ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ମଝି ଅକାଶରେ ଦୁଇ ଯାତ୍ରୀବାହୀ ବିମାନ ମୁହାଁମୁହିଁ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ତେବେ ସୌଭାଗ୍ୟ କ୍ରମେ ପାଇଲଟ୍ ଦ୍ୱୟ ସତର୍କ ହୋଇ ବିମାନ ଦୁଇଟିର ଗତିପଥ ତୁରନ୍ତ ପରିବର୍ତ୍ତନ କରିଦେବାରୁ ୧୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କର ଜୀବନ ଅଳ୍ପକେ ବଞ୍ଚିଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୁଇ ଜଣ ପାଇଲଟଙ୍କୁ ନିଲମ୍ବନ କରିଛନ୍ତି। ମିଳିଥିବା ଖବର ମୁତାବକ, ଗତ ବୁଧବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ମଝି ଆକାଶରେ ବିପରୀତ ଦିଗରୁ ଆସୁଥିବା ଦୁଇ ଯାତ୍ରୀବାହୀ ବିମାନ ଏୟାର ଭିସ୍ତାରାର ୟୁକେ-୯୯୭ ଏବଂ ଏୟାର ଇଣ୍ଡିଆର ଏଆଇ ୬୩୧ ବିମାନ ମୁହାଁମୁହିଁ ହୋଇଯାଇଥିଲେ। ଉଭୟ ବିମାନ ପରସ୍ପର ସହ ଧକ୍କା ହେବାର ଅଳ୍ପ କିଛି ସେକେଣ୍ଡ ପୂର୍ବରୁ ନିଜ ନିଜର ଗତିପଥରେ ପରିବର୍ତ୍ତନ କରିଦେବାରୁ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ଟଳି ଯାଇଥିଲା। ଏୟାର ଭିସ୍ତାରାର ପାଇଲଟଙ୍କ କହିବା ଅନୁଯାୟୀ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ ମୁତାବକ ଧାର୍ଯ୍ୟ ଉଚ୍ଚତାରେ ତାଙ୍କ ବିମାନ ଉଡ଼ୁଥିବା ବେଳେ ସେହି ସମୟରେ ଏୟାର ଇଣ୍ଡିଆର ବିମାନଟି ଅନୁରୂପ ଉଚ୍ଚତାରେ ତାଙ୍କ ଆଡକୁ ମାଡ଼ି ଆସିଥିଲା। ତେବେ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ।
ମଝି ଅକାଶରେ ଦୁଇ ବିମାନ ମୁହଁମୁହିଁ
Advertisment
Follow Us