ତେହେରାନ/ତେଲ୍‌ ଅଭିଭ୍‌: ମଧ୍ୟପ୍ରାଚ୍ୟର ରାଜନୈତିକ ଉତ୍ତେଜନା ଆଜି ଏକ ବିପଜ୍ଜନକ ଯୁଦ୍ଧରେ ପରିଣତ ହୋଇଛି। ଇରାନ-ଆମେରିକା ପରମାଣୁ ଆଲୋଚନା ବିଫଳ ହେବା ପରେ ଆଜି ଇରାନ ଉପରେ ବ୍ୟାପକ ଆକ୍ରମଣ ଆରମ୍ଭ ହୋଇଛି। ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣରେ ତେହେରାନରେ ଧ୍ବଂସଲୀଳା ଦେଖିବାକୁ ମିଳିଛି। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କୁ ହତ୍ୟା ପାଇଁ ତାଙ୍କର କାର୍ଯ୍ୟାଳୟ ସମେତ ବିଭିନ୍ନ ‌ଠିକଣାରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ତେବେ ଖେମିନି ସୁରକ୍ଷିତ ଥିବା କୁହାଯାଇଛି। ଇରାନର କେତେକ କମାଣ୍ଡ ସେଣ୍ଟର, ଗୁଇନ୍ଦା ମନ୍ତ୍ରାଳୟ, ଖେମିନିଙ୍କ କାର୍ଯ୍ୟାଳୟ ଓ ପରମାଣୁ ପ୍ରତିଷ୍ଠାନ ଭୀଷଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ହରମୋଜଗାନ ପ୍ରଦେଶସ୍ଥିତ ମିନାବ ସହରରେ ଥିବା ଏକ ବାଳିକା ବିଦ୍ୟାଳୟ ଉପରେ କ୍ଷେପଣାସ୍ତ୍ର ମାଡ଼ ହେବାରୁ ଛାତ୍ରୀଙ୍କ ସମେତ ୮୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଇରାନ ତୁରନ୍ତ ପ୍ରତିଶୋଧସ୍ୱରୂପ ପ୍ରବଳ କ୍ଷେପଣାସ୍ତ୍ର ମାଡ଼ କରିଛି। ଇସ୍ରାଏଲ ଓ ଉପସାଗରୀୟ ରାଷ୍ଟ୍ରରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଇରାନ ଶତାଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଘଟଣାକ୍ରମ ଆଞ୍ଚଳିକ ସ୍ଥିରତାକୁ ବିପନ୍ନ କରିବା ସହ ବୃହତ୍ ଯୁଦ୍ଧ ଆଶଙ୍କା ସୃଷ୍ଟି କରିଛି।

Advertisment

Protest: ଟ୍ରିବୁନାଲଙ୍କ ଗସ୍ତ ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ସତ୍ୟାଗ୍ରହ

ଜେନେଭାରେ ଇରାନ-ଆମେରିକା ପରମାଣୁ ଆଲୋଚନା ବିଫଳ ପରେ ଇସ୍ରାଏଲ-ଆମେରିକା ମିଳିତ ଭାବେ ଅଚାନକ ଆକ୍ରମଣ କରିବା ବିଶ୍ବ ସମୁଦାୟକୁ ସ୍ତବ୍ଧ କରିଦେଇଛି। ଜାତିସଂଘ ଏହି ମାମଲାରେ ଏକ ଜରୁରି ବୈଠକ ଡକାଇ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ କହିଛି। ଆଜି ସକାଳେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟଜ୍ ଘୋଷଣା କରିଥିଲେ ଯେ ଆମେରିକା ସହଯୋଗରେ ଇରାନ ବିରୋଧରେ ଆମର ଆଗୁଆ ଆକ୍ରମଣ ଆରମ୍ଭ ହୋଇଛି। ଏହି ମିଳିତ ଅପରେସନ୍‌କୁ ଇସ୍ରାଏଲ ପକ୍ଷରୁ ‘ରୋରିଙ୍ଗ୍ ଲାୟନ୍’ ଓ ଆମେରିକା ପକ୍ଷରୁ ‘ଏପିକ୍ ଫ୍ୟୁରି’ ନାମ ଦିଆଯାଇଛି। ଖେମିନିଙ୍କ ସୁରକ୍ଷା ପାଇଁ ତାଙ୍କୁ କୌଣସି ଭୂଗର୍ଭ ବଙ୍କର କିମ୍ବା ତେହେରାନ୍ ବାହାରେ ରଖାଯାଇଥିବା ଜଣାପଡ଼ିଛି। ଇରାନରେ ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଛି ଏବଂ ଅନେକ ଦେଶର ଏୟାରସ୍ପେସ୍ ବନ୍ଦ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଭିଡିଓ ବାର୍ତ୍ତାରେ ଏହାକୁ ‘ବୃହତ୍ ଯୁଦ୍ଧ ଅପରେସନ୍’ବୋଲି ବର୍ଣ୍ଣନା କରି ଇରାନୀୟ ସୈନ୍ୟଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଅପରେସନ୍ ଇରାନର ମିସାଇଲ୍‌ ଓ ପରମାଣୁ କାର୍ଯ୍ୟକ୍ରମକୁ ଧ୍ୱଂସ କରିବା ଲକ୍ଷ୍ୟରେ ହୋଇଛି। ଏଥିପାଇଁ ଆମେରିକୀୟ ସୈନ୍ୟଙ୍କ ଜୀବନ ବିପଦରେ ପଡ଼ିପାରେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଇରାନରେ ଶାସନ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଛନ୍ତି। ଆଜିର ଆକ୍ରମଣରେ ଇରାନର ପରମାଣୁ କେନ୍ଦ୍ର ନାଟାଞ୍ଜ ଓ ଫୋର୍ଡୋ ସ୍ଥାନକୁ ଟାର୍ଗେଟ୍‌ କରାଯାଇଛି; ଯାହା ଇରାନର ସାମରିକ କ୍ଷମତାକୁ କ୍ଷୟକ୍ଷତି ପହଞ୍ଚାଇଛି। ରଏଟର୍ସ ଅନୁଯାୟୀ, ଏହି ଆକ୍ରମଣରେ ଇରାନର କମାଣ୍ଡ ସେଣ୍ଟର୍‌ଗୁଡ଼ିକ ଧ୍ୱଂସ ହୋଇଥିବାରୁ ଇରାନର ଯୁଦ୍ଧ ପରିଚାଳନା ପ୍ରଭାବିତ ହୋଇଛି। 

ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ
ତେହେରାନରେ ଧ୍ବଂସଲୀଳା, କମାଣ୍ଡ ସେଣ୍ଟର ଧ୍ବସ୍ତ
ପରମାଣୁ କେନ୍ଦ୍ର, ଖେମିନିଙ୍କ କାର୍ଯ୍ୟାଳୟରେ କ୍ଷେପଣାସ୍ତ୍ର ମାଡ଼

ଇସ୍‌ଲାମିକ ରେଭୋଲ୍ୟୁସନାରୀ ଗାର୍ଡସ୍‌ (ଆଇଆର୍‌ଜିସି) ଅନୁଯାୟୀ, ଇସ୍ରାଏଲ ଉପରେ ପ୍ରଥମ ପର୍ଯ୍ୟାୟରେ ୪୦୦ରୁ ଅଧିକ ବାଲିଷ୍ଟିକ୍ ମିସାଇଲ୍‌ ଓ ଡ୍ରୋନ୍ ମାଡ଼ ହୋଇଛି। ତେଲ୍ ଅଭିଭ୍ ଓ ଉତ୍ତର ଇସ୍ରାଏଲରେ ତୁହାକୁତୁହା ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି ଏବଂ ଦେଶବ୍ୟାପୀ ସାଇରନ୍ ବାଜିଛି। ଏହି ଆକ୍ରମଣରେ ବଡ଼ ମୃତାହତ ଆଶଙ୍କା କରାଯାଉଛି। ଇରାନ ପକ୍ଷରୁ ଛଡ଼ାଯାଇଥିବା ଅନେକ ମିସାଇଲ୍‌କୁ ଇସ୍ରାଏଲର ଆୟରନ୍ ଡୋମ୍ ସିଷ୍ଟମ୍ ଦ୍ୱାରା ଅବରୋଧ କରାଯାଇଛି। ଇରାନ ଏହି ଆକ୍ରମଣରେ ହୁଥି ବିଦ୍ରୋହୀମାନଙ୍କୁ ମଧ୍ୟ ସମ୍ପୃକ୍ତ କରିଛି, ଯେଉଁମାନେ ୟେମେନରୁ ଇସ୍ରାଏଲ ଓ ସମୁଦ୍ରପଥରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ଇରାନ ରାଷ୍ଟ୍ରୀୟ ଟିଭିରେ କୁହାଯାଇଛି- ‘ଏହି ଯୁଦ୍ଧ ଇସ୍ରାଏଲ ଓ ଆମେରିକା ଆରମ୍ଭ କରିଛନ୍ତି, ଆମେ ତାହାର ଶେଷ କରିବୁ। ଶତ୍ରୁମାନଙ୍କୁ ମାଟିରେ ମିଶାଇ ଦିଆଯିବ।’ ଆଜିର ଏହି ଭୀଷଣ ଆକ୍ରମଣରେ ହଜାର ହଜାର ନାଗରିକଙ୍କ ଜୀବନ ବିପଦରେ ପଡ଼ିଛି ଏବଂ ଆଗକୁ ବଡ଼ ମାନବୀୟ ସଙ୍କଟ ସୃଷ୍ଟି ହେବା ଆଶଙ୍କା କରାଯାଉଛି। ଉଭୟ ଇସ୍ରାଏଲ ଓ ଇରାନରେ ଜରୁରି ପରିସ୍ଥିତି ଘୋଷଣା ହୋଇଛି।

Narendra Modi: ଆମ ସରକାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ

ସ୍କୁଲ୍‌ରେ କ୍ଷେପଣାସ୍ତ୍ର ମାଡ଼, ଛାତ୍ରୀଙ୍କ ସମେତ  ୮୫ ମୃତ
ଆମେରିକାର ସାମରିକ ଘାଟି ସହିତ ୮ ଦେଶ 
ଉପରେ ଇରାନର ପାଲଟା ଆକ୍ରମଣ

ଇରାନ ପ୍ରତିରକ୍ଷା ମନ୍ତ୍ରୀ, ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ! ସମସ୍ତ ମନ୍ତ୍ରୀ, ଶୀର୍ଷ ଅଧିକାରୀ ସୁରକ୍ଷିତ: ଇରାନ ବିଦେଶ ମନ୍ତ୍ରୀ

ତେହେରାନ: ଇରାନ ପ୍ରତିରକ୍ଷା ମନ୍ତ୍ରୀ ଅମୀର ନସିରଜାଦେ ଏବଂ ରିଭୋଲ୍ୟୁସନରି ଗାର୍ଡ କମାଣ୍ଡର ମହମ୍ମଦ ପାକେପୋର୍‌ଙ୍କର ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଛି। ତେବେ ଇରାନ ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଆକ୍ରମଣରେ କୌଣସି ମନ୍ତ୍ରୀ କିମ୍ବା ଶୀର୍ଷ ସାମରିକ ଅଧିକାରୀଙ୍କ ମୃତ୍ୟୁ ହୋଇନାହିଁ।  ପୂର୍ବତନ କମାଣ୍ଡର ହୁସେନ୍‌ ସଲାମିଙ୍କୁ ହଟାଇ ୨୦୨୫ରେ ଇରାନର ସର୍ବୋଚ୍ଚ ନେତା ଅାୟାତୋଲ୍ଲା ଖେମିନି ପାକ୍‌ପୋର୍‌ଙ୍କୁ ମେଜର ଜେନେରାଲ ପାହ୍ୟାକୁ ପଦୋନ୍ନତି ଦେଇଥିଲେ। ଉଲ୍ଲେଖଯୋଗ୍ୟ,  ଇସ୍ରାଏଲ ଏବଂ ଆମେରିକା ଦ୍ବାରା ହୋଇଥିବା ଆକ୍ରମଣରେ ଇରାନର ଶୀର୍ଷ ସାମରିକ ନେତୃବୃନ୍ଦ ଓ କମାଣ୍ଡରମାନଙ୍କୁ ଟାର୍ଗେଟ୍‌ କରାଯାଇଛି। ମିଳିତ ଆକ୍ରମଣରେ ଇରାନୀ ରିଭୋଲ୍ୟୁସନରି ଗାର୍ଡର ଅନେକ ଶୀର୍ଷ କମାଣ୍ଡରଙ୍କ ସହିତ ରାଜନୈତକ ଅଧିକାରୀମାନଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି।