ଝାନ୍ସୀ: ଭାରତରେ ପ୍ରବାସୀ ଶ୍ରମିକଙ୍କମାନେ ଭୋଗୁଥିବା ସମସ୍ୟାର ବିଭିନ୍ନ ହୃଦୟ ଥରାଇଦେବା ଭଳି ଚିତ୍ର ସାମ୍ନାକୁ ଆସି ସାରିଛି | କିଛି ଦିନ ତଳେ ବିହାରର ମୁଜାଫରପୁର ରେଳ ଷ୍ଟେସନରେ ଜଣେ ପ୍ରବାସୀ ମହିଳାଙ୍କ ମୃତଦେହ ପଡିଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା | ମହିଳାଙ୍କ ପାଖରେ କୁନି ଶିଶୁଟି ଛିଡା ହୋଇ ନିଜ ମା'କୁ ଉଠାଇବାର ଯେଉଁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା, ତାହା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଥିଲା | ଆଜି ପୁଣି ସେଭଳି ଏକ ଖବର ଚର୍ଚ୍ଚାର ପରିସରକୁ ଆସିଛି | ଟ୍ରେନର ଶୌଚାଳୟରୁ ପ୍ରବାସୀ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି |
ବୁଧବାର ଉତ୍ତରପ୍ରଦେଶର ଝାନ୍ସୀ ରେଳ ଷ୍ଟେସନରେ ଏକ ଟ୍ରେନର ଶୌଚାଳୟରୁ ୩୮ବର୍ଷୀୟ ପ୍ରବାସୀ ଶ୍ରମିକଙ୍କ ମୃତଦେହ ମିଳିଥିବା ଖବର ଏବେ ସାମ୍ନାକୁ ଆସିଛି | ରେଳ କର୍ମଚାରୀମାନେ ଟ୍ରେନକୁ ସାନିଟାଇଜ୍ କରୁଥିବା ସମୟରେ ମୃତଦେହଟି ଶୌଚାଳୟରେ ପଡିଥିବାର ଦେଖିଥିଲେ | ମୃତଦେହ ଉଦ୍ଧାର ପରେ ପ୍ରାୟ ୫ଦିନ ହେବ ମୃତଦେହଟି ସେଠାରେ ପଡିରହିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି |
Sabrang Indiaମୃତଦେହଟି ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର ବାସିନ୍ଦା ମୋହନ ଲାଲ ଶର୍ମାଙ୍କର ବୋଲି ଜଣାପଡିଛି। ମୋହନ ମୁମ୍ବାଇରେ ଦିନ ମଜୁରିଆ ଭାବରେ କାମ କରୁଥିଲେ | କିନ୍ତୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ପରି ଲକଡାଉନ ପରେ ମୋହନଙ୍କୁ ମଧ୍ୟ ହାତ ବାନ୍ଧି ବସିବାକୁ ପଡିଥିଲା | କାମ ବନ୍ଦ ହେବା ପରେ ମୋହନ ମେ ୨୩ରେ ଝାନ୍ସୀରେ ପହଞ୍ଚିବାରେ ସଫଳ ହୋଇଥିଲେ | ଏହା ପରେ ତାଙ୍କ ସହ ଅନ୍ୟ ପ୍ରବାସୀମାନଙ୍କୁ ଗୋରଖପୁର ଯିବା ପାଇଁ ଜିଲ୍ଲା ପ୍ରଶାସନ ଷ୍ଟେସନକୁ ପଠାଇଥିଲେ |
ଟ୍ରେନରେ ଚଢିବା ସମୟରେ ମୋହନ ତାଙ୍କ ମୋବାଇଲ୍ ଫୋନରେ ଜଣେ ସମ୍ପର୍କୀୟଙ୍କ ସହ କଥା ହୋଇ ଗୋରଖପୁରର ଷ୍ଟେସନରେ ତାଙ୍କୁ ଭେଟିବାକୁ କହିଥିଲେ। ମେ ୨୪ରେ ଯେତେବେଳେ ସମ୍ପର୍କୀୟଜଣକ ମୋହନଙ୍କୁ ଭେଟିବା ପାଇଁ ଫୋନ କରିଥିଲେ, ସେତେବେଳେ ତାଙ୍କ ଫୋନ ବନ୍ଦ ହୋଇଯାଇଥିଲା | ଟ୍ରେନଟି ମେ ୨୭ରେ ବୁଧବାର ଝାନ୍ସୀକୁ ଫେରିବା ପରେ ରେଳ କର୍ମଚାରୀମାନେ କୋଚଗୁଡିକୁ ସାନିଟାଇଜ କରିବା ସମୟରେ ମୋହନଙ୍କ ମୃତଦେହ ଶୌଚାଳୟ ଭିତରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ତାଙ୍କର ମୃତ୍ୟୁ କିଭଳି ହେଲା ତାହା ସ୍ପଷ୍ଟ ହୋଇପାରିନାହିଁ |
Follow Us