ପଶ୍ଚିମବଙ୍ଗରେ ମୋଦୀ ଲହର

Advertisment

ମମତାଙ୍କ ସବୁ ଅଙ୍କ ଭୁଲ୍‌

ମମତାଙ୍କ ସବୁ ଅଙ୍କ ଭୁଲ୍‌

ପଶ୍ଚିମବଙ୍ଗରେ ମୋଦୀ ଲହର

କୋଲକାତା: ମମତାଙ୍କ ସବୁ ଅଙ୍କ ଭୁଲ୍‌ ହୋଇଗଲା। ୪୨ଟି ଯାକ ଆସନ ଜିତିବାର ଚ୍ୟାଲେଞ୍ଜ ନିଷ୍ଫଳ ହେଲା। ପଶ୍ଚିମବଂଗରେ ମୋଦୀ ଲହର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କ ଦମ୍ଭ ଭାଙ୍ଗି ଦେଇଛି । ୪୨ରୁ ୧୯ଟି ଆସନ ବିଜେପି ଦଖଲକୁ ଯାଇଛି। ତୃଣମୂଳର ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଦଳର ନେତ୍ରୀ। ୪୨ଟି ଲୋକସଭା ଆସନରୁ ତୃଣମୂଳକୁ ମିଳିଛି ମାତ୍ର ୨୨ଟି। ଷୋଡ଼ଶ ଲୋକସଭା ନିର୍ବାଚନ ଅର୍ଥାତ୍‌ ୨୦୧୪ରେ ଟିଏମ୍‌ସି ୩୪ଟି ଆସନ ହାତେଇ ଥିବାବେଳେ ବିଜେପିକୁ ମିଳିଥିଲା ମାତ୍ର ୨ଟି। କଂଗ୍ରେସ ୪ଟିରେ ବିଜୟୀ ହୋଇଥିବାବେଳେ ବାମଫ୍ରଣ୍ଟକୁ ମିଳିଥିଲା ମାତ୍ର ୨ଟି ଆସନ। ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ ବାମଫ୍ରଣ୍ଟ ଖାତା ଖୋଲିପାରି ନାହିଁ। ସଦ୍ୟ ଆକଳନରୁ ଜଣାପଡ଼ିଛି, ଚଳିତ ନିର୍ବାଚନରେ ଟିଏମ୍‌ସି ୪୪.୬୧ ପ୍ରତିଶତ ଭୋଟ୍‌ ପାଇଥିବାବେଳେ ବିଜେପି ଏହାର ପାଖାପାଖି ଅର୍ଥାତ୍‌ ୩୯.୦୩ ପ୍ରତିଶତ ଭୋଟ୍‌ ହାତେଇଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଫଳାଫଳର ସମ୍ପୂର୍ଣ୍ଣ ସମୀକ୍ଷା ହେବା ଦରକାର ବୋଲି କହିଛନ୍ତି। ମମତା କହିଛନ୍ତି, ଯେଉଁମାନେ ପରାଜୟ ବରଣ କରିଛନ୍ତି ସେମାନେ ସମସ୍ତେ ପରାଜିତ ନୁହନ୍ତି। ଆମେ ସମ୍ପୂର୍ଣ୍ଣ ସମୀକ୍ଷା କରିସାରିବା ପରେ ଅନ୍ୟମାନଙ୍କ ସମ୍ମୁଖରେ ମତାମତ ରଖିବା। ଭୋଟ୍‌ ଗଣତି ସରୁ ଏବଂ ଭିଭିପିଏଟି ମ୍ୟାଚ୍‌ ଶେଷ ହେଉ ବୋଲି ମମତା ଟ୍ବିଟ୍‌ କରିଛନ୍ତି। ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ କହିଛନ୍ତି, ଏହି ଟ୍ରେଣ୍ଡରୁ ଯାହା ଜଣାପଡ଼ୁଛି ବଙ୍ଗଳାରେ ଟିଏମ୍‌ସିର କୁଶାସନ ସୀମା ଅତିକ୍ରମ କରିଛି। ବଙ୍ଗଳାରେ ନିର୍ବାଚନୀ ହିଂସାକାଣ୍ଡ ସମଗ୍ର ବିଶ୍ବରେ ରେକର୍ଡ କରିଛି। ତେଣୁ ବଙ୍ଗଳାର ଜନତା ପରିବର୍ତ୍ତନ ପାଇଁ ସମର୍ଥନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ନେତୃତ୍ବକୁ ବିଶ୍ବାସ କରି ରାଜ୍ୟବାସୀ ମତାମତ ଜଣାଇଛନ୍ତି।
ରାଜ୍ୟରେ ବିଜେପିର ଭଲ ଫଳ ପ୍ରଦର୍ଶନ ଦଳର କର୍ମୀ ସମର୍ଥକଙ୍କୁ ଅଧିକ ଉତ୍ସାହିତ କରିଛି। ଫଳାଫଳ ଜଣାପଡ଼ିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମେତ ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟମାନଙ୍କରେ ବିଜେପି କର୍ମୀମାନେ ବିଜୟ ଉତ୍ସବ ପାଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe