ନୂଆଦିଲ୍ଲୀ : ଦେଶରେ ଦେଖାଦେଇଥିବା ଚାଷୀ ଆନ୍ଦୋଳନକୁ ଇନ୍ଧନ ଯୋଗାଇବା ଲାଗି ସ୍ବେଡେନ୍ର କିଶୋରୀ ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ବିବାଦୀୟ ପାଓ୍ୱାର ପଏଣ୍ଟ୍ ପ୍ରଦର୍ଶନ ଭିତ୍ତିକ 'ଟୁଲ୍ କିଟ୍'ର ସ୍ରଷ୍ଟା ସମ୍ପର୍କରେ ଦିଲ୍ଲୀ ପୁଲିସ ଠୋସ୍ ସୁରାକ ପାଇପାରିଛି। ପ୍ରାଥମିକ ତଦନ୍ତରୁ ଏହା କାନାଡ଼ାରେ ଅବସ୍ଥାପିତ ଖଲିସ୍ଥାନ ସଂଗଠନର କୌଣସି ସମର୍ଥକ ଦ୍ବାରା ପ୍ରସ୍ତୁତ ହୋଇଥିବା ଆଶଙ୍କା କରାଯାଉଥିଲା। ସେହିପରି ସାମାଜିକ ଗଣମାଧ୍ୟମରେ ଥନବର୍ଗଙ୍କ ଦ୍ବାରା ଏହାର ପ୍ରସାର କରାଇବା ହେଉଛି ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ଏକ ଷଡ଼ଯନ୍ତ୍ର ବୋଲି ପୁଲିସ ସନ୍ଦେହ କରିଥିଲା। ତେବେ ଉକ୍ତ କିଟ୍ର ପ୍ରସ୍ତୁତକର୍ତ୍ତା ମୋ ଧଲିଓ୍ୱାଲ୍ ଏବଂ ତାଙ୍କ ସଂଗଠନ ପୋଏଟିକ୍ ଜଷ୍ଟିସ ଫାଉଣ୍ଡେସନ୍ (ପିଜେଏଫ୍) ବୋଲି ପୁଲିସ ଜାଣିବାକୁ ପାଇଛି।
ସୂଚନା ଥାଉ କି, ଥନବର୍ଗ ଉକ୍ତ କିଟ୍କୁ ନିଜ ଟ୍ବିଟର ଆକାଉଣ୍ଟ୍ରେ ଛାଡ଼ି ଚାଷୀ ଆନ୍ଦୋଳନକୁ ଯିଏ ସମର୍ଥନ କରିବାକୁ ଚାହିବ ତାହା ପାଇଁ ଏହା ଉଦ୍ଦିଷ୍ଟ ବୋଲି ଲେଖିଥିଲେ। ଏହି କିଟ୍ରେ କିପରି ଆନ୍ଦୋଳନରେ ସାମିଲ ହେବାକୁ ପଡ଼ିବ ଏବଂ ପୁଲିସର କାର୍ଯ୍ୟାନୁଷ୍ଠାନକୁ କିଭଳି ମୁକାବିଲା କରିବାକୁ ହେବ, ସେସବୁର ଏକ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତ ହୋଇଥିଲା। ତେବେ ଏହା ବିବାଦୀୟ ହୋଇପଡ଼ିବା ପରେ ଗ୍ରେଟା ତାହାକୁ ହଟାଇ ନେଇଥିଲେ। ଅପରପକ୍ଷେ, ଏହାର ସ୍ରଷ୍ଟାଙ୍କ ସମ୍ପର୍କରେ ଜାଣିବା ପାଇଁ ଗଣମାଧ୍ୟମ ଅନୁଗାମୀମାନଙ୍କର ଉତ୍କଣ୍ଠା ମଧ୍ୟ ବଢ଼ିଥିଲା। ତେବେ ଅସଲ ସଂଚାଳକ ମୋ ଧଲିଵାଲ ହେଉଛି ଜଣେ କଠୋରପନ୍ଥୀ ଖଲିସ୍ଥାନୀ ଓ ପିଜେଏଫ୍ ସଂଗଠନର ପ୍ରତିଷ୍ଠାତା। ପୂର୍ବରୁ ୨୦୧୭ ମସିହାରେ ଜଗମିତ୍ ସିଂହଙ୍କ ନ୍ୟୁ ଡେମୋକ୍ରାଟିକ ପାର୍ଟିର ନେତୃତ୍ବ ପ୍ରଚାର ବେଳେ 'ଲଭ୍ ଆଣ୍ଡ୍ କରେଜ୍' ସ୍ଲାଗାନ ଦେଇ ସେ ଚର୍ଚ୍ଚାକୁ ଆସିଥିଲା। ସେହିପରି ନିଜ ଫେସ୍ବୁକ୍ ପୋଷ୍ଟ୍ରେ 'ମୁଁ ଜଣେ ଖଲିସ୍ଥାନୀ ସମର୍ଥକ, କାରଣ ଖଲିସ୍ଥାନ ଏକ ବିଚାରଧାରା, ଏହା ଏକ ଜୀବନଶୈଳୀ ଓ ଆନ୍ଦୋଳନ' ବୋଲି ଉଲ୍ଲେଖ କରି ଲୋକଙ୍କୁ ଯୋଗଦେବା ପାଇଁ ଆହ୍ବାନ କରିଥିଲା। ନିକଟରେ ସେ ଭାରତର ଚାଷୀ ଆନ୍ଦୋଳନ ସମ୍ପର୍କରେ ଉଲ୍ଲେଖ କରି ନୂଆ କୃଷି ଆଇନ ପ୍ରତ୍ୟାହୃତ ହୋଇଗଲେ ଆନ୍ଦୋଳନ ତଥାପି ସରିବନି ବୋଲି କହିଥିଲା।
Follow Us