News Hunt
ପଠାନ୍କୋଟ୍: ଅଭିନେତାରୁ ରାଜନେତା ପାଲଟିଥିବା ତଥା ସଂପ୍ରତି ପଞ୍ଜାବର ଗୁରୁଦାସପୁର ସଂସଦୀୟ କ୍ଷେତ୍ରରୁ ଶାସକ ବିଜେପି ଦଳର ଲୋକସଭା ସାଂସଦ ରୂପେ ନିର୍ବାଚିତ ହୋଇଥିବା ସନ୍ନି ଦେଓଲ ଏବେ କେଉଁ ଆଡ଼େ ନିଖୋଜ ହୋଇ ଯାଇଛନ୍ତି! ନିଖୋଜ ସାଂସଦ ସନ୍ନି ଦେଓଲଙ୍କ ସନ୍ଧାନ କରି ତାଙ୍କ ସଂପର୍କରେ ଖବର ଦେବାକୁ (ଗୁମ୍ସୁଦା କି ତଲାସ୍) ଉଲ୍ଲେଖ ଥାଇ ଏକାଧିକ ପୋଷ୍ଟର ଆଜି ପଠାନ୍କୋଟ୍ ସମେତ ପଞ୍ଜାବର ବିଭିନ୍ନ ସ୍ଥାନରେ ଲାଗିଥିବା ଦେଖିବା ପାଇଁ ମିଳିଛି। ଏଥିସହ ଏହି ଘଟଣା ଏବେ ପଞ୍ଜାବ ଠାରୁ ଆରମ୍ଭ କରି ନୂଆଦିଲ୍ଲୀ, ମୁମ୍ବାଇ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ, ଏ ଘଟଣା ସଂପର୍କରେ ଜାଣିବା ପରେ ସଂପ୍ରତି ମୁମ୍ବାଇ ଠାରେ ଅବସ୍ଥାନ କରୁଥିବା ଗୁରୁଦାସପୁରର ବିଜେପି ସାଂସଦ ତଥା ଅଭିନେତା ଏହାକୁ ‘ନନ୍ସେନ୍ସ’ ବୋଲି କହି ଏଡ଼ାଇ ଯାଇଛନ୍ତି। ଏବଂ କହିଛନ୍ତି, ‘ଏହା ହେଉଛି ତାଙ୍କ ବିରୋଧରେ, ବିରୋଧୀମାନଙ୍କର ଏକ ହୀନ ଚକ୍ରାନ୍ତ’।
ଉଲ୍ଲେଖଯୋଗ୍ୟ, ଗତ ନିର୍ବାଚନରେ ପଞ୍ଜାବର ଗୁରୁଦାସପୁର ସଂସଦୀୟ କ୍ଷେତ୍ରରୁ ଶାସକ ବିଜେପି ଦଳର ଲୋକସଭା ସାଂସଦ ରୂପେ ନିର୍ବାଚିତ ହେବାପରେ ସନ୍ନି ଦେଓଲ କହିଥିଲେ, ଗୁରୁଦାସପୁର ନିର୍ବାଚନ ମଣ୍ଡଳୀର ଦୈନନ୍ଦିନ କଥା ଏବଂ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କର ଭଲମନ୍ଦ କଥା ବୁଝିବା ପାଇଁ ତାଙ୍କର ଜଣେ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ। ସେତେବେଳେ, ସନ୍ନି ଦେଓଲଙ୍କ ଏ ପ୍ରକାରର ବିବୃତିକୁ କେନ୍ଦ୍ର କରି ପଞ୍ଜାବରୁ ଆରମ୍ଭ କରି ନୂଆଦିଲ୍ଲୀ ପର୍ଯ୍ୟନ୍ତ ଖୁବ୍ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ତେବେ, ନିର୍ବାଚନରେ ବିଜୟଲାଭ କରିବା ପରେ ସନ୍ନି ଦେଓଲଙ୍କୁ ଆଉ ଗୁରୁଦାସପୁର ନିର୍ବାଚନ ମଣ୍ଡଳୀରେ ଦେଖିବା ପାଇଁ ମିଳୁନାହିଁ। କିମ୍ବା ରାଜନୈତିକ ବିତର୍କ ହେବା ପରେ ସେ ତାଙ୍କର କୌଣସି ପ୍ରତିନିଧିଙ୍କୁ ନିଯୁକ୍ତ ମଧ୍ୟ କରି ନାହାନ୍ତି। ସନ୍ନି ଦେଓଲ ମାୟାନଗରୀ ମୁମ୍ବାଇରେ ରହି ରଙ୍ଗୀନ୍ ଜୀବନ ବିତାଉଥିବା ବେଳେ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକେ ତାଙ୍କୁ ନପାଇ ଏପରି ପୋଷ୍ଟର ଲଗାଇଥିବା ଜାଣିବାକୁ ମିଳିଛି।
Follow Us