ପାଟନା: ବିହାରରେ ବଡ଼ ଧରଣର ରାଜନୈତିକ ମିଶ୍ରଣ ଘଟିଛି। ଜନ ଅଧିକାର ପାର୍ଟିର ପ୍ରମୁଖ ପପୁ ଯାଦବ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ତାଙ୍କ ଦଳର ବିଲୟ କଂଗ୍ରେସରେ ହୋଇଥିବା ଘୋଷଣା କରିଛନ୍ତି। କୁହାଯାଉଛି ସେ ପୂର୍ଣିଆରୁ ଲୋକସଭା ନିର୍ବାଚନ ଲଢ଼ିବେ। ପପୁ ୫ ଥର ଲୋକସଭା ସାଂସଦ ରହିଛନ୍ତି। ସେ ବିହାରର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା। ସେ ୧୯୯୧, ୧୯୯୬, ୧୯୯୯, ୨୦୦୪ ଏବଂ ୨୦୧୪ରେ ସାଂସଦ ହୋଇଥିଲେ।
କଂଗ୍ରେସରେ ଯୋଗ ଦେବା ପୂର୍ବରୁ ପପୁ ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ଭେଟିଥିଲେ। ସେ କହିଥିଲେ ଳାଲୁଙ୍କ ସହିତ ମୋର ରାଜନୈତିକ ସମ୍ପର୍କ ନୁହେଁ ବରଂ ଭାବନାତ୍ମକ ସମ୍ପର୍କ ରହିଛି। ସିମାଞ୍ଚଳ ଏବଂ ମିଥିଳାଞ୍ଚଳରେ ବିଜେପିକୁ ରୋକିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି। ପପୁଙ୍କ ଦଳୀୟ ନିର୍ବାଚନୀ ଚିହ୍ନ କଇଁଚି ଥିଲା। ଏବେ ତାଙ୍କ ପାର୍ଟିର ବିଲୟ ପରେ ସେ କଂଗ୍ରେସର ନିର୍ବାଚନୀ ଚିହ୍ନ ହାତ ବ୍ୟବହାର କରିବେ।
ପପୁ କହିଛନ୍ତି ଆମେ ୨୦୨୪ ଲୋକସଭା ନିର୍ବାଚନରେ ବିଜୟୀ ହେବା ସହିତ ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ବିଜୟୀ ହେବୁ।
ରାହୁଲ ଗାନ୍ଧୀ ଦେଶର ଜନତାଙ୍କ ହୃଦୟ ଜିତିଛନ୍ତି। ଯିଏ ଲୋକଙ୍କ ହୃଦୟ ଜିତିଛନ୍ତି ସେ ହିଁ ଦେଶର ପ୍ରଧାନମନ୍ତ୍ରୀ ହେବେ। ଦେଶ ତଥା ବିହାରର ଦୁର୍ବଳ ବର୍ଗଙ୍କ ପରିଚୟ ଏବଂ ବିଚାରଧାରାର ସୁରକ୍ଷା ପାଇଁ ଆମେ କଂଗ୍ରେସ ନେତୃତ୍ବରେ ମିଳିତ ଭାବେ ଲଢ଼ିବୁ।
Follow Us