Image Courtesy of Metro
ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ଯୁଦ୍ଧକ୍ଷେତ୍ରରେ ମୋବାଇଲ୍ ଫୋନ୍ ଯୋଗୁଁ ଜଣେ ସୈନିକ ଗୁଳି ଚୋଟରୁ ରକ୍ଷା ପାଇଥିବା ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି।
ସତ ବୋଲି ଜଣାପଡୁଥିବା ଉକ୍ତ ୩୦ ସେକେଣ୍ଡ୍ର ଭିଡିଓରେ ଜଣେ ୟୁକ୍ରେନୀୟ ସୈନିକ ଜଣେ ବ୍ୟକ୍ତିଙ୍କୁ କହୁଛନ୍ତି କି, ସ୍ମାର୍ଟ ଫୋନ୍ ପାଇଁ ତାଙ୍କ ଜୀବନ ବଞ୍ଚିଗଲା।
ଏହା ପରେ ଭିଡିଓରେ ଦେଖାଯାଉଛି ୭.୬୨x ୩୯ମିଲିମିଟର୍ର ଗୁଳିଟିଏ ଗୋଟାଏ ସ୍ମାର୍ଟ ଫୋନ୍ରେ ବିଦ୍ଧ ହୋଇଥିବାର ଦୃଶ୍ୟ। ଉକ୍ତ ସୈନିକଙ୍କୁ ଲକ୍ଷ୍ୟ କରି ମରା ଯାଇଥିବା ଗୁଳିଟି ସୈନିକ ଜଣକ ରଖିଥିବା ମୋବାଇଲ୍ ଫୋନ୍ରେ ବାଜିଥିଲା। ଅର୍ଥାତ୍ ମୋବାଇଲ୍ ଫୋନ୍ଟି ତାଙ୍କ ପାଇଁ ‘ବୁଲେଟ୍ ପ୍ରୁଫ୍’ ଜ୍ୟାକେଟ୍ର କାମ ଦେଇଥିଲା। ପକେଟ୍ରେ ମୋବାଇଲ୍ ଫୋନ୍ଟି ନ ଥିଲେ ହୁଏ ତ ଗୁଳି ତାଙ୍କ ଶରୀରକୁ ବିଦ୍ଧ କରିଥାଆନ୍ତା ଓ ସେ ନିଶ୍ଚୟ ମୃତ୍ୟୁମୁଖରେ ପଡ଼ିଥାଆନ୍ତେ।
Image Courtesy of India Todayଭିଡିଓରେ ଗୁଳି ଫୁଟିବା ଶବ୍ଦ ସ୍ପଷ୍ଟ ଭାବେ ଶୁଭୁ ଥିବାରୁ ତାହା ଯୁଦ୍ଧ କ୍ଷେତ୍ରର ଭିଡିଓ ବୋଲି ଜଣାପଡୁଛି। କିନ୍ତୁ, ଭିଡିଓଟି ସତ କି, ନାହିଁ ତାହା ପରଖ କରାଯାଇନାହିଁ।
ଉଲ୍ଲେଖଯୋଗ୍ୟ, ରୁଷ୍ର ୟୁକ୍ରେନ୍ ଆକ୍ରମଣ ଦ୍ବିତୀୟ ମାସରେ ପ୍ରବେଶ କରିଥିବା ବେଳେ ପୂର୍ବାଞ୍ଚଳ ୟୁକ୍ରେନ୍ରେ ଆକ୍ରମଣ ଜୋର୍ଦାର୍ କରିଛି ମସ୍କୋ। ବନ୍ଦର ନଗରୀ ମାରିୟୁପୋଲ୍କୁ ‘ସଫଳତାର ସହ ମୁକ୍ତ’ କରାଯାଇଛି ବୋଲି ଏପ୍ରିଲ୍ ୨୧ ତାରିଖରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଘୋଷଣା କରିଥିଲେ। ସମ୍ପ୍ରତି ୟୁକ୍ରେନ୍ର ଦ୍ବିତୀୟ ବୃହତ୍ତମ ନଗରୀ ଖାର୍କିଭ୍ରେ ଦୈନିକ ବୋମା ବୃଷ୍ଟି ଚାଲିଛି। ସହର ଉପରେ ନିୟନ୍ତ୍ରଣ ବଜାୟ ରଖିବାକୁ ଉଭୟ ପକ୍ଷ ଆପ୍ରାଣ ଉଦ୍ୟମ କରୁଛନ୍ତି।
Follow Us