କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅମ୍ଫାନରେ ରାଜ୍ୟର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଉତ୍ତର ୨୪ ପ୍ରଗଣାର ବସିରହାଟରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗକୁ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୋଦୀ। ଏଥିସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ। ବଂଲା ପୁଣି ଉଠି ଛିଡ଼ା ହେବ। ଏହି ଦୁଃଖଦ ପରିସ୍ଥିତିର ମୁକାବିଲା ପାଇଁ ପଶ୍ଚିମ ବଙ୍ଗ ସହ ଭାରତ ଅଛି। ରାଜ୍ୟର କାନ୍ଧ ସହ କାନ୍ଧ ମିଳାଇ କାମ କରିବ କେନ୍ଦ୍ର। କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଲେ।
ଆଜି ପୂର୍ବାହ୍ନ ୧୦.୫୦ ମିନିଟ୍ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ। ପୂର୍ବରୁ ସେଠାରେ ଅପେକ୍ଷାରତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟପାଳ ଜଗଦୀପ ଧନଖଡ଼, ବିଜେପିର କେତେକ ବରିଷ୍ଠ ନେତା ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଲେ। ବିମାନ ବନ୍ଦର ସଭାକକ୍ଷରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏକ ସଂକ୍ଷିପ୍ତ ବୈଠକ କଲେ। ବାତ୍ୟା ପରର ସ୍ଥିତି ସମ୍ପର୍କରେ ମମତା ମୋଦୀଙ୍କୁ ଅବଗତ କରାଇଲେ। ତା’ପରେ ହେଲିକପ୍ଟର ଯୋଗେ ଉଭୟେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ବାହାରିଗଲେ। ଆକାଶମାର୍ଗରୁ କ୍ଷତିଗ୍ରସ୍ତ ବାତ୍ୟାଞ୍ଚଳ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କଲେ। ଅତିମାତ୍ରାରେ କ୍ଷତିଗ୍ରସ୍ତ ବଙ୍ଗଳାର ଅତି ପରିଚିତ ସିଟି ଅଫ୍ ଜୟ ଏବଂ ଅନ୍ୟ ଦୁଇଟି ଜିଲ୍ଲା ସହ ସୁନ୍ଦରବନର ପୁନର୍ଗଠନ କାର୍ଯ୍ୟରେ କେନ୍ଦ୍ର ଯଥାସମ୍ଭବ ସହାୟତା ଯୋଗାଇବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ମହାମାରୀ କରୋନା ଏବଂ ମହାବାତ୍ୟା ଅମ୍ଫାନ ଏକାସାଙ୍ଗେ ଦୁଇଟି ବିପଦର ଧୈର୍ଯ୍ୟ ଓ ସାହସର ସହ ମୁକାବିଲା କରୁଥିବାରୁ ମମତାଙ୍କୁ ଢେର୍ ପ୍ରଶଂସା କରିଥିଲେ ମୋଦୀ।
Follow Us