ଚୀନ୍‌ ଉପରେ ନଜର, ନେପାଳରେ ମୋଦି

ରାମାୟଣ ସର୍କିଟ୍‌ର ଶୁଭାରମ୍ଭ

ଚୀନ୍‌ ଉପରେ ନଜର, ନେପାଳରେ ମୋଦି

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ନେପାଳ ସହ ଚୀନ୍‌ ଏବେ ଅଧିକ ନିକଟତର ହେଉଥିବାରୁ ଭାରତର ଚିନ୍ତା ବଢ଼ିଛି। ନେପାଳ ସହ ଦ୍ୱିପାକ୍ଷିକ ସଂପର୍କରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ନେପାଳ ଗସ୍ତରେ ଯାଇଛନ୍ତି। ଜନକପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେଠାରୁ ପ୍ରଧାନମନ୍ତ୍ରୀ ଜାନକୀ ମନ୍ଦିର ଯାଇ ମାତା ସୀତା ଦେବୀଙ୍କ ପୂଜାର୍ଚ୍ଚନା କରିବା ପରେ ରାମାୟଣ ସର୍କିଟ ଓ ଜନକପୁର-ଅଯୋଧ୍ୟା ବସ ସେବା ଶୁଭାରମ୍ଭ କରିଛନ୍ତି। ଏହି ବସ୍‌ ସେବା ଆରମ୍ଭ ହେବା ପରେ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ଅଧିକ ସୁଦୃଢ଼ ହୋଇଛି। ଜନକପୁରରୁ ପ୍ରଧାନମନ୍ତ୍ରୀ କାଠମାଣ୍ଡୁ ଗସ୍ତ କରିଛନ୍ତି। ଭାରତ ଓ ନେପାଳ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ବିଗତ ୪ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଥର ନେପାଳ ଗସ୍ତ କରି ସାରିଛନ୍ତି। ଚଳିତ ବର୍ଷ ନେପାଳରେ ନୂଆ ସରକାର ହେବା ପରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ଉଚ୍ଚସ୍ତରୀୟ ବୈଠକ। ନେପାଳ ସହ ଚୀନ୍‌ର ରାଜନୈତିକ ଓ ଅର୍ଥନୈତିକ ସଂପର୍କ ସୁଦୃଢ଼ ହେବାପରେ ଭାରତ ଓ ନେପାଳ ମଧ୍ୟରେ ଥିବା ସମ୍ପର୍କରେ ବାଧା ଉପୁଜିଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଓଲିଙ୍କ ସହ ସାକ୍ଷାତକାର ସମୟରେ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ପାଇଁ ରାମୟଣ ସର୍କିଟ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଉଭୟ ଦେଶର ୧୫ଟି ସ୍ଥାନ ଅଯୋଧ୍ୟା, ନନ୍ଦିଗ୍ରାମ, ଶ୍ରୀଙ୍ଗଭେରପୁର ଓ ଚିତ୍ରକୂଟ ଭଳି ସ୍ଥାନଗୁଡ଼ିକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରିବାକୁ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ନେପାଳ ଜନକପୁରର ବିକାଶ ପାଇଁ ଭାରତ ଶହେକୋଟି ଟଙ୍କା ମଞ୍ଜୁର କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ପ୍ରାଚୀନ କାଳରୁ ରହିଛି। ତ୍ରେତୟା ଯୁଗର ରାମ-ସୀତା, ଗୌତମ ବୁଦ୍ଧ ଓ ମହାବୀର ଜୈନଙ୍କ ସମୟରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ରହିଛି। ଉଭୟ ଦେଶର ନାଗରିକଙ୍କ ମଧ୍ୟରେ ରହିଥିବା ସଦ୍‌୍‌ଭାବ ବଡ଼ ପୁଂଜି ବୋଲି ମୋଦି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe