ଚିନ୍ତାରେ ମିସ୍ତ୍ରୀ ପରିବାର

Advertisment
ଚିନ୍ତାରେ ମିସ୍ତ୍ରୀ ପରିବାର

The Economic Times

ନୂଆଦିଲ୍ଲୀ: ଦେଶର ଅନ୍ୟତମ ବିଶାଳ ବ୍ୟବସାୟ ସାମ୍ରାଜ୍ୟ ଗଠନ କରିଥିବା ମିସ୍ତ୍ରୀ ପରିବାର ଉପରେ ଦୁଃଖର ପାହାଡ଼ ମାଡ଼ିବସିଛି। ତିନି ମାସ ଭିତରେ ପରିବାରର ଦୁଇ ପ୍ରମୁଖ ସଦସ୍ୟଙ୍କୁ ହରାଇବା ପରେ ଏହି ପରିବାର ଏବେ ସଙ୍କଟ ଦେଇ ଗତି କରୁଛି। ଗତ ଜୁନ୍‌ରେ ବାପା ପାଲୋଞ୍ଜି ମିସ୍ତ୍ରୀ ଏବଂ ସେପ୍ଟେମ୍ବରରେ ସାନ ଭାଇ ସାଇରସ୍‌ ମିସ୍ତ୍ରୀଙ୍କୁ ହରାଇବା ପରେ ବଡ଼ ଭାଇ ସାପୁର ମିସ୍ତ୍ରୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏହି ୫୭ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ୧୫୭ ବର୍ଷ ପୁରୁଣା ସାପୁରଜୀ ପାଲୋଞ୍ଜି ଗ୍ରୁପ୍‌ର ଭବିଷ୍ୟତ ନିର୍ଭର କରୁଛି।

୩ ମାସରେ ଚାଲିଗଲେ ବାପା, ସାନ ପୁଅ
ଟାଟାରେ ଫସିରହିଛି ୯୦% ସମ୍ପତ୍ତି

ମିସ୍ତ୍ରୀ ପରିବାର ଲାଗି ସବୁଠୁ ବଡ଼ ସମସ୍ୟା ହେଉଛି ଟାଟା ସହିତ ଲାଗିରହିଥିବା ଝଗଡ଼ା। ଏହାର ସମାଧାନ ପନ୍ଥା ବାହାର କରିବା ଲାଗି ସାପୁର୍‌ ଉଦ୍ୟମ ଆରମ୍ଭ କରିଛନ୍ତି। ସେ ଆଇନଜୀବୀ ଏବଂ କନସଲଟାଣ୍ଟ୍‌ଙ୍କ ସହ କଥାବାର୍ତା ଆରମ୍ଭ କରିଛନ୍ତି। ଉଭୟ ଟାଟା ଓ ମିସ୍ତ୍ରୀ ପରିବାର ହେଉଛନ୍ତି ପାର୍ସି ସମ୍ପ୍ରଦାୟର ଲୋକ। ଉଭୟ କଂପାନି ମଧ୍ୟରେ ଦୀର୍ଘ ସମୟ ଧରି ନିବିଡ଼ ସମ୍ପର୍କ ଥିଲା। ମାତ୍ର ଟାଟା ସନ୍ସର ଅଧ୍ୟକ୍ଷ ହେବାର ସୌଭାଗ୍ୟ ହାସଲ କରିଥିବା ସାଇରସ୍‌ଙ୍କୁ ହଠାତ୍‌ ପଦଚ୍ୟୁତ କରାଯିବା ପରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ଯେଉଁଭଳି ଅପମାନିତ ଢଙ୍ଗରେ ବିଦା କରାଗଲା ତାହାକୁ ସାଇରସ୍ ସହ୍ୟ କରିପାରିନଥିଲେ। ନିଜ ସମ୍ମାନ ଫେରିପାଇବା ଲାଗି ସେ କୋର୍ଟରେ ଲଢ଼େଇ ଆରମ୍ଭ କରିଥିଲେ।

ସେହି ଘଟଣା ପରେ ଟାଟା ଗ୍ରୁପ୍‌ରେ ଥିବା ମିସ୍ତ୍ରୀ ପରିବାରର ସବୁ ସମ୍ପତ୍ତି ଏବେ ଫସିରହିଛି। କୌଣସି ଫଇସଲା ହୋଇପାରୁନଥିବାରୁ ସେହି ସମ୍ପତ୍ତିକୁ ମିସ୍ତ୍ରୀ ପରିବାର ବିକ୍ରି କରିପାରୁନାହିଁ। ମିସ୍ତ୍ରୀ ପରିବାର ୨୯୦୦ କୋଟି ଡଲାରର ସମ୍ପତ୍ତି ଟାଟା ଗ୍ରୁପ୍‌ରେ ରହିଛି। ଏହା ମିସ୍ତ୍ରୀ ପରିବାର ସମ୍ପତ୍ତିର ପ୍ରାୟ ୯୦ ପ୍ରତିଶତ। ଋଣ ପରିଶୋଧ କରିବା ଏବଂ ସମଗ୍ର ବିଶ୍ବରେ ଲାଗି ରହିଥିବା ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢ଼ିବା ଲାଗି ମିସ୍ତ୍ରୀ ପରିବାର ପାଖରେ ପାଣ୍ଠିର ଘୋର ଅଭାବ ଦେଖାଦେଇଛି। ସେହି ସ୍ଥିତିର ମୁକାବିଲା ଏବେ ପରିବାର ସଦସ୍ୟଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି।

ସାପୁରୀ ପାଲୋଞ୍ଜି ଗ୍ରୁପ୍‌ର ଭବିଷ୍ୟତ ସୁଧାରିବା ଲାଗି ସାପୁରଙ୍କ ସହିତ ରହିଛନ୍ତି ସାଇରସ୍‌ଙ୍କ ପତ୍ନୀ ଏବଂ ଦୁଇ ପୁଅ। ଏହା ବ୍ୟତୀତ ଦୁଇ ଭଉଣୀ ଲୈଲା ଏବଂ ଆଲୋ ମଧ୍ୟ ରହିଛନ୍ତି। ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଆଲୋ ବିବାହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe