ଧାମରା ନଦୀରେ ହେବ ୧୧୦ କୋଟି ଟଙ୍କାର ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ: ୫୦ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

ଧାମରା ନଦୀରେ ହେବ ୧୧୦ କୋଟି ଟଙ୍କାର ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ: ୫୦ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

image source:.adaniports.com

ନୂଆଦିଲ୍ଲୀ: ସାଗରମାଳା ଯୋଜନା ଅଧୀନରେ ଓଡ଼ିଶାର ଭଦ୍ରକ ଜିଲ୍ଲାର କାନିନାଳୀ ଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ସବୁଦିନିଆ ଆରଓ-ପ୍ୟାକ୍ସ (ରୋଲ-ଅନ୍/ରୋଲ୍ ଅଫ ଯାତ୍ରୀବାହୀ) ଜେଟି ଏବଂ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିପାଇଁ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୫୦.୩୦ କୋଟି ଟଙ୍କା ବ୍ୟୟ କରାଯିବା ଲାଗି ପ୍ରଶାସନିକ ଅନୁମୋଦନ ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ୫୦ ପ୍ରତିଶତ ଅର୍ଥ ଓଡ଼ିଶା ସରକାର ଖର୍ଚ୍ଚ କରିବେ। ଏହି ପ୍ରକଳ୍ପ ପାଇଁ ମୋଟ ୧୧୦.୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। କାନିନାଳୀ ଏବଂ ତାଳଚୁଆ ଠାରେ ଆରଓ-ପ୍ୟାକ୍ସ ପୋତାଶ୍ରୟ, ପାର୍କିଂ ଅଞ୍ଚଳ ବିକାଶ, ନୌବହନ ସହାୟତା ଓ ଖନନ ଭଳି ଉପଯୋଗିତା ଭିତ୍ତିଭୂମି ନିର୍ମାଣ ପାଇଁ ଏହି ଅର୍ଥ ବ୍ୟୟ କରାଯିବ।

ଏହି ଜଳ ମାର୍ଗ ହେବା ଫଳରେ ପୂର୍ବରୁ ଯେଉଁ ଦୂରତା ଅତିକ୍ରମ କରିବା ଲାଗି ୬ ଘଣ୍ଟା ଲାଗୁଥିଲା ତାହା ମାତ୍ର ୧ଘଣ୍ଟାରେ ଅତିକ୍ରମ କରିହେବ। ବର୍ତ୍ତମାନର ଘାଟରେ ସବୁଦିନିଆ ଆରଓ-ପ୍ୟାକ୍ସ ଜେଟି ନିର୍ମାଣ କରାଯିବା ଫଳରେ ନୌକା, ଲଞ୍ଚ ଓ ଅନ୍ୟ ଡଙ୍ଗା ଯାତାୟାତ ପାଇଁ ସୁବିଧା ହେବ। ସେହିପରି ଏକ ସମୟରେ ଦଶଟି ହାଲକା ମୋଟର ଯାନ, ୨୦ଟି ଦୁଇ ଚକିଆ ଓ ୬୦ ଜଣ ଯାତ୍ରୀଙ୍କୁ ପରିବହନ କରିପାରୁଥିବା ବଡ଼ ଯାନ୍ତ୍ରିକ ପୋତ ଚଳାଚଳ ପାଇଁ ଭିତ୍ତିଭୂମି ନିର୍ମିତ ହୋଇପାରିବ। ଏଥିରେ ଯାତ୍ରୀ ଓ ବାହନର ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ଏହି ପ୍ରକଳ୍ପ ଧାମରା ନଦୀ ଚତୁଃପାର୍ଶ୍ବରେ ଥିବା ଲୋକମାନଙ୍କୁ ପରୋକ୍ଷ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ଏବଂ ତାଳଚୁଆରୁ ଧାମରା ପର୍ଯ୍ୟନ୍ତ ୨୦୦ କିମି ରାସ୍ତାର ଦୂରତାକୁ ହ୍ରାସ କରିବ।

ଭଦ୍ରକ ଜିଲ୍ଲାର କାନିନାଳୀ ଓ କେନ୍ଦ୍ରାପଡ଼ାର ତାଳଚୁଆ ଯଥାକ୍ରମେ ଧାମରା ବନ୍ଦରର ଉତ୍ତର ଏବଂ ଦକ୍ଷିଣ ତଟରେ ଅବସ୍ଥିତ। ତାଳଚୁଆ ଏବଂ ଏହାର ଆଖପାଖ ଗ୍ରାମର ଲୋକମାନେ ସେମାନଙ୍କର ଜୀବିକା ପାଇଁ ଧାମରା ବନ୍ଦର ଉପରେ ନିର୍ଭର କରିଥାନ୍ତି, ଯାହାକି କାନିନାଳୀ ଘାଟ ଠାରୁ ୪ କିମି ଦୂରରେ ଅବସ୍ଥିତ। ସଡ଼କ ପଥରେ କୌଣସି ଯୋଗାଯୋଗ ବ୍ୟବସ୍ଥା ନଥିବା କାରଣରୁ ଲୋକମାନଙ୍କୁ କାନିନାଳୀ ଏବଂ ତାଳଚୁଆ ଘାଟରୁ ନଦୀରେ ପାଖାପାଖି ସାତ କିମି ରାସ୍ତା ଡଙ୍ଗାରେ ବସି ପାର ହେବାକୁ ପଡ଼ିଥାଏ। ବର୍ତ୍ତମାନ ଯାତ୍ରୀମାନେ ଘରୋଇ ଡଙ୍ଗାରେ ଅସୁରକ୍ଷିତ ଭାବେ ଯାତ୍ରା କରୁଛନ୍ତି। ଦୈନିକ ଲଞ୍ଚରେ ଗାଡ଼ି ନେଇ ଚଢ଼ିବା ଓ ଓହ୍ଲାଇବା ସମୟରେ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅତ୍ୟାଧୁନିକ ଉପଯୋଗ ଭିତ୍ତିଭୂମି ସହିତ ଏହି ପ୍ରକଳ୍ପ ଯାତ୍ରୀ ଓ ବାହନଗୁଡ଼ିକ ସୁରକ୍ଷାକୁ ବୃଦ୍ଧି କରିବ। ଏହି ଯୋଗାଯୋଗ ବ୍ୟବସ୍ଥା ଫଳରେ ବାଣିଜ୍ୟିକ ଓ ବ୍ୟାବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ଏହା ଆଖପାଖ ଅଞ୍ଚଳରେ ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe