ମୋଦୀଙ୍କ ଭୂମି ପୂଜନ ଭାଷଣରେ ଓଡ଼ିଶା ସମ୍ପର୍କରେ ଭୁଲ୍‌ ତଥ୍ୟ!

Advertisment
ମୋଦୀଙ୍କ ଭୂମି ପୂଜନ ଭାଷଣରେ ଓଡ଼ିଶା ସମ୍ପର୍କରେ ଭୁଲ୍‌ ତଥ୍ୟ!

Zee Business

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଭାଷାରେ ରଚିତ ରାମାୟଣର ଉଦାହରଣ ଦେବା ସହିତ ଓଡ଼ିଆ ଭାଷାରେ ଲିଖିତ ଯେଉଁ ରାମାୟଣ କଥା ଉଲ୍ଲେଖ କରିଛନ୍ତି, ତାକୁ ନେଇ ଓଡ଼ିଶାର ସାହିତ୍ୟିକ, ବୁଦ୍ଧିଜୀବୀ ମହଲରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଓଡ଼ିଆ ଭାଷାର ‘ରୁଇପଦ-କାତରପଦୀ ରାମାୟଣ’ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଓଡ଼ିଶାର ସାହିତ୍ୟିକ ମହଲରେ କ୍ଷୋଭ ପ୍ରକାଶ ପାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ ତାମିଲ ଭାଷାରେ ଲିଖିତ ଆମର କମ୍ବ ରାମାୟଣ ସମ୍ପର୍କରେ ଉଲ୍ଲେଖ କରିଥିଲା ବେଳେ ତେଲୁଗୁର ରଘୁନାଥ ଓ ରଙ୍ଗନାଥ ରାମାୟଣ, କନ୍ନଡ଼ର କୁମୁଦେନ୍ଦୁ ରାମାୟଣ ଏବଂ ଓଡ଼ିଆର ରୁଇପଦ-କାତରପଦୀ ରାମାୟଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ତେବେ ରୁଇପଦ-କାତରପଦୀ ରାମାୟଣ ଭଳି ଓଡ଼ିଶାରେ ସେମିତି ଏକ ରାମାୟଣ ରହିଥିବା ନେଇ କିଛି ତଥ୍ୟ ନାହିଁ ବୋଲି ଓଡ଼ିଶାର ସାହିତ୍ୟିକ ମହଲରେ ପ୍ରକାଶ ପାଇଛି। ଓଡ଼ିଆରେ ମୁଖ୍ୟତଃ ପଞ୍ଚଦଶ ଶତାବ୍ଦୀର କବି ବଳରାମ ଦାସଙ୍କ ରଚିତ ପ୍ରସିଦ୍ଧ ‘ଦାଣ୍ଡି ରାମାୟଣ’, ସାରଳା ଦାସଙ୍କ ରଚିତ ‘ବିଲଙ୍କା ରାମାୟଣ’ ଏବଂ ବିଶ୍ବନାଥ ଖୁଣ୍ଟିଆଙ୍କ ‘ବିଚିତ୍ର ରାମାୟଣ’ ସମେତ ଆଞ୍ଚଳିକ ସ୍ତରରେ ଅନେକ ରାମାୟଣ ରହିଛି। ମାତ୍ର ରୁଇପଦ-କାତରପଦୀ ରାମାୟଣ ସମ୍ପର୍କରେ କେଉଁଠି ଉଲ୍ଲେଖ ନାହିଁ ବୋଲି ସାହିତ୍ୟିକ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଦାଣ୍ଡି ରାମାୟଣି, ବିଲଙ୍କା ରାମାୟଣ କିମ୍ବା ବିଚିତ୍ର ରାମାୟଣ ସମ୍ପର୍କରେ ଉଲ୍ଲେଖ ନକରି ପ୍ରଧାନମନ୍ତ୍ରୀ ଓଡ଼ିଶା ସହ କିପରି ରୁଇପଦ-କାତରପଦୀ ରାମାଣୟକୁ ଯୋଡ଼ିଲେ ବୋଲି ସାହିତ୍ୟିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିରର ଶିଳାପୂଜନ ସାରି ପ୍ରଧାନମନ୍ତ୍ରୀ ମୋଦୀ ଏକ ସମାବେଶରେ ସୀମିତ ସଂଖ୍ୟକ ଅତିଥି, ସାଧୁ ସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ତେବେ ଏହାକୁ ଦେଶର କୋଟି କୋଟି ଶ୍ରଦ୍ଧାଳୁ ଟେଲିଭିଜନ୍‌ ମାଧ୍ୟମରେ ସିଧାସଳଖ ଦେଖିବାପ ସୁଯୋଗ ଲାଭ କରିଥିଲେ। ‘ଜୟ ଶ୍ରୀରାମ’ ଧ୍ବନିରେ ନିଜର ଅଭିଭାଷଣ ଆରମ୍ଭ କରି ଏହି ଧ୍ବନି କେବଳ ଅଯୋଧ୍ୟାରେ କାହିଁକି, ସାରା ବିଶ୍ବରେ ଗୁଞ୍ଜରିତ ହେଉଛି ବୋଲି ସେ ପ୍ରଥମେ କହିଥିଲେ। ଭାଷଣ ମଝିରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଓ ମାତା ଜାନକୀ ଦେବୀଙ୍କର ବାରମ୍ବାର ଜୟଗାନ କରିବା ସହ ରାମାୟଣର ବିଭିନ୍ନ ପ୍ରସଙ୍ଗ ମଧ୍ୟ ସେ ଉତ୍‌ଥାପନ କରିଥିଲେ। ତେବେ ଏହି ଅବସରରେ ସେ ଓଡ଼ିଶା ସଂକ୍ରାନ୍ତ ଏକ ଭୁଲ୍‌ ସୂଚନା ଦେଇ ପୁରାଣପ୍ରେମୀ ଓଡ଼ିଆମାନଙ୍କୁ ଦ୍ବନ୍ଦ୍ବରେ ପକାଇଛନ୍ତି। ଏପରିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଜଣେ ଓଡ଼ିଆ ହୋଇଥିବା ବେଳେ ମୋଦୀ କିଭଳି ଓଡ଼ିଶା ସମ୍ପର୍କରେ ସଠିକ୍‌ ସୂଚନା ପାଇପାରିନାହାନ୍ତି ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe