ଦଶହରା ଦିନ କର୍ଣ୍ଣାଟକ ମସ୍‌ଜିଦ୍‌ ଓ ମଦ୍ରସା ପରିସରରେ ପଶି ପୂଜାର୍ଚ୍ଚନା କଲେ ଉତ୍ତ୍ୟକ୍ତ ଜନତା

Advertisment
ଦଶହରା ଦିନ କର୍ଣ୍ଣାଟକ ମସ୍‌ଜିଦ୍‌ ଓ ମଦ୍ରସା ପରିସରରେ ପଶି ପୂଜାର୍ଚ୍ଚନା କଲେ ଉତ୍ତ୍ୟକ୍ତ ଜନତା

Image Courtesy of India Today

ବିଦାର: ବୁଧବାର ସନ୍ଧ୍ୟା କର୍ଣ୍ଣାଟକର ବିଦାର ଜିଲ୍ଲାରେ ଦଶହରା ପଟୁଆରରେ ଯାଉଥିବା କିଛି ଲୋକ ଉତ୍ତ୍ୟକ୍ତ ହୋଇ ସ୍ଲୋଗାନ୍‌ ଦେବା ସହ ମହମୁଦ୍‌ ଗେୱାନ୍‌ ମଦ୍ରାସା ଓ ମସ୍‌ଜିଦ୍‌ ପରିସରରେ ପ୍ରବେଶ କରି ସେଠାରେ ପୂଜାର୍ଚ୍ଚନା କରିଥିବା ଅଭିଯୋଗ ହୋଇଛି।

ଏଥିପାଇଁ ପୁଲିସ ୯ଜଣ ଲୋକଙ୍କ ନାମରେ ମାମଲା ରୁଜୁ କରିଛି, କିନ୍ତୁ ଏଯାବତ୍‌ କାହାକୁ ଗିରଫ କରାଯାଇନାହିଁ। ଯଦି ଆଜି ସୁଦ୍ଧା କେହି ଗିରଫ ନ ହୁଅନ୍ତି ତେବେ, ପ୍ରତିବାଦ କରିବେ ବୋଲି ସଂଖ୍ୟାଲଘୁ ସଙ୍ଗଠନଗୁଡ଼ିକ କହିଛନ୍ତି।

୧୪୬୦ରେ ବିଦାର୍‌ରେ ନିର୍ମିତ ମହମୁଦ୍‌ ‌ଗେୱାନ୍‌ ମଦ୍ରାସାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଏହାକୁ ଜାତୀୟ ଗୁରୁତ୍ବବହନ କରୁଥିବା ଐତିହ୍ୟ ସ୍ମାରକୀ ମାନ୍ୟତା ପ୍ରଦାନ କରିଛି।

ବୁଧବାର ସନ୍ଧ୍ୟା ବେଳେ ଉତ୍ତ୍ୟକ୍ତ ଜନତା ମଦ୍ରାସାର ତାଲା ଭାଙ୍ଗିଥିବା କଥା ପୁଲିସ କହିଛି।

publive-image Image Grabbed from Video

ଅନ୍‌ଲାଇନ୍‌ରେ ପ୍ରସାରିତ ହେଉଥିବା ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ପୂଜାର୍ଚ୍ଚନା କରିବା ଆଗରୁ ମଦ୍ରାସାର ପାହାଚଶ୍ରେଣୀରେ ଠିଆ ହୋଇ ଲୋକେ ‘ଜୟ ଶ୍ରୀରାମ’ ‘ଭାରତ ମାତା କୀ ଜୟ’ ଓ ‘ହିନ୍ଦୁ ଧରମ୍‌ ଜୟ’ ସ୍ଲୋଗାନ୍‌ ଦେଉଛନ୍ତି।

ଉକ୍ତ ଘଟଣା ପାଇଁ ‘ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ମୁସ୍‌ଲିମୀନ୍‌’ର ମୁଖ୍ୟ ଅସାଦୁଦ୍ଦିନ୍‌ ଅୱେସି ଗୁରୁବାର ସନ୍ଧ୍ୟାରେ ରାଜ୍ୟର ଶାସକ ‘ବିଜେପି’କୁ ସମାଲୋଚନା କରିବା ସହ ଦୋଷାରୋପ କରି କହିଛନ୍ତି ଯେ, ମୁସଲ୍‌ମାନଙ୍କୁ ଲଜ୍ଜା ଦେବା ପାଇଁ ‘ବିଜେପି’ ଏଭଳି କାଣ୍ଡକୁ ପ୍ରୋତ୍ସାହନ ଦେଉଛି।

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଡେକ୍କା କିଶୋର ବାବୁ କହିଛନ୍ତି, ଦଶହରା ସମୟରେ ପୂଜାର୍ଚ୍ଚନା କରିବା ନିଜାମ୍‌ଙ୍କ ଅମଳରୁ ନିୟମିତ ଚାଲି ଆସିଛି। ମସ୍‌ଜିଦ୍‌ ପରିସରରେ ଗୋଟାଏ ମୀନାର ରହିଛି। ସେଠାକୁ ସାଧାରଣତଃ ୨-୪ଜଣ ଲୋକ ଯାଆନ୍ତି, କିନ୍ତୁ ଏଥର ଅନେକ ଲୋକ ପଶିଯାଇଥିଲେ। ମସ୍‌ଜିଦ୍‌ରେ ପଶିବାକୁ କେହି ବେଆଇନ ଭାବେ ତାଲା ଭାଙ୍ଗି ନାହାନ୍ତି। ଆମେ ‘ଏଫ୍‌ଆଇଆର୍‌’ ପଞ୍ଜୀକରଣ କରିଛୁ ଓ ଦୁର୍ବୃତ୍ତମାନଙ୍କୁ ଗିରଫ କରିବୁ।

ଗୁଲ୍‌ବର୍ଗା ପୁଲିସ ଇନ୍‌ସ୍ପେକ୍ଟର୍‌ ଜେନେରାଲ୍‌ କହିଛନ୍ତି, ଅନେକ ବର୍ଷ ହେବ ହିନ୍ଦୁମାନେ ମସ୍‌ଜିଦ୍‌ ପାଖକୁ ଯାଇ ଗୋଟାଏ ବୃକ୍ଷ ପୂଜା କରନ୍ତି। ଏଥର ସେଠାରେ ବୃକ୍ଷ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe