ଗନ୍ତବ୍ୟସ୍ଥଳକୁ ଯିବାକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ମାଡ଼ିଗଲା ମିନିଟ୍ରକ: ଘଟଣାସ୍ଥଳରେ ଉଡ଼ିଗଲା ଦୁଇଜଣଙ୍କ ପ୍ରାଣବାୟୁ

କେରଳର କୋଲ୍ଲମ ଜିଲ୍ଲାର କୋଟ୍ଟାରାକ୍କାରା ଅଞ୍ଚଳରେ ରାସ୍ତାପାର୍ଶ୍ବରେ ବସକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ମାଡ଼ିଗଲା ମିନିଟ୍ରକ। ଘଟଣାସ୍ଥଳରେ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ।

TY

କୋଲ୍ଲମ: କେରଳର କୋଲ୍ଲମ ଜିଲ୍ଲାର କୋଟ୍ଟାରାକ୍କାରା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମିନି ଟ୍ରକ ଅନିୟନ୍ତ୍ରିତ ହୋଇ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ଯାତ୍ରୀଙ୍କୁ ଚାପି ଆଗକୁ ବଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଆହତ ଯାତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଏହି ଦୁର୍ଘଟଣାକୁ ନେଇ  ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି, ‘ ରାସ୍ତାରେ ଚଳାଚଳ ସ୍ୱାଭାବିକ ଥିଲା ଏବଂ ଲୋକମାନେ ସବୁଦିନ ପରି ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବସକୁ ଅପେକ୍ଷା କରି ରହିଥିଲେ। ଏହି ସମୟରେ ଏକ ମିନି ଟ୍ରକର ଚାଳକ ଗାଡ଼ି ଉପରୁ ନିଜର ନିୟନ୍ତ୍ରଣ ହରାଇ ଦେଇଥିଲେ। ଫଳରେ ବସ୍ ଷ୍ଟପରେ ଛିଡ଼ା ହୋଇଥିବା ଯାତ୍ରୀଙ୍କ ଆଡକୁ ଉକ୍ତ ମିନି ଟ୍ରକଟି ମୃତ୍ୟୁ ସାଜି ମାଡ଼ି ଆସିଥିଲା। ଦେଖୁଦେଖୁ ଜଣକ ପରେ ଜଣେ ଯାତ୍ରୀଙ୍କୁ ଧକ୍କା ଦେଇ ଆଗକୁ ଯାଇ ଏକ ଖମ୍ଭରେ ମାଡ଼ ହୋଇ ଅଟକି ଯାଇଥିଲା ମିନି ଟ୍ରକ। 

ଦୁର୍ଘଟଣା ସମ୍ପର୍କରେ ଲୋକମାନେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରି ଦୁଇଜଣ ଯାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୁଲିସ ମିନି ଟ୍ରକ ଏବଂ ଏହାର ଚାଳକଙ୍କୁ ଗିରଫ କରି ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି।

ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟଲୋକେ କ୍ଷୋଭ ପ୍ରକାଶ କରି କହିଛନ୍ତି, ‘ଏହା ପ୍ରଥମ ଦୁର୍ଘଟଣା ନୁହେଁ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଦ୍ରୁତ ଗତିରେ ଯାନବାହନ ଚଳାଚଳ କରିବା ଯୋଗୁଁ ଅନେକ ଦୁର୍ଘଟଣା ଘଟିଛି, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନାହିଁ। ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଣିକି ଯାତ୍ରୀମାନେ ରାସ୍ତା କଡ଼ରେ ବସ୍ ଷ୍ଟପରେ ଛିଡା ହେବାକୁ  ଭୟ କରୁଛନ୍ତି।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe