁ ସେଦିନ ଭୁବନେଶ୍ବର ଅଭିମୁଖୀ ଇଣ୍ଡିଗୋ ୬ଇ୨୪୬ ଓ କୋଲକାତା ଅଭିମୁଖୀ ଇଣ୍ଡିଗୋ ୬ଇ୪୫୫ ବିମାନକୁ ଉଭୟ ରନଓ୍ବେରେ ଡିପାର୍ଚର ପାଇଁ ଅନୁମତି ଦିଆଯାଇଥିଲା ।ଫଳରେ ଦୁଇଟି ଯାକ ବିମାନ ରନୱେରୁ ଉଡାଣ ଲାଗି ବାହାରି ଯାଇଥିଲେ। ଏହି ସମୟରେ ରାଡାର କଣ୍ଟ୍ରୋଲର ଏହା ଦେଖିପାରିଥିଲେ ଓ ସଙ୍ଗେସଙ୍ଗେ ଏ ସଂପର୍କରେ ବିମାନର ପାଇଲଟଙ୍କୁ ଜଣାଇ ଦିଆଯାଇଥିଲା। ଏହପରେ ମଝିଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା ହେବାରୁ ବଞ୍ଚିଯାଇଥିଲେ।
ତେବେ ଏହି ତ୍ରୁଟି ସଂପର୍କରେ ଏୟାରପୋର୍ଟ ଅଥରିଟିଙ୍କୁ ସୂଚନା ଦିଆଯାଇ ନଥିବା ଜଣାପଡ଼ିଛି। ଏଥିସହ ବିମାନବନ୍ଦରର ଲଗବୁକରେ ମଧ୍ୟ ଏହାର ଉଲ୍ଲେଖ କରାଯାଇନାହିଁ। ତେବେ ଏଏଆଇ ପକ୍ଷରୁ ଏହାର ତଦନ୍ତ କରାଯାଉଛି ଓ ଅବହେଳା ଲାଗି ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
କିଛି ଦିନ ତଳେ ଦୁବାଇ ଆକାଶରେ ମଧ୍ୟ ସମାନ ପ୍ରକାରର ବିମାନ ଦୁର୍ଘଟଣା ହେଉ ହେଉ ଅଳ୍ପକେ ରହିଯାଇଥିଲା । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଭାରତ ଅଭିମୁଖେ ଆସୁଥିବା ଏମିରେଟ୍ସ ଏୟାରର ଦୁଇଟି ବିମାନ ।
Follow Us