ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ: ରାଷ୍ଟ୍ରପତି ମୁର୍ମୁଙ୍କ ଭାଷଣରେ ସନ୍ଥକବି ଭୀମ ଭୋଇଙ୍କ କବିତାର ଧାଡ଼ି

Advertisment
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ: ରାଷ୍ଟ୍ରପତି ମୁର୍ମୁଙ୍କ ଭାଷଣରେ ସନ୍ଥକବି ଭୀମ ଭୋଇଙ୍କ କବିତାର ଧାଡ଼ି

ନୂଆଦିଲ୍ଲୀ: ଆଜି ଦେଶର ୧୫ଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ପାର୍ଲାମେଣ୍ଟ୍‌ର ‌ସେଣ୍ଟ୍ରାଲ୍‌ ହଲ୍‌ରେ ଦେଇଥିବା ପ୍ରଥମ ଉଦ୍‌ବୋଧନରେ ଦ୍ରୌପଦୀ ମୁର୍ମୁ ଜଗନ୍ନାଥ ଦେଶର ମହାନ୍‌ ସନ୍ଥକବି ଭୀମ ଭୋଇଙ୍କର କବିତାର କାଳଜୟୀ ପଙ୍‌କ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ଉଦ୍ଧୃତ କରିଥିଲେ।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ମୁର୍ମୁ ହିନ୍ଦୀ ଭାଷାରେ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ କରିବା ବେଳେ ଭୀମ ଭୋଇଙ୍କ କବିତାର ପ୍ରଖ୍ୟାତ ପଙ୍‌କ୍ତିକୁ ଓଡ଼ିଆରେ କହିଥିଲେ। ରାଷ୍ଟ୍ରପତିଙ୍କର ଅଭିଭାଷଣର କିଛି ଅଂଶକୁ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ଇଂରାଜୀ ଭାଷାରେ କହିବା ବେଳେ ମଧ୍ୟ ଭୀମ ଭୋଇଙ୍କର ଉକ୍ତ ପଙ୍‌କ୍ତିକୁ ଅବିକଳ ଓଡ଼ିଆରେ ପାଠ କରିଥିଲେ।

ଉଲ୍ଲେଖଯୋଗ୍ୟ, ମହିମା ସ୍ବାମୀଙ୍କ ଭକ୍ତ ଭୀମ ଭୋଇ ଥିଲେ ଏକାଧାରରେ ‌ଜଣେ ସନ୍ଥ, କବି ଏବଂ ଦାର୍ଶନିକ।

publive-image

ଶପଥ ଗ୍ରହଣ କରିବାର ପରେ ଭାରତର ରାଷ୍ଟ୍ରପତିଙ୍କ ଟୁଇଟର୍‌ ହ୍ୟାଣ୍ଡଲ୍‌ରୁ କରିଥିବା ପ୍ରଥମ ଟୁଇଟ୍‌ରେ ରାଷ୍ଟ୍ରପତି ମୁର୍ମୁ ଲେଖିଛନ୍ତି: ବିଶ୍ବ କଲ୍ୟାଣର ଭାବନା ନେଇ ଆପଣମାନଙ୍କ ବିଶ୍ବାସ ରକ୍ଷା ଲାଗି ମୁଁ ସଦାସର୍ବଦା ସମ୍ପୂର୍ଣ୍ଣ ନିଷ୍ଠା ଓ ଉତ୍ସର୍ଗର ସହିତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିବି।

ଏହାଛଡ଼ା, ରାଷ୍ଟ୍ରପତି ଭାବେ ତାଙ୍କର ପ୍ରଥମ ଟୁଇଟ୍‌ରେ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଜନଜାତିଙ୍କର ପାରମ୍ପରିକ ସ୍ବାଗତ ସମ୍ଭାଷଣ ‘ଜୋହାର୍‌’ ଏବଂ ଭାରତୀୟ, ବିଶେଷକରି ଓଡ଼ିଆମାନଙ୍କର ସମ୍ମାନ ତଥା ସମ୍ମାନ ପ୍ରଦର୍ଶନର ପରିଭାଷା ‘ନମସ୍କାର’ ବୋଲି ଉଲ୍ଲେଖ କରିଛନ୍ତି। ଭାରତୀୟମାନଙ୍କୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ, ଦେଶର ସର୍ବୋଚ୍ଚ ପଦବୀର କର୍ତ୍ତବ୍ୟ ସମ୍ପାଦନରେ ସେମାନେ ହିଁ ତାଙ୍କର ସାମର୍ଥ୍ୟ।

ଅଭିଭାଷଣରେ ରାଷ୍ଟ୍ରପତି ମୁର୍ମୁ ଭାରତର ଗଣତନ୍ତ୍ରର କ୍ଷମତା ଦର୍ଶାଇବାକୁ ଯାଇ କହିଛନ୍ତି ଯେ, ଗୋଟାଏ ଦରିଦ୍ର ଆଦିବାସୀ ଘରେ ଜନ୍ମିତା ଝିଅଟିଏ ଆଜି ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୋଇପାରିଲା।

ଏହି ମର୍ମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଛନ୍ତି ଯେ, ଦେଶର ସର୍ବୋଚ୍ଚ ଆସନରେ ଜଣେ ଜନଜାତି ସମ୍ପ୍ରଦାୟର ମହିଳାଙ୍କୁ ଦେଖିବା ଲାଗି ଦେଶବାସୀଙ୍କୁ ଦୀର୍ଘ ୭୦ ବର୍ଷ ପ୍ରତୀକ୍ଷା କରିବାକୁ ପଡ଼ିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe