ଆମେରିକାରେ ମୋଦୀ: ପାଞ୍ଚଟି ପ୍ରସଙ୍ଗ ଉପରେ ଭାରତର ଗୁରୁତ୍ୱ

ଆମେରିକାରେ ମୋଦୀ: ପାଞ୍ଚଟି ପ୍ରସଙ୍ଗ ଉପରେ ଭାରତର ଗୁରୁତ୍ୱ

ନୂଆଦିଲ୍ଲୀ : ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତିସଂଘ ସାଧାରଣ ପରିଷଦ (ୟୁଏନ୍‌ଜିଏ)ର ୭୬ତମ ଅଧିବେଶନରେ ଉଦ୍‌ବୋଧନ ଦେବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଦ୍ବିପାକ୍ଷିକ ଓ ବହୁପାକ୍ଷିକ ବୈଠକରେ ଯୋଗ ଦେଇଛନ୍ତି। ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ସରକାରଙ୍କ ମୁଖ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଭାରତ ସମ୍ମୁଖୀନ ହେଉଥିବା ପାଞ୍ଚଟି ଆହ୍ବାନ ଉପରେ ପ୍ରଧାନମନ୍ତ୍ରୀ ତାଙ୍କ ଦୃଷ୍ଟି କେନ୍ଦ୍ରିତ କରିଛନ୍ତି।

କ୍ବାଡ୍ରିଲାଟରାଲ ସିକ୍ୟୁରିଟି ଡାଇଲଗ୍ (ଚତୁର୍ପାକ୍ଷିକ ସୁରକ୍ଷା କଥାବାର୍ତ୍ତା) ବା ସଂକ୍ଷେପରେ କ୍ବାଡ୍ ହେଉଛି ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଆମେରିକା ମଧ୍ୟରେ ରଣନୈତିକ ସହଯୋଗ। ଭାରତର ‌ବିଦେଶ ନୀତି ଏହା ଉପରେ ଗୁରୁତ୍ବ ଦେଉଛି। ଗସ୍ତ ଅବସରରେ ମୋଦୀ କ୍ବାଡ୍ ନେତା ଅଷ୍ଟ୍ରେଲିଆର ସ୍କଟ୍ ମୋରିସନ, ଜାପାନର ୟୋସିହିଦେ ସୁଗାଙ୍କ ସହ ଆଲୋଚନା କରିଥିବା ବେଳେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିଛନ୍ତି। ଆମେରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ନ୍ୟୁକ୍ଳିୟର ସବ୍‌ମେରିନ୍ (ଆଣବିକ ଶକ୍ତିରେ ଚାଲୁଥିବା ଯୁଦ୍ଧଜାହାଜ) ନିମନ୍ତେ ଆକସ୍ମିକ ଚୁକ୍ତି ହେବା ପରେ ଏହି କ୍ବାଡ୍ ମିଟିଂର ଆୟୋଜନ ହୋଇଥିଲା। ଏହି ଚୁକ୍ତି ଯୋଗୁ ଆମେରିକାର ଅତି ସମ୍ବେଦନଶୀଳ ପ୍ରଯୁକ୍ତି ଅଷ୍ଟ୍ରେଲିଆ ହାତକୁ ଚାଲିଯିବ। ଚୁକ୍ତି ଯୋଗୁ ଅନ୍ତର୍ଜାତୀୟ ମହଲରେ ନାନା ଗୁଞ୍ଜରଣ ଉଠିଲାଣି। ଏଥି‌ଯୋଗୁ ଫ୍ରାନ୍ସର ଅଷ୍ଟ୍ରେଲିଆ ସହ ହୋଇଥିବା ବହୁଶହ କୋଟି ଡଲାରର ଚୁକ୍ତିନାମା ବାତିଲ ହୋଇଯାଇଛି। ତେଣୁ ପ୍ରତିରକ୍ଷା ଚୁକ୍ତି ନେଇ ଫ୍ରାନ୍ସ ଏ କ୍ବାଡ୍ ସମ୍ମିଳନୀକୁ ସନ୍ଦେହ ଦୃଷ୍ଟିରେ ଦେଖୁଛି। ଏଣେ ଭାରତ ସାମରିକ ଅପ୍‌ଗ୍ରେଡେସନ ପାଇଁ ଅନ୍ୟ କେତେକ ଦେଶ ଉପରୁ ନିର୍ଭରଶୀଳତା କମାଇବା ଲାଗି ଫ୍ରାନ୍ସ ସହ ସମ୍ପର୍କ ନିବିଡ଼ କରିଛି। ସତର୍କ ଫ୍ରାନ୍ସ ଭାରତର ଭୂ-ରଣନୈତିକ ସମୀକରଣ ଉପରେ ନଜର ରଖିଛି।

ଆଫଗାନିସ୍ତାନରେ ତାଲିବାନ ସରକାର ଗଢ଼ିବା ଭାରତ ପାଇଁ ଆଉ ଏକ ସମସ୍ୟା। ତାଲିବାନ ହେଉଛି ପୂର୍ବରୁ କଟକଣା ଲଗାଯାଇଥିବା ଏକ ଆତଙ୍କବାଦୀ ଗୋଷ୍ଠୀ ଯାହାର ପାକିସ୍ତାନ ଓ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ସହ ଗଭୀର ସମ୍ପର୍କ ରହିଛି। ତେଣୁ ଭାରତର ସୁରକ୍ଷା ପାଇଁ ଏହା ଏକ ବଡ଼ ବିପଦ ହୋଇ ଠିଆ ହୋଇଛି। ଆମେରିକା ତରତର ହୋଇ ଆଫଗାନିସ୍ତାନରୁ ଚାଲିଆସିବାରୁ ଏହାକୁ ଅନେକ ଦେଶ ଭଲରେ ଦେଖୁନାହାନ୍ତି। ବର୍ତ୍ତମାନ ସୃଷ୍ଟ ସମସ୍ୟା ପାଇଁ ଆମେରିକାକୁ ଦ‌ାୟୀ କରୁଛନ୍ତି। ଏବେ ଆମେରିକା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ଅଧିକ ଦୃଷ୍ଟି କେନ୍ଦ୍ରିତ କରୁଛି, ଯାହା ଭାରତ ପାଇଁ ଏକ ରଣନୈତିକ ଅଞ୍ଚଳ। ମୋରିସନ, ସୁଗା ଓ ବାଇଡେନଙ୍କ ସହ ବ୍ୟକ୍ତିଗତ ଆଲୋଚନା କଲା ବେଳେ ପ୍ରଧାନମନ୍ତ୍ରୀ ମେଦୀ ଏହା ଉପରେ ଗୁରୁତ୍ବ ଦେଇଛନ୍ତି।

ବର୍ତ୍ତମାନ ଚୀନ୍ ସହ ଭାରତର ସମ୍ପର୍କକୁ ‘ବିଶ୍ବାସର ଅଭାବଯୁକ୍ତ’ ବୋଲି କୁହାଯାଉଛି। ପୂର୍ବରୁ ସୀମାରେ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଥିଲା ତାହା ପ୍ରଶମିତ ହୋଇଥିଲେ ମଧ୍ୟ ଡ୍ରାଗନ୍ ଉପରେ ବିଶ୍ବାସ ନାହିଁ। ପୁଣି ଆଫଗାନିସ୍ତାନରେ ତାଲିବାନମାନଙ୍କୁ ସାହାଯ୍ୟ କରିବା ପାଇଁ ଚୀନ୍ ଯେଉଁ ହାତ ବଢ଼େଇଛି ତାହା ଭାରତ ପାଇଁ ଚିନ୍ତାଜନକ ହୋଇଛି।

ପାକିସ୍ତାନ ନିୟମିତ ଭାବେ ଅନ୍ତର୍ଜାତୀୟ ସ୍ତରରେ ଓ ଜାତିସଂଘ ସାଧାରଣ ପରିଷଦ (ୟୁଏନ୍‌ଜିଏ)ରେ କାଶ୍ମୀର ପ୍ରସଙ୍ଗ ଉଠାଉଛି। ଏବେ ତାଲିବାନ କହିଲାଣି କାଶ୍ମୀର ମୁସଲମାନଙ୍କ ପାଇଁ କଥା କହିବାର ଅଧିକାର ତାଙ୍କର ଅଛି। ୟୁଏନ୍‌ଜିଏରେ ଉଦ୍‌ବୋଧନ ଦେବା ବେଳେ ତୁର୍କୀ ରାଷ୍ଟ୍ରପତି ରିସେପ ତାୟିପ ଏର୍ଡୋଗାନ୍ ବୁଧବାର କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ।

ସର୍ବଶେଷରେ କୋଭିଡ୍‌-୧୯ ଓ ଟିକା ପ୍ରସଙ୍ଗ ବି ମୋଦୀଙ୍କ ଆଲୋଚନାରେ ସ୍ଥାନ ପାଇଛି। ଏ ବର୍ଷ ୟୁଏନ୍‌ଜିଏ ବିତର୍କର ବିଷୟବସ୍ତୁ ତା’ରି ଉପରେ ରହିଛି। ଭାରତୀୟ ଟିକାକୁ ବିଦେଶରେ ସ୍ବୀକୃତି ଦେବା ପ୍ରସଙ୍ଗ ମୋଦୀ ଜାତିସଂଘରେ ଉଠାଇପାରନ୍ତି। ‘ଟିକା ସମାନତା’ ବା ସମସ୍ତ ଅନୁମୋଦିତ କୋଭିଡ୍‌-୧୯ ଟିକାକୁ ପ୍ରମାଣପତ୍ର ଦିଆଯିବା ଉଚିତ ବୋଲି ଭାରତ ଦାବି ଉଠାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe