ହମାସ ପ୍ରସଙ୍ଗରେ ସଂସଦରେ ପ୍ରଶ୍ନୋତ୍ତର ସ୍ୱାକ୍ଷରକୁ ମନ୍ତ୍ରୀ ଲେଖୀ ଅସ୍ୱୀକାର କଲେ: କହିଲେ ‘ତଦନ୍ତ କଲେ ଦୋଷୀ କିଏ ଜଣାପଡ଼ିବ’

Advertisment
ହମାସ ପ୍ରସଙ୍ଗରେ ସଂସଦରେ ପ୍ରଶ୍ନୋତ୍ତର ସ୍ୱାକ୍ଷରକୁ ମନ୍ତ୍ରୀ ଲେଖୀ ଅସ୍ୱୀକାର କଲେ: କହିଲେ ‘ତଦନ୍ତ କଲେ ଦୋଷୀ କିଏ ଜଣାପଡ଼ିବ’

ନୂଆଦିଲ୍ଲୀ: ଭାରତ ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଯୋଜନା କରୁଛି କି ନାହିଁ ସେ ନେଇ ସଂସଦର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ସ୍ୱାକ୍ଷର କରିବାକୁ ମନା କରିଦେଇଛନ୍ତି। ଲେଖୀଙ୍କ ନାମ ସମ୍ବଳିତ ଏକ ଦସ୍ତାବିଜରେ ହମାସ ଉପରେ ସଂସଦୀୟ ପ୍ରଶ୍ନର ଉତ୍ତର ଦେଖାଯିବା ପରେ ଏହି ଘଟଣା ଘଟିଛି। ଏହି ଦସ୍ତାବିଜକୁ ଏକ୍ସରେ ସେୟାର କରାଯାଇଥିଲା।

ପରେ ଲେଖୀ ନିଜ ଅଫିସିଆଲ ହ୍ୟାଣ୍ଡେଲରେ ଏହି ଦସ୍ତାବିଜରେ ସ୍ୱାକ୍ଷର କରିଥିବା ଅସ୍ୱୀକାର କରି କହିଛନ୍ତି, ମୁଁ ଏହି ପ୍ରଶ୍ନ ସହିତ କୌଣସି କାଗଜରେ ସ୍ୱାକ୍ଷର କରିନାହିଁ। ଏନେଇ ଭୁଲ ସୂଚନା ଦିଆଯାଇଛି। ଅନ୍ୟ ଏକ ପୋଷ୍ଟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ତଦନ୍ତ ହେଲେ ପ୍ରକୃତ ଦୋଷୀ ପଦାକୁ ଆସିବ।

ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଲୋକସଭାରେ ସୂଚନା ଦେଇଥିଲେ ଯେ ହମାସ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଉପୁଜିଥିବା ନିରାପତ୍ତା ପରିସ୍ଥିତିକୁ ନେଇ ଭାରତ ଚିନ୍ତିତ ରହିଛି ଏବଂ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱାରୋପ କରିବା ସହିତ ସଂଯମ ଏବଂ ଉତ୍ତେଜନା ହ୍ରାସ ପାଇଁ ଆହ୍ଵାନ ଦେଇଛି।

ଅନ୍ୟପକ୍ଷରେ ଇସ୍ରାଏଲ ଚାହୁଁଥିବା ହମାସକୁ ଭାରତ ଆତଙ୍କବାଦୀ ସଂଗଠନ ଘୋଷଣା କରିବ କି ବୋଲି ପଚରାଯିବାରୁ ମୀନାକ୍ଷୀ ଲେଖୀ ସିଧାସଳଖ ଉତ୍ତର ଦେଇ ନଥିଲେ।

କୌଣସି ସଂଗଠନକୁ ଆତଙ୍କବାଦୀ ଘୋଷଣା କରିବା ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ଅନ୍ତର୍ଭୁକ୍ତ ଏବଂ କୌଣସି ସଂଗଠନକୁ ଆତଙ୍କବାଦୀ ଘୋଷଣା କରିବା ସମ୍ପୃକ୍ତ ସରକାରୀ ବିଭାଗ ଦ୍ୱାରା ଆଇନର ବ୍ୟବସ୍ଥା ଅନୁଯାୟୀ ବିବେଚନା କରାଯାଏ।

ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜୟଶଙ୍କର ଇସ୍ରାଏଲର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ପାଲେଷ୍ଟାଇନ୍‌ ରାଷ୍ଟ୍ରପତିଙ୍କ ସମେତ ଏହି ଅଞ୍ଚଳ ଏବଂ ସମଗ୍ର ବିଶ୍ୱର ଅନେକ ନେତାଙ୍କ ସହ କଥା ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe